ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍ ପୂର୍ବରୁ କଙ୍ଗାରୁ ଦଳକୁ ବଡ ଝଟକା । ପ୍ରଥମ ଟେଷ୍ଟ ଖେଳିବେନି ଏହି ଷ୍ଟାର ବୋଲର…

125

କନକ ବ୍ୟୁରୋ: ଭାରତ ଓ ଅଷ୍ଟ୍ରେଲିଆ ଭିତରେ ଖେଳାଯିବାକୁ ଥିବା ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବାକୁ ଅଛି । ଆସନ୍ତା ଫେବ୍ରୁଆରୀ ୯ ତାରିଖରେ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯିବ । ହେଲେ ଏହି ସିରିଜ୍ ଆରମ୍ଭ ହେବା ପୂର୍ବରୁ ଅଷ୍ଟ୍ରେଲିଆକୁ ଲାଗିଛି ବଡ ଝଟକା । ଦଳର ଷ୍ଟାର ବୋଲର ଜୋଶ୍ ହେଜେଲଉଡ୍ ଆହତ ହୋଇ ପ୍ରଥମ ଟେଷ୍ଟରୁ ବାଦ୍ ପଡିଛନ୍ତି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ମୁତାବକ, ଜୋଶ ହେଜେଲଉଡ୍ ଏବେ ସମ୍ପୂର୍ଣ୍ଣ ଆହତ ଅବସ୍ଥାରୁ ମୁକୁଳିପାରିନାହାଁନ୍ତି । ଏହି କାରଣରୁ ତାଙ୍କୁ ପ୍ରଥମ ଟେଷ୍ଟରୁ ବାଦ୍ ଦିଆଯାଇଛି । ଏମିତିକି ଦିଲ୍ଲୀ ଟେଷ୍ଟ ମଧ୍ୟ ସେ ଖେଳିନପାରନ୍ତି ବୋଲି କୁହାଯାଉଛି । ଯାହାକି ଅଷ୍ଟ୍ରେଲିଆ ପାଇଁ ଖରାପ ଖବର ହୋଇପାରେ । ଏହା ପୂର୍ବରୁ ବେଙ୍ଗାଲୁରୁରେ ହୋଇତିବା ପ୍ରାଟିସ୍ କ୍ୟାମ୍ପରେ ମଧ୍ୟ ସେ ଯୋଗ ଦେଇନଥିଲେ । ଏଙି ସମୟରେ ସେ ସାଥୀ ଖେଳାଳିଙ୍କର ସାହାଯ୍ୟ କରିଥିବା କେବଳ ଦେଖିବାକୁ ମିଳିଥିଲା ।

ଜୋଶ୍ ହେଜେଲଉଡଙ୍କ ପୂର୍ବରୁ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ମଧ୍ୟ ପ୍ରଥମ ଟେଷ୍ଟରୁ ବାଦ୍ ପଡିସାରିଛନ୍ତି । ତେଣୁ ଦ୍ରୁତ ବୋଲିଂ କ୍ଷେତ୍ରରେ ଅଷ୍ଟ୍ରେଲିଆ ଦଳ ଏହି ଦୁଇ ଷ୍ଟାର ବୋଲରଙ୍କୁ ନିଶ୍ଚୟ ମିସ୍ କରିବ । ସୂଚନାଯୋଗ୍ୟ ଯେ, ଭାରତ ଓ ଅଷ୍ଟ୍ରେଲିଆ ଭିତରେ ଫେବ୍ରୁଆରୀ ୯ ତାରିଖରୁ ଟେଷ୍ଟ ସିରିଜ୍ ଖେଳାଯିବାକୁ ଅଛି । ଯାହାକି ନାଗପୁରରେ ଖେଳାଯିବ । ଏହାପରେ ଦିଲ୍ଲୀରେ ଦ୍ୱିତୀୟ, ଧର୍ମଶାଳାରେ ତୃତୀୟ ଓ ଅହମ୍ମଦାବାଦରେ ଚତୁର୍ଥ ଟେଷ୍ଟ ଖେଳାଯିବ ।