ଇସ୍ଲାମିକ ଷ୍ଟେଟର ଚେତାବନୀ । ବାଗଦାଦ୍ ହେଉ କିମ୍ବା ଖୋରାସନ, ସବୁ ସ୍ଥାନରେ ଶିଆମାନଙ୍କୁ ହତ୍ୟା କରାଯିବ

187

କନକ ବ୍ୟୁରୋ : ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ପୁଣି ଏକ ଆତଙ୍କୀ ସଂଗଠନ ସକ୍ରିୟ ହୋଇଛି । ଏହି ଆତଙ୍କୀ ସଂଗଠନରେ ମୁଖ୍ୟତଃ ଆଇଏସଆଇଏସ ସାମିଲ ହୋଇଛି । ଆଇଏସଆଇଏ ଖୋଲା ଖୋଲି ଶିୟା ସମୁଦାୟକୁ ହତ୍ୟା କରିବାକୁ ଚେତାବନୀ ଦେଇଛି । ରବିବାର ଦିନ ଇସ୍ଲାମିକ ଷ୍ଟେଟ୍ ଅଫ୍ ଇରାକ ଏବଂ ସିରିଆ ଏକ ବୟାନରେ କହିଛନ୍ତି କି “ବାଗଦାଦ୍ ହେଉ କିମ୍ବା ଖୋରାସନ, ଯେଉଁଠି ଶିଆ ମୁସଲମାନମାନେ ରହୁଛନ୍ତି ସେମାନଙ୍କୁ ଖୋଜି ଖୋଜି ହତ୍ୟା କରାଯିବ”

ଆଫଗାନିସ୍ତାନର କାନ୍ଦାହାର ଠାରେ ଶୁକ୍ରବାର ଏକ ଶିଆ ମସଜିଦରେ ଶକ୍ତିଶାଳୀ ବିସ୍ଫୋରଣ ପରେ ଆଇଏସଆଇଏସ ଏଭଳି ଚେତାବନୀ ଦେଇଛି । କହିରଖୁ କି ଏହି ବିସ୍ଫୋରଣରେ ୬୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା । ତାଲିବାନ ଦ୍ୱାରା ଆଫଗାନିସ୍ତାନ ଦଖଲ ହେବା ପରେ ଆଇଏସଆଇଏସ- ଖୋରାସନ ଏବେ ଆଫଗାନିସ୍ତାନରେ ଶାନ୍ତି ରକ୍ଷା କରିବାର ସବୁଠାରୁ ବଡ ପ୍ରତିବନ୍ଧକ ସାଜିଛି ।

‘ଖାମା’ ପ୍ରେସ ତା ରିପୋର୍ଟରେ ସୂଚନା ଦେଇଛି କି ଆତଙ୍କୀ ସମୁଦାୟ ତାର ସାପ୍ତାହିକ ଅଲ-ନବା ରେ ଏହି ଚେତାବନୀ ପ୍ରକାଶ କରିଛି । ଏହି ଚେତାବନୀରେ ଆହୁରି କୁହାଯାଇଛି କି ଶିଆ ମୁସଲମାନଙ୍କୁ ତାଙ୍କ ଘରେ କିମ୍ବା କେନ୍ଦ୍ରରେ ପଶି ହତ୍ୟା କରାଯିବ ।

କହିରଖୁ କି ଅକ୍ଟୋବର ୮ ତାରିଖରେ ଆଫଗାନିସ୍ତାନର କୁନ୍ଦୁଜ ଅଞ୍ଚଳରେ ଏକ ଶିଆ ମସଜିଦରେ ବି ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଏଥିରେ ୧୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା । ସୂଚନା ଥାଉକି ଆଫଗାନିସ୍ତାନ ମୋଟ ଜନସଂଖ୍ୟାର ୧୦ ପ୍ରତିଶତ ମୁସଲମାନ ଅଟନ୍ତି । ସେମାନଙ୍କ ମଧ୍ୟରୁ ସର୍ବାଧିକ ହଜାରା ସମୁଦାୟର । ଏହି ସମୁଦାୟ ଦୀର୍ଘବର୍ଷ ହେବ ଆଫଗାନିସ୍ତାନ ସମେତ ପଡୋଶୀ ରାଷ୍ଟ୍ର ପାକିସ୍ତାନ ଦ୍ୱାରା ଭେଦଭାବରେ ଶିକାର ହେଉଛନ୍ତି । ସୂତ୍ରୀ ମୁସଲମାନ ଚରମପନ୍ଥୀ ଲଗାତର ଭାବେ ଶିଆ ମୁସଲମାନଙ୍କୁ ପ୍ରଥମରୁ ଟାର୍ଗେଟ କରି ସେମାନଙ୍କୁ ବିଧର୍ମୀ ବୋଲି ପ୍ରଚାର କରିଚାଲିଛନ୍ତି ।