ବଢ଼ିଲା ଭାରତୀୟ ନୌସେନାର ଶକ୍ତି । ସେନାରେ ସାମିଲ ହେଲା ଆଇଏନଏସ ବାଗିର । ବୁଡାଜାହାଜ ବଢାଇବ ସେନାର ଶକ୍ତି

103

କନକ ବ୍ୟୁରୋ: ବଢ଼ିଲା ଭାରତୀୟ ନୌସେନାର ଶକ୍ତି । ସମୁଦ୍ରରେ ବୃଦ୍ଧି ପାଇଲା ଭାରତର ଶକ୍ତି । କଲବରୀ ଶ୍ରେଣୀର ପଞ୍ଚମ ବୁଡ଼ାଜାହାଜ ଆଇଏନଏସ ‘ବାଗିର’ ଭାରତୀୟ ନୌସେନାରେ ସାମିଲ ହୋଇଛି । ଏହାର ନିର୍ମାଣ ମଝାଗାଁଓ ଡକ୍ ଶିପବିଲ୍ଡର୍ସ ବା ଏମଡିଏଲ ଫ୍ରାନ୍ସର ମେମର୍ସ ନାଭାଲ ଗ୍ରୁପ୍ ସହଯୋଗରେ କରାଯାଇଛି । ମୁମ୍ବାଇର ନାଭାଲ ଡକୟାର୍ଡରେ ନୌସେନା ମୁଖ୍ୟ ଆଡମିରାଲ ଆର୍ ହରି କୁମାରଙ୍କ ଉପସ୍ଥିତିରେ ଆଇଏନଏସ ‘ବାଗିର’ ନୌସେନାରେ ସାମିଲ ହୋଇଛି । ଏହି ବୁଡ଼ାଜାହାଜକୁ ‘ଶିକାରୀ’ ବୋଲି କୁହାଯାଉଛି । ଭାରତ ଏବଂ ଚୀନ ମଧ୍ୟରେ ବିବାଦ ବଢୁଥିବା ବେଳେ ଏହି ବୁଡାଜାହାଜ ନୌସେନାର ଶକ୍ତିକୁ ଦ୍ୱିଗୁଣିତ କରିବ ବୋଲି କୁହାଯାଉଛି ।

ନୌସେନାର ନୂଆ ‘ଶିକାରୀ’

  • କଲବରୀ ଶ୍ରେଣୀର ପଞ୍ଚମ ବୁଡାଜାହାଜ ‘ବାଗିର’
  • ଫ୍ରାନ୍ସର ମେସର୍ସ ନାଭାଲ ଗ୍ରୁପ ସହଯୋଗରେ ତିଆରି ହୋଇଛି ‘ବାଗିର’
  • ମୁମ୍ବାଇର ମଝାଗାଁଓ ଡକରେ ‘ବାଗିର’ର ନିର୍ମାଣ ହୋଇଛି
  • ସ୍ୱଦେଶୀ ଜ୍ଞାନକୌଶଳରେ ତିଆରି ହୋଇଛି ବାଗିର
  • ଆତ୍ମନିର୍ଭର ଭାରତର ପ୍ରତୀକ ‘ବାଗିର’
  • ‘ବାଗିର’ର ଅର୍ଥ ଫରାସୀ ଭାଷାରେ ‘ଶିକାରି’
  • ଦୁଇ ବର୍ଷରେ ତୃତୀୟ ବୁଡାଜାହାଜ ନୌସେନାରେ ସାମିଲ
  • ଅସ୍ତ୍ରଶସ୍ତ୍ରରେ ସଜିତ ହୋଇଛି ‘ଆଇଏନଏସ ବାଗିର’

ଏହି ବୁଡ଼ାଜାହାଜ ଶତ୍ରୁକୁ ପ୍ରତିହତ କରିବା ପାଇଁ ଭାରତୀୟ ନୌସେନାର କ୍ଷମତାକୁ ବୃଦ୍ଧି କରିବ । ଏହାସହ ସାମୁଦ୍ରିକ କ୍ଷେତ୍ରରେ ଭାରତର ଶକ୍ତିକୁ ମଧ୍ୟ ଆଗକୁ ବଢ଼ାଇବାରେ ସହାୟକ ହେବ । ସେହିପରି ବିପଦ ସମୟରେ ନିର୍ଣ୍ଣାୟକ ଯୁଦ୍ଧ ବେଳେ ଗୁଇନ୍ଦା, ସର୍ଭିଲାନ୍ସ ଓ ରିକୋନାସନ୍ସ ଅପରେସନରେ ମଧ୍ୟ ବେଶ୍ ସହାୟକ ହେବ । ନୌସେନାରେ ସାମିଲ ହୋଇଥିବା ଏହି ବୁଡ଼ାଜାହାଜରେ ସ୍ୱତନ୍ତ୍ର ଅପରେସନ୍ ପାଇଁ ସାମୁଦ୍ରିକ ଅବତରଣ କରିବାର କ୍ଷମତା ରହିଛି । ଏହାର ଶକ୍ତିଶାଳୀ ଡିଜେଲ ଇଞ୍ଜିନ ବ୍ୟାଟେରୀକୁ ଖୁବଶୀଘ୍ର ଚାର୍ଜ କରିଥାଏ । ଆତ୍ମରକ୍ଷା ପାଇଁ ଏଥିରେ ଅତ୍ୟାଧୁନିକ ଟରପିଡୋ ଡିକୟ ସିଷ୍ଟମ ଲଗାଯାଇଛି । ଭାରତ ମହାସାଗରରେ ଚୀନ୍ ନୌସେନାର ଉପସ୍ଥିତି ବଢ଼ୁଥିବାରୁ ଆଇଏନଏସ ‘ବାଗିର’କୁ ଭାରତୀୟ ନୌସେନାରେ ସାମିଲ୍ କରାଯାଇଛି ।

ଆଇଏନଏସ ‘ବାଗିର’ର ବିଶେଷତ୍ୱ?

  • ୧୦ କିଲୋମିଟର ପୂର୍ବରୁ ଶତ୍ରୁର ଗତିବିଧିର ଦେବ ସୂଚନା
  • ଷ୍ଟିଲଥ ଟେକ୍ନୋଲୋଜି ରହିବା ଦ୍ୱାରା ରାଡାରକୁ ଦେବ ଚକମା
  • ଏହା ଶତ୍ରୁର ଯୁଦ୍ଧପୋତ, ମିଜାଇଲ୍ ଓ ବୁଡ଼ାଜାହାଜକୁ କରିବ ନଷ୍ଟ
  • ଟରପିଡୋ ଓ ଆଂଟିଶିପ୍ ମିଜାଇଲ ଦ୍ୱାରା ଆକ୍ରମଣ କରିଥାଏ
  • ଗଭୀର ସମୁଦ୍ର ଭିତରେ ମାଇନ୍ସ ବିଛାଇବାରେ ହୋଇଥାଏ ସକ୍ଷମ
  • ୩୫୦ ମିଟର ଗଭୀରତାରେ ଶତ୍ରୁର ସନ୍ଧାନ କରିଥାଏ

୨୦୧୭ ଡିସେମ୍ବରରେ ପ୍ରଥମ ଆଇଏନଏସ କଲବରୀ ଭାରତୀୟ ନୌସେନାରେ ସାମିଲ ହୋଇଥିଲା । ୨୦୧୯ରେ ଦ୍ୱିତୀୟ ବୁଡ଼ାଜାହାଜ ‘ଖଣ୍ଡେରୀ’, ୨୦୨୧ ମାର୍ଚ୍ଚରେ ଆଇଏନଏସ ‘କରଞ୍ଜ’ ଏବଂ ୨୦୨୧ ଡିସେମ୍ବରରେ ଆଇଏନଏସ ‘ବେଲା’ ନୌସେନାରେ ସାମିଲ ହୋଇଥିଲା । ଷଷ୍ଠ ଓ ଶେଷ ବୁଡ଼ାଜାହାଜ ଚଳିତ ବର୍ଷ ଶେଷରେ ନୌସେନାରେ ସାମିଲ ହେବା ନେଇ ସୂଚନା ରହିଛି ।