ପ୍ରଚଣ୍ଡ ତାତିରେ ସନ୍ତୁଳି ହେଉଛନ୍ତି ରାଜଧାନୀବାସୀ । ଦ୍ୱିତୀୟ ଦିନ ଲାଗି ତତଲା କଡେଇ ପାଲଟିଛି ଭୁବନେଶ୍ୱର ।

101

କନକ ବ୍ୟୁରୋ: ପ୍ରଚଣ୍ଡ ତାତିରେ ସନ୍ତୁଳି ହେଉଛନ୍ତି ରାଜଧାନୀବାସୀ । ଲଗାତାର ଦ୍ୱିତୀୟ ଦିନ ଲାଗି ତତଲା କଡେଇ ପାଲଟିଛି ଭୁବନେଶ୍ୱର । ଦିନ ସାଢେ ୨ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୪୩.୩ ଡିଗ୍ରୀ ଛୁଇଁଛି । ଆଉ ଏହା ହେଉଛି ଗତ ୭ ବର୍ଷରେ ତୃତୀୟ ସର୍ବାଧିକ । ୨୦୧୬ ଏପ୍ରିଲ ୧୧ ତାରିଖରେ ରାଜଧାନୀର ତାପାମାତ୍ରା ୪୫.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା । ତେବେ ଉତ୍ତର-ପଶ୍ଚିମ ଗରମ ବାୟୁ ପ୍ରବାହିତ ହେବା ଯୋଗୁ ତାତି ବଢିବାର କାରଣ କୁହାଯାଉଛି ।

        ଏପ୍ରିଲରେ ରାଜଧାନୀର ସର୍ବୋଚ୍ଚ ତାପମାତ୍ରା

  • ଏପ୍ରିଲ ୨୪, ୨୦୨୨ – ୪୩.୩ ଡିଗ୍ରୀ
  • ଏପ୍ରିଲ ୨୧, ୨୦୨୧ – ୪୩.୨ ଡିଗ୍ରୀ
  • ଏପ୍ରିଲ ୧୩, ୨୦୨୦ – ୪୧.୫ ଡିଗ୍ରୀ
  • ଏପ୍ରିଲ ୧୬, ୨୦୧୯ – ୪୩.୭ ଡିଗ୍ରୀ
  • ଏପ୍ରିଲ ୧୬, ୨୦୧୮ – ୪୧.୨ ଡିଗ୍ରୀ
  • ଏପ୍ରିଲ ୨୬, ୨୦୧୭ – ୪୦.୮ ଡିଗ୍ରୀ
  • ଏପ୍ରିଲ ୧୧, ୨୦୧୬ – ୪୫.୮ ଡିଗ୍ରୀ

ରାଜଧାନୀ ଭୁବନେଶ୍ୱରରେ ନିଆଁ ବର୍ଷୁଛି । ସକାଳ ୮ଟା ପର ଠାରୁ ଆରମ୍ଭ ହୋଇ ଯାଉଛି ଖରାର ପ୍ରକୋପ । ଗତ ଦୁଇ ଦିନ ହେଲା ୧୧ଟା ପରେ ୪୦ ଡିଗ୍ରୀ ସେଲିସିୟସ ଟପିଯାଉଛି ତାପମାତ୍ରା । ପୁଣିଥରେ ଏପ୍ରିଲ ମାସରେ ରାଜଧାନୀ ଭୁବନେଶ୍ୱର ତାପମାତ୍ରା ୪୩ ଡିଗ୍ରୀ ଟପିଛି । ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ଆଜି ୪୩.୩ ଡିଗ୍ରୀ ରହିଛି । ଯାହା ଚଳିତ ବର୍ଷର ସର୍ବାଧିକ ତାପମାତ୍ରା । ଫଳରେ ଅସ୍ତବ୍ୟସ୍ତ ହୋଇଯାଇଛି ଜନଜୀବନ । ଗତ ୧୦ ବର୍ଷ ମଧ୍ୟରେ ୪ ଥର ୪୩ ଡିଗ୍ରୀ ଉପରକୁ ଯାଇଛି ତାପମାତ୍ରା । ୨୦୧୬ ଏପ୍ରିଲ ୧୧ ତାରିଖରେ ରାଜଧାନୀର ତାପାମାତ୍ରା ୪୫.୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିଲା । ଯାହା ହେଉଛି ସର୍ବକାଳୀନ ରେକର୍ଡ । ଚଳିତ ବର୍ଷ ଯଦି ଏହିପରି ଭାବେ ଭୁବନେଶ୍ୱରର ତାପମାତ୍ରା ବଢ଼ିଚାଲେ, ତେବେ ପୁରୁଣା ରେକର୍ଡ ଭାଙ୍ଗିଯିବା ଆଶଙ୍କା କରାଯାଉଛି ।

ଉତ୍ତର-ପଶ୍ଚିମ ଗରମ ବାୟୁ ପ୍ରବାହିତ ହେବା ତାତି ବଢିବାର କାରଣ କୁହାଯାଉଛି । ତେଣୁ ତାପମାତ୍ରା ବଢ଼ିବାରେ ଲାଗିଛି । କାଳବୈଶାଖୀ ଯୋଗୁଁ ଖରା ଦିନେ ତାପମାତ୍ରା ହ୍ରାସ ପାଇଥାଏ । ଚଳିତ ବର୍ଷ କାଳବୈଶାଖୀ ଅଭାବ ଯୋଗୁଁ ସ୍ଥିତି ଗମ୍ଭୀର ହେବାରେ ଲାଗିଛି ।

           ବର୍ଷା ନାହିଁ, ତାତି ବଢୁଛି

  • ଫେବ୍ରୁଆରୀ – ୮୯ % ବର୍ଷା କମ୍
  • ମାର୍ଚ୍ଚ – ୬୯ % ବର୍ଷା କମ୍
  • ଏପ୍ରିଲ (୨୦ ତାରିଖ ସୁଦ୍ଧା) – ୮୯ % ବର୍ଷା କମ୍

ଗତବର୍ଷ ଡିସେମ୍ବର ଓ ଜାନୁଆରୀ ମାସରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିଲା, ତେଣୁ ଫେବ୍ରୁଆରୀ ପର୍ଯ୍ୟନ୍ତ ତାପମାତ୍ରା ନିୟନ୍ତ୍ରଣରେ ରହିଥିଲା କିନ୍ତୁ ଫେବ୍ରୁଆରୀ, ମାର୍ଚ୍ଚ ଏବଂ ଏପ୍ରିଲ ମାସରେ ବର୍ଷା ଉଭାନ ହୋଇଯାଇଛି ତେଣୁ ତାପମାତ୍ରା ବଢ଼ିବାରେ ଲାଗିଛି । ଓଡ଼ିଶାର ଯେଉଁ କିଛି ଅଞ୍ଚଳରେ କାଳବୈଶାଖୀ ବର୍ଷା ହୋଇଛି, ସେଠାରେ ତାପମାତ୍ରା କିଛିଟା ହ୍ରାସ ପାଇଛି । ତେବେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ଭୁବନେଶ୍ୱର ସମେତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଅସହ୍ୟ ହୋଇଯାଇଛି ଜନଜୀବନ ।