ବିନା ବୟଫ୍ରେଣ୍ଡରେ କଲେଜ ମନା! ମିଛ ନୋଟିସକୁ ନେଇ ପ୍ରବଳ ପ୍ରତିକ୍ରିୟା

301

କନକ ବ୍ୟୁରୋ: କଲେଜ ପ୍ରିନ୍ସିପାଲଙ୍କ ନାଁରେ ଭାଇରାଲ ହେଉଥିବା ନୋଟିସକୁ ନେଇ ଏହି ଛାତ୍ରୀମାନଙ୍କ ଭିତରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି । ମିଛ ନୋଟିସ ହୋଇଥିଲେ ମଧ୍ୟ ଏହାକୁ ରୋକିବା ଦିଗରେ କିଭଳି ପଦକ୍ଷେପ ନିଆଯିବ, ତାକୁ ନେଇ ଚିନ୍ତାରେ କଲେଜର ଛାତ୍ରୀମାନେ । ଜଗତସିଂହପୁର ସ୍ୱାମୀ ବିବେକାନନ୍ଦ ସ୍ମାରକୀ ସ୍ୱଂୟଶାସିତ ମହାବିଦ୍ୟାଳୟ ବା ଏସଭିଏମ ଅଟୋନୋମସ୍ କଲେଜର ନକଲି ନୋଟିସ । ଏଥିରେ ଭାଲେଂଟାଇନ୍ସ ଡେରୁ ଅର୍ଥାତ ଫେବ୍ରୁଆରୀ ୧୪ରୁ ପ୍ରତ୍ୟେକ ଛାତ୍ରୀ ଜଣେ ପୁରୁଷ ବନ୍ଧୁଙ୍କୁ ବାଛିବା ପାଇଁ କୁହାଯାଇଛି । ଏପରିକି ବୟଫ୍ରେଣ୍ଡ ନଥିବା ଛାତ୍ରୀଙ୍କୁ କଲେଜରେ ପ୍ରବେଶ ଅନୁମତି ମିଳିବ ନାହିଁ ବୋଲି ଉଲ୍ଲେଖ ଅଛି । ବୟଫ୍ରେଣ୍ଡଙ୍କ ସହ ଫଟୋ ଉଠାଇ ଛାତ୍ରୀମାନେ ପରିଚୟପତ୍ର ଭଳି କଲେଜ ପ୍ରବେଶ ଦ୍ୱାରରେ ଦେଖାଇ ପ୍ରବେଶ କରିବେ ବୋଲି ମଧ୍ୟ ଏଥିରେ ଲେଖାଯାଇଛି । ସବୁଠୁ ବଡକଥା ହେଉଛି ନୋଟିସ ଶେଷରେ କଲେଜର ପ୍ରିନ୍ସିପାଲଙ୍କ ଦସ୍ତଖତ ରହିଛି । ଏହାକୁ ଏକ ଫେକ ନୋଟିସ ବୋଲି କହି ପ୍ରବଳ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କଲେଜର ଛାତ୍ରୀ ।

ଏ ସଂପର୍କରେ କଲେଜ ପ୍ରିନ୍ସିପାଲଙ୍କୁ ପଚାରିବାରୁ ନୋଟିସଟି ସଂପୂର୍ଣ୍ଣ ମିଛ ବୋଲି ସେ ପ୍ରତିକ୍ରିୟାରେ କହିଛନ୍ତି । ଏନେଇ ପୋଲିସକୁ ସୂଚନା ଦିଆଯିବ ବୋଲି ମଧ୍ୟ କହିଛନ୍ତି ଏସଭିଏମ ସ୍ୱଂୟ ଶାସିତ ମହାବିଦ୍ୟାଳୟର ପ୍ରନ୍ସିପାଲ ବିଜୟ କୁମାର ମହାପାତ୍ର । ଗ୍ରୁପରେ ପିଲାଙ୍କ ପାଇଁ ଜାରି ହେଉଥିବା ନୋଟିସକୁ ଜାଲିଆତି କରି ଏଭଳି ଫେକ ନୋଟିସ ତିଆରି କରାଯାଇ ଥାଇପାରେ ବୋଲି ସେ ପ୍ରତିକ୍ରିୟାରେ ରହିଛନ୍ତି ।

ଏବେ ପ୍ରଶ୍ନ ଉଠୁଛି କିଏ ସେହି ଦୁର୍ବୃତ ଯିଏ ଏଭଳି ଏକ ନୋଟିସକୁ ଭାଇରାଲ କରିଛି । ମହିଳାଙ୍କ ସମ୍ମାନ ହାନୀ ହେଲାଭଳି ଏକ ଆପତିଜନକ ବିଜ୍ଞପ୍ତି ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଥିଲେ ବି କେହି କିଛି ପଦକ୍ଷେପ ନେଉ ନାହାନ୍ତି କାହିଁକି ।

କଲେଜ ପ୍ରିନ୍ସିପାଲଙ୍କ ଦସ୍ତଖତକୁ ଜାଲି କରି କିଏ ଭାଇରାଲ କରୁଛି ନୋଟିସ୍?
ଭାଇରାଲ ନୋଟିସ ବାବଦରେ କଲେଜ କର୍ତୃପକ୍ଷ କେବେ ଜାଣିବାକୁ ପାଇଲେ?
ନୋଟିସ ଯେମିତି ଆଗକୁ ଭାଇରାଲ ନହୁଏ ସେଥିପାଇଁ କଣ ପଦକ୍ଷେପ ନେଇଛନ୍ତି?
ଆଗକୁ ଏଭଳି କାରନାମା ଉପରେ ରୋକ ଲଗାଇବାକୁ କଣ କରିବ କଲେଜ?