ପୁରୀ ଏମାର ମଠରେ ରହିଛି କି ଅଧିକ ଗୁପ୍ତ ଧନ । ପ୍ରତ୍ନତତ୍ତ୍ୱ ବିଭାଗ ଅଧିନରେ ଅନୁଧ୍ୟାନ ପାଇଁ ଉଠିଲା ଦାବି । ପୂର୍ବତନ ମହନ୍ତଙ୍କ ଭୂମିକା ନେଇ ପ୍ରଶ୍ନ ଉଠାଇଲେ ବୁଦ୍ଧିଜୀବୀ

138

କନକ ବ୍ୟୁରୋ :  ପୁରୀ ଏମାର ମଠରୁ ୪୫ ଖଣ୍ଡ ରୁପା ଇଟା ବାହାରିବା ପରେ ଏବେ ଜୋର ଧରିଛି ଗୋଟିଏ ଚର୍ଚା । ପୁରୀର ଅନ୍ୟତମ ପ୍ରାଚୀନ ମଠରେ ଆହୁରି ଛପି ରହିଛି କି ଗୁପ୍ତଧନ । ବର୍ତମାନ ମଠର ପରିଚାଳନା ଭାର ନୂଆ ଟ୍ରଷ୍ଟ ହାତକୁ ଯାଇଛି । ଏହି ସମୟରେ ସାମ୍ନାକୁ ଆସିଛି ମଠରେ ଥିବା ୪୫ ଖଣ୍ଡ ରୁପା ଇଟା କଥା । ଏହାସହିତ ଏମାର ମଠର ଏହି ସମ୍ପତିକୁ ନେଇ ଉଠିଛି ଅନେକ ପ୍ରଶ୍ନ ।

୨୦୧୧ ମସିହାରେ ଏମାର ମଠର କାନ୍ଥରୁ ୫୨୨ ଖଣ୍ଡ ରୁପା ଇଟା ଜବତ ହୋଇଥିଲା । ତେବେ ସେହି ସମୟରେ କାହିଁକି ଏହି ୪୫ ଖଣ୍ଡ ରୁପା ଇଟାକୁ ବାହାର କରାଯାଇନଥିଲା । ଯଦି ଏହା ମଠ ମହନ୍ତଙ୍କ ଜାଣତରେ ଥିବା ଆଗରୁ କାହିଁକି ସାର୍ବଜନୀନ ହୋଇନଥିଲା ସୂଚନା । ଏହା ସହିତ ଆହୁରି କିଛି ଅଳଙ୍କାର ମଧ୍ୟ ମଠରୁ ଯାଂଚ ସମୟରେ ବାହାରିଛି । ଆଗରୁ ମଠ ପରିଚାଳନା ଭାର ହସ୍ତାନ୍ତର ପାଇଁ ସହ ଯୋଗ କରୁନଥିଲେ ପୂର୍ବତନ ମହନ୍ତ ଗୋପାଳ ରାମାନୁଜ । ଏସବୁ ଭିତରେ ବର୍ତମାନ ପୁରୀ ବାସୀ ଦାବି କରିଛନ୍ତି , ପ୍ରତ୍ନତତ୍ୱ ବିଭାଗ ଏମାର ମଠ ଭିତରେ ଅଧିକ ଯାଂଚ କରୁ । ହୁଏତ ଏମାର ମଠରୁ ଅଧିକ ସମ୍ପତି ମାଟି ତଳୁ ବାହାରି ପାରେ । ମଠରୁ ଜବତ ହୋଇଥିବା ୪୫ ଖଣ୍ଡ ରୁପା ଇଟା ସହିତ ଅନ୍ୟ ଅଳଙ୍କାର ମୁଦା ବାକ୍ସରେ ଟ୍ରେଜରୀରେ ରହିଛି । ଆଗରୁ ଜବତ ହୋଇଥିବା ୫୨୨ ଖଣ୍ଡ ରୁପା ଇଟା ମଧ୍ୟ ଟ୍ରେଜରୀରେ ରହିଛି ।