ଦେଶର ଏପରି ଟ୍ରେନ୍, ଯେଉଁଥିରେ ନାହିଁ ଟିକେଟ୍ ଟେନସନ୍, କିମ୍ବା ଟିଟିଇ ଡର ।

276

କନକ ବ୍ୟୁରୋ: ଦେଶରେ ଏଭଳି ଟ୍ରେନ୍ ଚାଲୁଛି । ଯେଉଁଥିରେ ବର୍ଷକ ୧୨ ମାସ ମାଗଣାରେ ଯାତ୍ରା କରୁଛନ୍ତି ଯାତ୍ରୀ । ତାହା ପୁଣି କିଛି ବର୍ଷ ନୁହେଁ ବରଂ ଗତ ୭୫ ବର୍ଷ ଧରି ଦେଶରେ ଚାଲୁଛି ଏହି ଟ୍ରେନ୍ । ଏହା ହିମାଚଳପ୍ରଦେଶ, ପଞ୍ଜାବ ସୀମାର ଭାକ୍ରା- ନଙ୍ଗଲ ମଧ୍ୟରେ ଚଳାଚଳ କରୁଛି ।ଏଥିରେ ଯାତ୍ରା କରିବାକୁ ଯାତ୍ରୀଙ୍କର ନାଁ ଅଛି ଟିକେଟ୍ ଟେନସନ୍ ନ ଅଛି ଟିଟିଇଙ୍କ ଡର । ଯାତ୍ରାବି ପୁରା ସାନଦାର ।

ଟ୍ରେନ, ବସ୍ କି କୌଣସି ପବ୍ଲିକ୍ ଟ୍ରାନ୍ସପୋର୍ଟ ହେଉ ସବୁଥିରେ ଯାତ୍ରା କରିବାକୁ କିଛି ନା କିଛି ପାଉଣା ଦେବାକୁ ପଡେ । ଯଦି ଆପଣଙ୍କୁ କୁହାଯିବ ଯେ ଏଭଳି ବି ଟ୍ରେନ୍ ଚାଲୁଛି ଯେଉଁଥିରେ ଯିବା ଆସିବା ପୁରା ମାଗଣା, ତାହେଲେ ସେଥିରେ ଯାତ୍ରା କରିବାକୁ ଆପଣ ନିଶ୍ଚୟ ମନ ବଳାଇବେ । କଥାଟା ଟିକେ ଅଡୁଆ ଲଗିଲେ ବି ପୁରା ସତ । ଆମ ଦେଶରେ ଗତ ୭୫ ବର୍ଷ ହେବ ଏଭଳି ଏକ ଟ୍ରେନ୍ ଚାଲୁଛି କରୁଛି ଯେଉଁଥିରେ ଗଲେ ଆପଣଙ୍କୁ ଟଙ୍କାଟିଏ ବି ଦେବାକୁ ପଡିବନି । ପୁରା ପ୍ରାକୃତିକ ପରିବେଶ ଭିତରେ ଆପଣ ଯାଇପାରିବେ ।

ଆମ ଦେଶରେ ରେଲୱେ ଗତ ୭୫ ବର୍ଷ ହେବ ଏହି ସେବା ଯୋଗାଇଆସୁଥିଲେ ବି ଅନେକ ଲୋକ ଏବିଷୟରେ ଜାଣିନାହାଁନ୍ତି । ଏହି ଟ୍ରେନ ଚଳାଚଳର ଦାୟିତ୍ୱ ଭାକ୍ରା ବ୍ୟାସ ପ୍ରବନ୍ଧନ ରେଲୱେ ବୋର୍ଡ କରିଆସୁଛି । ଏହା ଶିବାଲିକ୍ ପାହାଡିଆ ଇଲାକାର ୧୩ କିଲୋମିଟର ଯାଏଁ ଯାତ୍ରା କରିଥାଏ । ଏବଂ ବିଶ୍ୱର ସର୍ବୋଚ୍ଚ ଭାକ୍ରା ଡ୍ୟାମ ନିର୍ମିତ ହୋଇଥିବା ସତଲୁଜ୍ ନଦୀକୁ ପାରକରିଥାଏ ।

ଏହି ଟ୍ରେନ୍ ୧୯୪୮ ମସିହାରୁ ଚଳାଚଳ କରୁଛି । ଭାକ୍ରା ନଙ୍ଗଲ ନଦୀବନ୍ଧ ପୁରା ବିଶ୍ୱରେ ସର୍ବୋଚ୍ଚ ନଦୀବନ୍ଧ ଅଟେ । ଏହାକୁ ଦେଖିବାକୁ ଦୂରଦୂରାନ୍ତରୁ ପର୍ଯ୍ୟଟକ ଆସିଥାନ୍ତି । ୧୯୪୮ ସମୟରେ ଯେତେବେଳେ ଭାକ୍ରା ଡ୍ୟାମ ନିର୍ମାଣ କରାଗଲା ସେ ସମୟରେ ଏକ ବିଶେଷ ରେଲୱେର ଆବଶ୍ୟକତା ଥିଲା । କାରଣ ସେତେବେଳେ ନଙ୍ଗଲ ଭାକ୍ରାକୁ ସଂଯୋଗ କରିବାକୁ କୌଣସି ପରିବହନ ବ୍ୟବସ୍ଥା ନଥିଲା । ତେଣୁ ପ୍ରଥମ କରି ୧୯୪୮ରେ ବାଷ୍ପଚାଳିତ ଟ୍ରେନ୍ ଚାଲିଥିଲା । ଏହାପରେ ୧୯୫୩ରେ ଆମେରିକାରୁ ଅଣାଯାଇଥିବା ଅତ୍ୟାଧୁନିକ ଇଞ୍ଜିନ୍ ଚାଲିଲା । ସେବେଠୋରୁ ଭାରତୀୟ ରେଲୱେର ୫ଟି ଭ୍ୟାରିଆଣ୍ଟ ଲଞ୍ଚ କରାଗଲାଣି । ହେଲେ ଏବେବି ଏହି ଟ୍ରାକରେ ୬୦ ବର୍ଷ ପୁରୁଣା ପୁରୁଣା ଇଂଜିନ୍ ବ୍ୟବହାର କରାଯାଉଛି ।

ଏହି ଟ୍ରେନ ପାକିସ୍ତାନ କରାଚିରେ ନିର୍ମିତ ହୋଇଥିଲା । ଏହାର ଇଣ୍ଟେରିଅର ବି ବେଶ୍ ଆକର୍ଷଣୀୟ । ସିଟଠାରୁ ର୍ୟାକ୍ ସବୁକିଛି କାଠରେ ତିଆରି ।ଏହା ଘଣ୍ଟାକୁ ୧୮ରୁ ୨- ଗ୍ୟାଲନ୍ ଇନ୍ଧନ ଆବଶ୍ୟକ ହେଉଥିଲେ ବି ଏଥିରେ ଯାତ୍ରାକୁ ମାଗଣା କରିବାକୁ ନିଷ୍ପତ୍ତି ନେଇଥିଲେ ଭାକ୍ରା ବ୍ୟାସ ପ୍ରବନ୍ଧନ ବୋର୍ଡ । ଏଥିରେ ବେଶ୍ ମଜାରେ ଯାତ୍ରା କରନ୍ତି ସ୍କୁଲ ଛାତ୍ରଛାତ୍ରୀ । ତେବେ ଏହି ଟ୍ରେନରେ ଯାତ୍ରାର ମଜା ଉଠାଇବାକୁ ସ୍ଥାନୀୟ ଲୋକେ ବେଶ୍ ପସନ୍ଦ କରନ୍ତି । ଭାକ୍ରା ଡ୍ୟାମ ବୁଲିବା ସହ ବିଶେଷ କରି ଏହି ଟ୍ରେନରେ ଯାତ୍ରା କରିବା ମଧ୍ୟ ପର୍ଯ୍ୟଟକଙ୍କ ଆଉ ଏକ ପସନ୍ଦ ।