୬୦ ବର୍ଷରେ ଚୀନ ଜନସଂଖ୍ୟାରେ ଐତିହାସିକ ହ୍ରାସ

175

କନକ ବ୍ୟୁରୋ : ଚୀନ ଜନସଂଖ୍ୟାରେ ଐତିହାସିକ ହ୍ରାସ । ବିଦେଶୀଙ୍କୁ ବାଦ୍ ଦେଇ ଚୀନ୍‌ର ଜନସଂଖ୍ୟା ୨୦୨୨ରେ ୮୫୦,୦୦୦ ହ୍ରାସ ପାଇ ୧୪୧ କୋଟିରେ ପହଞ୍ଚିଛି ବୋଲି ଷ୍ଟାଟିଷ୍ଟିକ୍ସ ବ୍ୟୁରୋ ପ୍ରକାଶ କରିଛି । ଏହି ରିପୋର୍ଟ ଅନୁସାରେ, ମୂଳ ଚୀନ୍‌ର ଜନସଂଖ୍ୟା ୨୦୨୧ ଶେଷସୁଦ୍ଧା ୪୮୦,୦୦୦ ବୃଦ୍ଧି ପାଇ ୧୪୧ କୋଟି ହୋଇଥିଲା । ୨୦୨୧ରେ ନୂତନ ଜନ୍ମହାର ୧୩ ପ୍ରତିଶତ କମିଥିବା ବେଳେ ୨୦୨୦ରେ ଏହା ୨୨ ପ୍ରତିଶତ ହ୍ରାସ ପାଇଥିଲା । ଇତିମଧ୍ୟରେ ଦେଶର ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଡିସେମ୍ବର ୮, ୨୦୨୨ରୁ ଜାନୁଆରି ୧୨, ୨୦୨୩ ଭିତରେ କୋଭିଡ୍‌-୧୯ ସଂକ୍ରମଣ ହେତୁ ପ୍ରାୟ ୬୦,୦୦୦ ଲୋକଙ୍କର ମୃତ୍ୟୁ ହୋଇଛି ।

ପୂର୍ବରୁ ଚୀନ୍ ରିପୋର୍ଟ କରିଥିଲା ଯେ, ୧୯୬୦ ଦଶକରେ ଦେଶରେ ଜନସଂଖ୍ୟାର ବିଯୁକ୍ତାତ୍ମକ ବୃଦ୍ଧି ଘଟିଥିଲା । ଚୀନ୍‌ର ଏକ ସନ୍ତାନ ନୀତିର ସମାଲୋଚକ ତଥା ‘ବିଗ୍ କଣ୍ଟ୍ରି ୱିଥ୍ ଆନ୍ ଏମ୍ପ୍‌ଟି ନେଷ୍ଟ’ ପୁସ୍ତକର ଲେଖକ ୟି ଫୁକ୍ସିଆନ ଏହି ସୂଚନା ଦେଇଚନ୍ତି । ଜନସଂଖ୍ୟାରେ ଏହି ହ୍ରାସ ଚୀନ୍‌ରେ ଜନସାଂଖ୍ୟିକ ସଂକଟର ସୂଚକ ହୋଇପାରେ। ଗତବର୍ଷ ଜନ୍ମହାରଠାରୁ ମୃତ୍ୟୁହାର ଅଧିକ ହୋଇଥିଲା, ଯାହା ୬୦ ବର୍ଷରେ ପ୍ରଥମ । ନ୍ୟାସନାଲ ବ୍ୟୁରୋ ଅଫ୍ ଷ୍ଟାଟିଷ୍ଟିକ୍ସର ତଥ୍ୟ ଅନୁସାରେ ୨୦୨୨ରେ ଚୀନ୍‌ରେ ୯୫.୬ ଲକ୍ଷ ପିଲା ଜନ୍ମଗ୍ରହଣ କରିଥିବା ବେଳେ ୧୦୪.୧ ଲକ୍ଷ ଲୋକ ମୃତ୍ୟୁବରଣ କରିଛନ୍ତି । ଏହା ପୂର୍ବରୁ ୧୯୬୦ ଦଶକରେ ଅର୍ଥନୈତିକ ପରୀକ୍ଷା-ନିରୀକ୍ଷାରେ ମାଓ ସେ ତୁଙ୍ଗଙ୍କ ବିଫଳତା ଯୋଗୁ ବ୍ୟାପକ ମରୁଡ଼ି ପଡ଼ିବା ଓ ବହୁସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହେବା ଯୋଗୁ ଜନସଂଖ୍ୟାରେ ହ୍ରାସ ଦେଖାଦେଇଥିଲା ।

ବର୍ତ୍ତମାନ ଜନ୍ମହାର ହ୍ରାସ ପାଇଥିବା ବେଳେ ଜୀବନ ସମ୍ଭାବ୍ୟତା ମଧ୍ୟ ବୃଦ୍ଧି ପାଇଥିବାରୁ ଚୀନ୍‌ ଏକ ଜନସାଂଖ୍ୟିକ ସଂକଟ ଦେଇ ଗତି କରିବା ନିଶ୍ଚିତ । ଅର୍ଥନୀତି ମଧ୍ୟ ତାହାଦ୍ବାରା ପ୍ରଭାବିତ ହେବ। କେବଳ ଚୀନ୍ ନୁହେଁ ସାରା ବିଶ୍ବରେ ଏପରି ସଂକଟ ଆସିବାକୁ ଯାଉଛି । ଦେଶରେ କାର୍ଯ୍ୟୋତ୍ସାହୀ ପ୍ରାଣବନ୍ତ ଯୁବକଙ୍କ ଅପେକ୍ଷା ସ୍ଥବିର ବୃଦ୍ଧମାନଙ୍କ ସଂଖ୍ୟା ‌ଅଧିକ ହେବ ।