ବିଜେପି ତେଜିଲା କୁନ୍ଦୁଲି କଳି, ବଢିଲା ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ! ନବୀନ ନିବାସରୁ ସଚିବାଳୟ ଯାଏଁ ଜଗିିରହିଲେ ବନ୍ଧୁକଧାରୀ ସୁରକ୍ଷା କର୍ମୀ

28

କନକ ବ୍ୟୁରୋ : ଓଡିଶାରେ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ଉଗ୍ର ରୂପ ନେବାର ଆଶଙ୍କା ଧିରେ ଧିରେ ବଢୁଛି । ଯେଉଁଥିପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ କଡ଼ା ସୁରକ୍ଷା ଭିତରେ ସଚିବାଳୟ ଆସିବାକୁ ପଡିଥିଲା । ଚାରିଆଡେ ବନ୍ଧୁକ ଧାରୀ ପୋଲିସ ପଇଁତରା ମାରୁଥିଲେ । ଏବଂ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଉପରେ ଯେପରି କୌଣସି ଆକ୍ରମଣ ନହୁଏ ସେଥିପାଇଁ ସଜାଗ ରହିଥିଲା ପୋଲିସ । କାରଣ, କିଛି ଦିନ ପୂର୍ବରୁ ଜଳେଶ୍ୱରର ଏକ ସଭାରେ ମୁଖ୍ୟମନ୍ତ୍ରୀଙ୍କ ମଂଚ ଆଡକୁ ଅଣ୍ଡାମାଡ କରିବା ଘଟଣା ବେଶ୍ ଚର୍ଚ୍ଚାକୁ ଆସିଥିଲା । ଏପଟେ ଆଜି ବିଜେପି କୁନ୍ଦୁଲି ମାମଲାରେ ଜୋରଦାର ପ୍ରତିବାଦ କରିଥିଲା ।

NAVEEN SECURITYକଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା ଭିତରେ ଚାରିଆଡେ ପୁଲିସ୍ ଛାଉଣୀ । ଲାଗୁଛି ଯେମିତି ରାଜଧାନୀ ଭୁବନେଶ୍ୱରକୁ ମାଡ଼ି ଆସୁଛି କେଉଁ ଅଜଣା ଆତଙ୍କର ଭୟ । ଏୟାରପୋର୍ଟ ଛକରୁ ସଚିବାଳୟ, ବନ୍ଧୁକଧାରୀ ସୁରକ୍ଷାକର୍ମୀଙ୍କ ହାତକୁ ଯେମିତି ଚାଲିଯାଇଛି ଯାଇଛି ପୁରା ଅଂଚଳ । କୋଣ ଅନୁକୋଣ ଉପରେ ରହିଛି ପୁଲିସର ନଜର । ହେଲେ ଏହି ବ୍ୟାପକ ସୁରକ୍ଷା ପଛର କାରଣ ହେଉଛି-ମୁଖ୍ୟମନ୍ତ୍ରୀ ସଚିବାଳୟ ଆସୁଛନ୍ତି । ମାତ୍ର ୨ କିଲୋମିଟରର ରାସ୍ତା, ହେଲେ ଅନ୍ୟଦିନ ଅପେକ୍ଷା ୫ପ୍ଲାଟୁନ୍ ଅଧିକ ଫୋର୍ସ । ଆଉ ଏସବୁ ଭିତରେ ବି ସିକ୍ୟୁରିଟି କ୍ଲିୟରାନ୍ସ ନମିଳିବାରୁ ୧୦ମିନିଟ୍ ବିଳମ୍ବରେ ନବୀନ ନିବାସ ଛାଡ଼ି ଥିଲେ ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଆବଶ୍ୟକ ପଡୁଛି ଏହି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ? ଓଡ଼ିଶାରେ ରାଜନୀତି ଯେତେବେଳେ ପ୍ରତିଦ୍ୱନ୍ଦିତାମୂଳକ ହେଉଛି ଏବଂ ଏହା ଯେତେବେଳେ ହିଂସାତ୍ମକ ରୂପ ନେଉଛି । ପୁଲିସ ଓ ସୁରକ୍ଷା ବ୍ୟବସ୍ଥାର ଆବଶ୍ୟକତା ବୋଧେ ବଢ଼ି ଯାଉଛି । ଯେଉଁଥି ପାଇଁ ଆଜି ଅଧିକ ୫ ପ୍ଲାଟୁନ୍ ଫୋର୍ସର ଆବଶ୍ୟକତା ପଡ଼ିଛି ।

ଅଚାନକ୍ ଫୋର୍ସ ବଢ଼ିବା ପଛର କାରଣ ବୋଧେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା । କାହିଁକି ନା’ କୁନ୍ଦୁଲି ପୀଡିତାଙ୍କୁ ନ୍ୟାୟ ଦାବିରେ ନବୀନ ନିବାସକୁ ଧଶେଇ ପଶିବା ଉଦ୍ୟମ କରିଥିଲା ବିଜେପି । ଆଉ ଏହି ସମୟରେ ପୁଲିସ ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । କୁନ୍ଦୁଲି ପୀଡିତାଙ୍କୁ ନ୍ୟାୟ ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ଏତେ ତୀବ୍ର ହୋଇଥିଲା ଯେ, ବିଭିନ୍ନ ସ୍ଥାନରେ ଧସ୍ତାଧସ୍ତି ଭଳି ପରିସ୍ଥିତି ଉପୁଜିଥିଲା । ଶାସକ ଏବଂ ବିରୋଧୀଙ୍କ ଏହି ପ୍ରତିଦ୍ୱନ୍ଦିତା ଭିତରେ କିନ୍ତୁ ଆନ୍ଦୋଳନ ବେଳେବେଳେ ହିଂସାତ୍ମକ ରୁପ ନେଉଛି । ପ୍ରତିବାଦ ନାଁରେ ଭଙ୍ଗାରୁଜା ହେଉଛି । ଏମିତି ମୁଖ୍ୟମନ୍ତ୍ରୀଙ୍କ ଉପରେ ଅଣ୍ଡାମାଡ଼ ଭଳି ଘଟଣା ସବୁ ସାମ୍ନାକୁ ଆସୁଛି । ଯାହା ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବା ପାଇଁ ଖୋରାକ୍ ଯୋଗାଉଛି । ଆଉ ଯେତେବେଳେ ଏହାର ମୁକାବିଲା କଥା ଉଠୁଛି- ଫୋର୍ସ ଏବଂ ସୁରକ୍ଷା ବ୍ୟବସ୍ଥା ବଢ଼ାଇବାକୁ ପୁଲିସ ବାଧ୍ୟ ହେଉଛି ।