ଆଇପିଏସ୍ ସ୍ତରରେ ବଡ ଧରଣର ଅଦଳବଦଳ । ବଦଳିଲେ କଟକ, ଭୁବନେଶ୍ୱର ଡିସିପି । ଜାଣନ୍ତୁ, ଆଉ କଣ କଣ ହେଲା ପରିବର୍ତ୍ତନ…

209

କନକ ବ୍ୟୁରୋ: ଆଜି ପୋଲିସ ବାବୁଙ୍କର ବଡ ଧରଣର ଅଦଳବଦଳ ହୋଇଛି । ଭୁବନେଶ୍ୱର ଓ କଟକର ଡିସିପିମାନେ ବି ବଦଳି  ଯାଇଛନ୍ତି । କଟକ ଡିସିପି ପ୍ରତୀକ ସିଂଙ୍କୁ ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ଦିଆଯାଇଛି । ବ୍ରହ୍ମପୁର ଏସପି ପିନାକ୍ ମିଶ୍ରଙ୍କୁ କଟକ ଡିସିପି ଭାବେ ଦାୟିତ୍ୱ ଦିଆଯାଇଛି । ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ପାଟଣାଗଡ ପାର୍ସଲ ବୋମା ଓ ନୟାଗଡ ପରୀ ଘଟଣାରେ ଚର୍ଚ୍ଚାକୁ ଆସିଥିବା ଆଇପିଏସ ଅରୁଣ ବୋଥ୍ରାଙ୍କୁ କ୍ରାଇମବ୍ରାଞ୍ଚର ଅତିରିକ୍ତ ଡିଜି ଭାବେ ଦାୟିତ୍ୱ ଦିଆଯାଇଛି ।

ବଦଳିଲେ ଭୁବନେଶ୍ୱର ଡିସିପି । ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେବେ ବର୍ତ୍ତମାନର କଟକ ଡିସିପି ପ୍ରତୀକ ସିଂ । ଭୁବନେଶ୍ୱରର ଆଇନ୍ ଶୃଙ୍ଖଳା ପ୍ରତୀକଙ୍କ ପାଇଁ ଚ୍ୟାଲେଞ୍ଜିଂ ହୋଇପାରେ । ହତ୍ୟା, ଲୁଟ୍, ଛିନତାଇ ଓ ଅପହରଣ  ଭଳି ଅପରାଧ ରୋକିବା ଏବଂ ତା’ ସହିତ ଭିଆଇପି ଓ ଭିଭିଆଇପିଙ୍କ ସୁରକ୍ଷା ଡିସିପିଙ୍କ ପାଇଁ ମୁଖ୍ୟ ଦାୟିତ୍ୱ ରହିବ ।

ସେହିପରି ବ୍ରହ୍ମପୁରର ଏସପି ପିନାକ ମିଶ୍ର, ଏବେ କଟକର ଡିସିପି ଦାୟିତ୍ୱ ନେବେ । ତିନି ବର୍ଷ ଧରି ବ୍ରହ୍ମପୁରରେ ଅପରାଧକୁ ନିୟନ୍ତ୍ରଣ କରିବାର ଅଭିଜ୍ଞତା ଥିଲେ ବି ପିନାକଙ୍କ ପାଇଁ କଟକ ବେଶ୍ ଚ୍ୟାଲେଞ୍ଜିଂ ହେବ । କଟକରେ ଭେଜାଲ୍ ସାମଗ୍ରୀ କାରବାର, ଟ୍ରାଫିକ୍ ନିୟନ୍ତ୍ରଣ, ଜବରଦଖଲ ଉଚ୍ଛେଦ, ପୂଜା ବଜାରରେ ଦାଦା ବଟି ସାଙ୍ଗକୁ ବନ୍ଧୁକ କାରବାର ଉପରେ ଅଙ୍କୁଶ ଲଗାଇବା ଭଳି ଚ୍ୟାଲେଞ୍ଜ ତାଙ୍କ ଉପରେ ରହିବ ।

ଅନ୍ୟପଟେ ପରିବହନ କମିଶନର ଅରୁଣ ବୋଥ୍ରା, କ୍ରାଇମବ୍ରାଞ୍ଚର ଏଡିଜି ଭାବେ ଦାୟିତ୍ୱ ନେବେ । ସରକାରଙ୍କ ସଙ୍କଟମୋଚନ ଅଫିସର କୁହାଯାଉଥିବା ଅରୁଣ ବୋଥ୍ରାଙ୍କୁ ଏହି ଗୁରୁ ଦାୟିତ୍ୱ ମିଳିଛି । ବହୁଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟାକାଣ୍ଡ କଥା ହେଉ କିମ୍ବା ପାଟଣାଗଡ଼ ପାର୍ସଲ ବୋମା ଘଟଣା । ଏଭଳି ଘଟଣାର ତଦନ୍ତ କରି ସଫଳତା ପାଇଥିବା ବୋଥ୍ରାଙ୍କୁ କ୍ରାଇମବ୍ରାଞ୍ଚ ଭଳି ଗୁରୁଦାୟିତ୍ୱ ଦେଇଛନ୍ତି ସରକାର ।

ସେପଟେ ଭୁବନେଶ୍ୱର ଡିପିସି ଉମାଶଙ୍କର ଦାଶଙ୍କୁ ମିଳିଛି ଆଡିସନାଲ ସିପି ଦାୟିତ୍ୱ । ସେହିପରି ନିତୀ ଶେଖରଙ୍କୁ ପଶ୍ଚିମାଞ୍ଚଳ ଡିଆଇଜି, ସଂଜୀବ ପଣ୍ଡାଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ, ବରିଷ୍ଠ ଆଇପିଏସ୍ ଅଧିକାରୀ ମନୋଜ ଛାବ୍ରାଙ୍କୁ ଜେଲ୍ ଡିଜି, ସନ୍ତୋଷ ଉପାଧ୍ୟାୟଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଜି ଭାବେ ଦାୟିତ୍ୱ ଦିଆଯାଇଛି । ଆଇଜି କମ୍ୟୁନିକେଶନ୍ ଦାୟିତ୍ୱ ନେଇଛନ୍ତି ସତୀଶ ଗଜଭିୟେ ।