ବାହାଘର ବେଳେ ନବ ଦମ୍ପତ୍ତି ନେଲେ ଏଭଳି ଶପଥ । ଏବେ ଚାରିଆଡୁ ମିଳୁଛି ପ୍ରଶଂସା ଓ ଆଶୀର୍ବାଦ

362

କନକ ବ୍ୟୁରୋ: ବାହାହୋଇ ପୁରା ସମାଜକୁ ଦିଗଦର୍ଶନ ଦେଲେ ନବଦମ୍ପତ୍ତି । ବାହାଘରରେ ପୁଳା ପୁଳା ଟଙ୍କା ଖର୍ଚ୍ଚ କରି ବାହାବା ନେବାକୁ ଚାଁହୁଥିବା ଲୋକଙ୍କୁ କଡା ଜବାବ ଦେଲେ ଠିକଣା ଉତ୍ତର ଦେଇଛନ୍ତି ଦୁଇ ଅଫିସର ଯୋଡି । ଭାରତୀୟ ଡ଼ାକସେବାର ଅଧିକାରୀ ଶିବମ୍ ତ୍ୟାଗୀ ଓ ଭାରତୀୟ ରାଜସ୍ୱ ସେବାର ଅଧିକାରୀ ଥିବା ଆର୍ୟ୍ୟା ନାୟର ଜାନୁୟାରୀ ୨୭ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଉଭୟ କେରଳର କୋଟ୍ଟାୟମରେ ବିବାହ କରିଛନ୍ତି ଜ୍ଝ ବିବାହ ପରେ ଏମିତି ଏକ ଶପଥ ନେଇଛନ୍ତି ଯାହାକୁ ନେଇ କେବଳ ଦୁହିଁଙ୍କ ପରିବାର ଭିତରେ ନୁହେଁ ବରଂ ପୁରା ଇଲାକାରେ ଚର୍ଚ୍ଚା ଜୋର ଧରିଛି ।

ଶିବମ୍ ଓ ଆର୍ୟ୍ୟା ଘରେ ବା କୌଣସି ମଣ୍ଡପରେ ଆଡମ୍ବରରେ ବିବାହ ନକରି ସବ୍-ରେଜିଷ୍ଟ୍ରର ଅଫିସରେ ବିବାହ କରିଥିଲେ । ଉଭୟ ନିଷ୍ପତ୍ତି ନେଇଥିଲେ ଯେ ବଡ ଆକାରରେ ବିବାହ ଉତ୍ସବ କରି ଟଙ୍କା ଖର୍ଚ୍ଚ କରିବେ ନାହିଁ ବରଂ ସେହି ଟଙ୍କା ସହ ନିଜ ଦରମାକୁ ମିଶାଇ ଏକ ଅନାଥାଶ୍ରମର ୨୦ ଜଣ ପିଲାଙ୍କ ପାଠପଢା ଖର୍ଚ୍ଚ ବହନ କରିବାକୁ ଶପଥ ନେଇଛନ୍ତି ।୨୦୨୧ ବ୍ୟାଚର ଆଇଆରଏସ ଅଧିକାରୀ ଆର୍ୟ୍ୟା କହିଛନ୍ତି ମୋର ବାପା, ମା’ ସରକାରୀ ସେବାରୁ ଅବସର ନେଇଛନ୍ତି। ପ୍ରଥମେ ସେମାନେ ଆମର ଏଭଳି ନିରାଡ଼ମ୍ବର ବିବାହକୁ ପସନ୍ଦ କରି ନଥିଲେ ।ହେଲେ ପରେ ଏହାର ମହତ୍ତ୍ୱକୁ ବୁଝି ସହମତି ପ୍ରକାଶ କଲେ ।

ଇଞ୍ଜିନିୟରିଂରେ ସ୍ନାତକ କରିଥିବା ଆର୍ୟ୍ୟା କହିଛନ୍ତି ଯେ ତାଙ୍କ ନିଷ୍ପତ୍ତି ସମାଜର ଏପରି ବର୍ଗଙ୍କୁ ପ୍ରେରଣା ଦେବ ଯେଉଁମାନେ ବିପୁଳ ଟଙ୍କା ଖର୍ଚ୍ଚ କରି ବିବାହ କରିବାକୁ ଚାଁହୁଛନ୍ତି । ଆଗାମୀ ବର୍ଷରେ ମଧ୍ୟ ଆମେ ଅନାଥ ଆଶ୍ରମର ଛାତ୍ରମାନଙ୍କୁ ସେମାନଙ୍କର ପାଠପଢା ଖର୍ଚ୍ଚ ଦେବାରେ ସାହାଯ୍ୟ କରିବୁ ବୋଲି ଦୁହେଁ କହିଛନ୍ତି ।