ଫେରାର ଗ୍ୟାଙ୍ଗଷ୍ଟାର ହାଇଦରକୁ ଧରିବା ପାଇଁ ବଡ଼ ଅପରେସନ । କ୍ରାଇମବ୍ରାଂଚ ଏଡିଜି ଯଶୱନ୍ତ ଜେଠୱା କହିଲେ, ଖୁବ ଶୀଘ୍ର ଧରାପଡ଼ିବ ହାଇଦର

155

କନକ ବ୍ୟୁରୋ : ଫେରାର ଗ୍ୟାଙ୍ଗଷ୍ଟାର ହାଇଦରକୁ ଧରିବା ପାଇଁ ବଡ଼ ଅପରେସନ । ଆଜି ପୁଲିସ ଡିଜିଙ୍କ ଅଧ୍ୟକ୍ଷତାରେ ଏକ ବଡ଼ ଧରଣର ମାନସ ମନ୍ଥନ କରାଯାଇଛି । ଏହି ବୈଠକରେ କ୍ରାଇମବ୍ରାଂଚ ଏଡିଜି, ପୋଲିସ କମିଶନର, କେନ୍ଦ୍ରାଂଚଳ ଡିଆଇଜି ପ୍ରମୁଖ ଉପସ୍ଥିତ ଥିଲେ । ବୈଠକ ପରେ କ୍ରାଇମ ବ୍ରାଂଚ ଏଡିଜି ଯଶୱନ୍ତ ଜେଠୱା କହିଛନ୍ତିି ଖୁବଶୀଘ୍ର ଧରାପଡ଼ିବ ହାଇଦର ।

ହାଇଦରକୁ ଧରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି । ସିସିଟିଭି ଯାଂଚ କରିବା ସହ ରାଜ୍ୟର ସମସ୍ତ ଏସପି ମାନଙ୍କୁ ସତର୍କ କରାଯାଇଛି । ଏହା ସହ ଏସଟିଏଫକୁ ସଜାଗ କରାଯାଇଛି । ରାଜ୍ୟର ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ପଥ ଯାଂଚ କରାଯାଉଛି । ରାଜ୍ୟର ବର୍ଡ଼ର , ରେଲୱେ ପଥ, ରାସ୍ତା ଉପରେ ନଜର ରଖିଛି ପୋଲିସ । ୬ ଟି ଟିମ୍ ହାଇଦରକୁ ଧରିବାରେ ସାମିଲ ଅଛନ୍ତି । ବର୍ତମାନ ଯାହା କ୍ଲୁ ମିଳିଛି ସେ ଅନୁଯାୟୀ ତଦନ୍ତ ଚାଲିଛି । ଘଟଣାରେ ପରିବାର ଲୋକଙ୍କୁ ପରେ ଜେରା ହେବ ବୋଲି କହିଛନ୍ତି କ୍ରାଇମ ବ୍ରାଂଚ ଏଡିଜି ।

କହିରଖୁ କି ଗ୍ୟାଙ୍ଗଷ୍ଟାର ହାଇଦର ଦୁଇଟି ମୃତ୍ୟୁ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସମ୍ବଲପୁର ଜେଲରେ ବନ୍ଦୀଜୀବନ କାଟୁଥିଲେ । ହେଲେ ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଭୀମସାରରେ ଭର୍ତ୍ତି କରାଯାଇଥିଲା । ସେଠାରୁ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା । ଗତକାଲି ସେ ଏସସିବିରେ ଚିକିତ୍ସାଧିନ ଥିବା ବେଳେ ସୁରକ୍ଷାକର୍ମୀଙ୍କୁ ଚକମା ଦେଇ ଫେରାର ହୋଇଯାଇଛନ୍ତି ।