ପୋଲିସ ପରିବାରରୁ ଅଣ୍ଡରୱାର୍ଲ୍ଡ ଡନ୍ ବନିଥିଲା ଦାଉଦ୍ ଇବ୍ରାହିମ୍ । ୧୯୯୩ ମସିହା ମୁମ୍ବାଇ ସିରିଏଲ୍ ବମ୍ ବ୍ଲାଷ୍ଟର ଥିଲା ମାଷ୍ଟର ମାଇଣ୍ଡ ।

190

କନକ ବ୍ୟୁରୋ: ମୁମ୍ବାଇ ବମ୍ ବ୍ଲାଷ୍ଟ ପଛର ମାଷ୍ଟର ମାଇଣ୍ଡ । ଭାରତର ମୋଷ୍ଟ ୱାଣ୍ଟେଡ୍ ଡନ୍ ଦାଉଦ । ତାକୁ ଆତଙ୍କର ଅନ୍ୟ ନାଁ ବି କୁହାଯାଏ । ଅଣ୍ଡର ୱାଲ୍ଡର ଦୁନିଆଁରେ ସେ ମୋଷ୍ଟ ୱାଣ୍ଟେଡ୍ ଦାଉଦ ଇବ୍ରାହିମ୍ ନାଁରେ ଜଣାଶୁଣା । ତେବେ ଆତଙ୍କୀ ଦୁନିଆଁରେ ଦାଉଦର କଥା ଉଠିଲେ ସାମ୍ନାକୁ ଆସେ ୧୯୯୩ ମସିହାର ମୁମ୍ବାଇ ସିରିଏଲ୍ ବମ୍ ବ୍ଲାଷ୍ଟର କଥା ।

୧୯୯୩ ମସିହା ମାର୍ଚ୍ଚ ମାସ ୧୨ ତାରିଖ । ମାୟାନଗରୀ ମୁମ୍ବାଇ ଦେଖିଥିଲା ମୃତ୍ୟୁର ତାଣ୍ଡବ । ଆଉ ଯାହାକୁ ଭିଆଇ ଥିଲା ସେ ସମୟର କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଦାଉଦ ଇବ୍ରାହିମ୍ । ସେ ଦିନ ମୁମ୍ବାଇର ୧୩ଟି ଅଲଗା ଅଲଗା ସ୍ଥାନରେ ହୋଇଥିଲା ସିରିଏଲ୍ ବମ୍ ବ୍ଲାଷ୍ଟ । ଆଉ ଶତାଧିକ ଲୋକ ଏଥିରେ ପ୍ରାଣ ହରାଇଥିଲେ । କିଏ ନିଜ ପରିବାରର ସମସ୍ତଙ୍କୁ ହରାଇଲା । ତ ଆଉ କିଏ ଏହି ଛାତି ଥରା ମୁହୁର୍ତକୁ ଅତି ପାଖରୁ ଦେଖିଥିଲା । ଏହି ଘଟଣାରେ ସେ ସମୟରେ ୨୫୭ ଜଣ ଲୋକ ପ୍ରାଣ ହରାଇଥିଲେ । ଖାଲି ସେତିକି ନୁହେଁ, ମୁମ୍ବାଇ ସିିରିଏଲ୍ ବମ ବ୍ଲାଷ୍ଟର ଏହି ଆକ୍ରମଣ ପଛରେ ସଇତାନ ପାକିସ୍ତାନର ମଧ୍ୟ ହାତ ଥିବା ସୂଚନା ମିଳେ ।

ତେବେ କିଏ ଏହି ଦାଉଦ୍?

କେମିତି ହେଲା ମୋଷ୍ଟ ୱାଣ୍ଟେଡ୍ ଡନ୍ ?

ଆତଙ୍କୀ ଦୁନିଆଁରେ ଆତଙ୍କ ମଚାଉଥିବା ଦାଉଦର ଜନ୍ମ କିନ୍ତୁ ହୋଇଥିଲା ପୋଲିସ ପରିବାରରେ । ତା ପିଲାଦିନର ପୂରା ନାଁ ଥିଲା ଦାଉଦ୍ ଇବ୍ରାହିମ୍ କଶ୍କର । ଏବଂ ତା ବାପା ଶେଖ ଇବ୍ରାହିମ୍ ଅଲ୍ଲୀ ମୁମ୍ବାଇ ପୋଲିସରେ ହାବିଲଦାର ଥିଲେ । ଦାଉଦ ନିଜ ସ୍କୁଲ କ୍ୟାରିୟରରୁ ହିଁ ଅନେକ ପ୍ରକାରର କ୍ରାଇମ୍ କରିବା ଆରମ୍ଭ କରିଦେଇଥିଲା । ଡ୍ରଗ୍ସ ସପ୍ଲାଇ, ଚୋରି, ଡକାୟତି, ଲୁଟପାଟ ସେ ପିଲା ଦିନରୁ ହିଁ ଆରମ୍ଭ କରିଦେଇଥିଲା । ଅଶୀ ଦଶକରେ ଦାଉଦ ମୁମ୍ବାଇର କରିମ ଲାଲା ଗ୍ୟାଙ୍ଗରେ ସାମିଲ ହେବା ସହିତ ଅପରାଧ ଜଗତରେ ନିଜ ନାଁ ଆଗକୁ ନେଇଥିଲା । ଅପରାଧ ଦୁନିଆଁରେ ଦାଉଦ୍ ଏତେ ଆଗକୁ ବଢିଯାଇଥିଲା ଯେ, ସାଧାରଣ ଲୋକ କଣ ଖୋଦ୍ ପୋଲିସ ବି ତାକୁ ଡରିବା ଆରମ୍ଭ କରିଥିଲା । ଅନେକ ବଲିଉଡ୍ ଫିଲ୍ମକୁ ଦାଉଦ୍ ଫାଇନାନ୍ସ କରିବା ସହିତ ସେଥିରେ କିଏ ହିରୋଇନ୍ ହେବ ଆଉ କିଏ ହିରୋ ହେବ ତା ମଧ୍ୟ ଡିସାଇଡ୍ କରୁଥିଲା ।

କରିମ ଲାଲା, ହାଜି ମସ୍ତାନ ସହ କାମ କରି କରି ଦାଉଦ୍ ଅପରାଧ ଆକାଶରେ ଚମକିବା ଆରମ୍ଭ କରିଥିଲା । ଆଉ ମୁମ୍ବାଇ ଅଣ୍ଡରୱାଲ୍ଡ କହିଲେ କେବଳ ଦାଉଦକୁ ହିଁ ବୁଝାଉଥିଲା । ୧୯୯୩ ମସିହାରେ ଦେଶରେ ରାଜନୈତିକ ପରିବେଶ ସରଗରମ ରହିଥାଏ । ହିନ୍ଦୁ-ମୁସଲିମକୁ ନେଇ ଦେଶରେ ନିଆଁ ଜଳୁଥିବାବେଳେ ମୁମ୍ବାଇରେ ସିରିଏଲ୍ ବମ୍ ବ୍ଲାଷ୍ଟ ଯୋଜନା କରିଥିଲା ଦାଉଦ୍ । ଆଉ ମାର୍ଚ୍ଚ ୧୨ ତାରିଖ ୧୯୯୩ରେ ମୁମ୍ବାଇର ୧୩ଟି ଭିନ୍ନ ଭିନ୍ନ ଜାଗାରେ ଫୁଟିଥିଲା ବମ୍ । ଏବେ ବି ଦାଉଦ୍ ପୋଲିସ ହାତରେ ଧରାପଡିନି । ଭାରତରେ ତାକୁ ମୋଷ୍ଟ ୱାଟେଡ୍ କ୍ରିମିନାଲ ଭାବେ ଘୋଷଣା କରାଯାଇଛି । ତେବେ କୁହାଯାଉଛି ଦାଉଦ୍ ଏବେ ପାକିସ୍ତାନରେ ଲୁଚି ରହିଛି । ଏବଂ ବାଦ୍ଧକ୍ୟ ହେତୁ ଅଣ୍ଡରୱାଲ୍ଡ ଦୁନିଆରୁ ଅବସର ନେବାକୁ ଚାହୁଁଛି । ହେଲେ ଆଜି ବି ଅଣ୍ଡରୱାଲ୍ଡର କଥା ଉଠିଲେ ଦାଉଦର ନାଁ ସବୁଠୁ ଆଗରେ ଆସେ ।