ଆମେରିକାଠୁ ଏଫ୍-୧୬ ବିମାନ କିଣୁଛି ତାଇବାନ୍ । ଚୀନ୍ ପଟୁ ବଢୁଥିବା ବିପଦକୁ ଦୃଷ୍ଟିରେ ରଖି ତାଇବାନର ଆଗୁଆ ବଦକ୍ଷେପ

219

 ଚୀନ୍‌ ଆଡୁ ବିପଦ ବଢ଼ି ଚାଲିଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକା ନିର୍ମିତ ‘ଏଫ୍‌-୧୬’ ଜେଟ୍‌ ଯୋଗାଣ ତ୍ୱରାନ୍ଵିତ କରିବା ଲାଗି ତାଇଓ୍ଵାନ୍‌ ସରକାରୀ ଅଧିକାରୀମାନେ ଓ୍ଵାସିଂଟନ୍‌କୁ କହିଛନ୍ତି।

ତାଇଓ୍ଵାନ୍‌କୁ ଆମେରିକୀୟ ନିର୍ମିତ ଏଫ୍‌-୧୬ ଯୋଗାଣ ତ୍ୱରାନ୍ଵିତ କରିବାର ସମ୍ଭାବନା ସମ୍ପର୍କରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପ୍ରଶାସନ ତାଇଓ୍ଵାନୀୟ ସରକାରୀ ଅଧିକାରୀମାନଙ୍କ ସହ ଆଲୋଚନା କରିଥିବା କଥା ‘ସିଏନ୍‌ଏନ୍‌’ ରିପୋର୍ଟ କରିଛି।

ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ୨୦୧୯ରେ ୨୨ଟି ଲଢୁଆ ବିମାନ ବିକ୍ରି ପାଇଁ ଅନୁମୋଦନ ମିଳିଥିଲା, କିନ୍ତୁ ଚୀନ୍‌ ଆଡୁ ମାଡ଼ି ଆସୁଥିବା ବିପଦ ହେତୁ ପ୍ରକୃତ ଯୋଗାଣ ସମୟ ଠାରୁ ଯୋଗାଣ ତ୍ୱରାନ୍ଵିତ କରାଯାଉ ବୋଲି ତାଇଓ୍ଵାନ୍‌ ଆଶା କରୁଛି। ସାଧାରଣତଃ ପ୍ରକୃତ ଯୋଗାଣ ସମୟ ହେଉଛି ୧୦ ବର୍ଷ। ତାଇଓ୍ଵାନ୍‌କୁ ଆଖେଇ ଚୀନ୍‌ ଦ୍ରୁତ ବେଗରେ ତା’ର ସାମରିକ ବାହିନୀ ଓ ସେମାନଙ୍କର ପ୍ରଶିକ୍ଷଣର ଆଧୁନିକିକରଣ କରୁଥିବା କଥା ପେଣ୍ଟାଗନ୍‌ର ଇଣ୍ଡୋ-ପେସିଫିକ୍‌ କମାଣ୍ଡ୍‌ ଲକ୍ଷ୍ୟ କରିବା ପରେ ତାଇଓ୍ଵାନ୍‌ ଚିନ୍ତିତ ହୋଇ ପଡ଼ିଛି।

ତାଇଓ୍ଵାନ୍‌ର ଜାତୀୟ ପ୍ରତିରକ୍ଷା ମନ୍ତ୍ରାଳୟରୁ ତଥ୍ୟ ସଂଗ୍ରହ କରି ‘ତାଇପେଇ ଟାଇମ୍ସ୍‌’ ରିପୋର୍ଟ କରିଥିଲା ଯେ, ଅକ୍ଟୋବର ୧ ରୁ ୫ ମଧ୍ୟରେ ‘ଚାଇନିଜ୍‌ ପିପୁଲ୍ସ୍‌ ଲିବରେସନ୍‌ ଆର୍ମି’ର ପ୍ରାୟ ୧୫୦ଟି ଲଢୁଆ ବିମାନ ତାଇଓ୍ଵାନ୍‌ ‘ଏୟାର୍‌ ଡିଫେନ୍ସ୍‌ ଆଇଡେଣ୍ଟିଫିକେସନ୍‌ ଜୋନ୍‌’ ମଧ୍ୟକୁ ଅନୁପ୍ରବେଶ କରିଥିଲେ।

କିନ୍ତୁ, ଯୁଦ୍ଧ ଲଗାଇବା ପାଇଁ ନୁହେଁ, ଯୁଦ୍ଧ ପାଇଁ ପ୍ରସ୍ତୁତି କରିବ ବୋଲି ତାଇଓ୍ଵାନ୍‌ କହିଛି। ତେଣେ, ଚୀନ୍‌ କହିଛି ଯେ, ତାଇଓ୍ଵାନ୍‌ର ସ୍ୱାଧୀନତା ଅର୍ଥ ‘ଯୁଦ୍ଧ’। ସ୍ୱୟଂଶାସିତ ଦ୍ୱୀପ ରାଷ୍ଟ୍ର ଚୀନ୍‌ର ଅଂଶବିଶେଷ କହି ତାହାକୁ ଚୀନ୍‌ ସହ ସାମିଲ କରିବା ଲାଗି ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ଜୁନ୍‌ ୧ ତାରିଖ ଦିନ କହିଥିଲେ।