ଚର୍ଚ୍ଚାରେ ନିର୍ବାଚନ ରଣନୀତିକାର ପିକେଙ୍କ ବୟାନ: ପ୍ରଶାନ୍ତ କହିଲେ ହାତ ଛାଡିବାର କାରଣ

173

କନକ ବ୍ୟୁରୋ: ଯେଉଁ ଚର୍ଚ୍ଚା ଦୀର୍ଘ ଦିନ ଧରି କଂଗ୍ରେସ କ୍ୟାମ୍ପରେ ଚାଲିଥିଲା ତାକୁ କେବଳ ଗୋଟିଏ ବିବୃତିରେ ଶେଷ କରିଛନ୍ତି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର । କଂଗ୍ରେସରେ ସାମିଲ ହେବା ଅଫରକୁ ସେ କିଛି ଦିନ ପୂର୍ବରୁ ପ୍ରତ୍ୟାକ୍ଷାନ କରିଦେଇଥିଲେ । ଏହାକୁ ନେଇ କଂଗ୍ରେସ କ୍ୟାମ୍ପରେ ଯେତିକି ଚର୍ଚ୍ଚା ସେତିକି ହଲଚଲ ବି ଦେଖିବାକୁ ମିଳୁଛି । ଏବେ ପୁଣି ଖବରର ଶିରୋନାମା ପାଲଟିଛି ପୋଲ ଷ୍ଟ୍ରାଟେଜି ମେକର ପ୍ରଶାନ୍ତ କିଶୋରଙ୍କ ବୟାନ । ପ୍ରଶାନ୍ତ କହିଛନ୍ତି କଂଗ୍ରେସ ସହ ବସିଥିବା ଶେଷ ବୈଠକରେ ସେ ୮ରୁ ୯ ଘଂଟାର ଏକ ପ୍ରେଜେନଟେସନ ଦେଇଥିଲେ । ଯେଉଁଥିରେ କଂଗ୍ରେସର ଆଗାମୀ ଅଧ୍ୟକ୍ଷ ପାଇଁ ରାହୁଲ ଗାନ୍ଧୀ କିମ୍ବା ପ୍ରିୟଙ୍କାଙ୍କ ନାଁ ପ୍ରସ୍ତାବ ଦେଇନଥିଲେ ପ୍ରଶାନ୍ତ । ଏକ ଜାତୀୟ ଗଣମାଧ୍ୟମରେ ଏଭଳି ବୟାନ ଦେଇ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ପିକେ ।

ଚର୍ଚ୍ଚା ହେଉଛି, ପ୍ରଶାନ୍ତ ଯେଉଁ ସବୁ ସର୍ତ ରଖିଥିଲେ ସେଥିରେ ମୁଖ୍ୟ ସର୍ତ ଥିଲା ଗାନ୍ଧୀ ପରିବାର ବାହାରୁ ଦଳର ଅନ୍ୟ ଜଣେ ବରିଷ୍ଠ ନେତାଙ୍କୁ ଦଳର ଆଗାମୀ ଅଧ୍ୟକ୍ଷ କରିବା । ସାକ୍ଷାତକାରରେ ପ୍ରଶାନ୍ତ କହିଛନ୍ତି ଯେ କଂଗ୍ରେସ ନିଜ ନିଷ୍ପତି ନେବାକୁ ପୂର୍ଣ୍ଣ ସମର୍ଥ ଓ ସେ ଦେଇଥିବା ପରାର୍ମଶକୁ କଂଗ୍ରେସ ଗ୍ରହଣ କରିବ କି ନାହିଁ ସେ କଥା ଦଳ ଉପରେ ନିର୍ଭର କରୁଛି ।

କିଛି ଦିନ ପୂର୍ବରୁ ଦଳରେ ମିଶିବାକୁ ପ୍ରଶାନ୍ତ କିଶୋର ସଫା ସଫା ମନା କରି ଦେଇଥିଲେ । ଚର୍ଚ୍ଚା ହେଉଥିଲା ୨୦୨୪ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ଲାଗି ଚାଣକ୍ୟ ସାଜି ପ୍ରଶାନ୍ତ ବିଜୟ ମନ୍ତ୍ର ଦେବେ । କିନ୍ତୁ ବିଭିନ୍ନ କାରଣରୁ ଦଳ ସହ ପ୍ରଶାନ୍ତଙ୍କ ଫର୍ମୂଲା ଫିଟ ହେଲାନି ଓ ଦଳର ଅଫରକୁ ସେ ଏଡାଇ ଦେଇଥିଲେ ।

କଂଗ୍ରେସ ଅଫରକୁ ମନା କରିବା ପରେ ଉଭୟ କଂଗ୍ରେସ ଓ ପ୍ରଶାନ୍ତଙ୍କୁ ନେଇ ଭିନ୍ନ ଭିନ୍ନ ଖବର ପ୍ରତିଦିନ ସାମ୍ନାକୁ ଆସୁଛି । ଏହାରି ଭିତରେ ଏବେ ନିଜେ ସାମ୍ନାକୁ ଆସି ପ୍ରଶାନ୍ତ ନିଜ କଥା କହିଛନ୍ତି । ସେ କାହିଁକି କଂଗ୍ରେସରେ ସାମିଲ ହେଲେ ନାହିଁ ସେ କଥା ବଖାଣିବା ପରେ ହୁଏତ କଂଗ୍ରେସ କ୍ୟାମ୍ପରେ ଆଗକୁ ଅଧିକ କମ୍ପନ ହୋଇପାରେ । ଏହାସହ ପ୍ରଶାନ୍ତଙ୍କ ବିନା ୨୦୨୪ ନିର୍ବାଚନୀ ମୁକାବିଲା ଦଳ ପାଇଁ ବଡ ଚ୍ୟାଲେଂଜ ହୋଇପାରେ ।