ସ୍ୱଦେଶୀ ଖେଳନା ମେଳାକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ।  କହିଲେ ସ୍ୱଦେଶୀ ଖେଳନା ନିର୍ମାଣରେ ଭାରତ ହେବ ଅତ୍ମନିର୍ଭର । ହଜାର ହଜାର ବେକାରୀଙ୍କୁ ଯୋଗାଇବ ରୋଜଗାର ।

112

କନକ ବ୍ୟୁରୋ : ଆତ୍ମନିର୍ଭର ଭାରତ ପାଇଁ ସ୍ୱଦେଶୀ ଖେଳନା ନିର୍ମାଣ ଏକ ବଡ ଭୂମିକା ନିଭାଇବାକୁ ଯାଉଛି । ଏହାଦ୍ୱାରା ଦେଶର ହଜାର ହଜାର ବେକାରୀ ରୋଜଗାର ପାଇପାରିବେ । ଖେଳନା ମେଳା-୨୦୨୧ କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରି ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି କି ସ୍ୱଦେଶୀ ଖେଳନାର ଚାହିଦା ବୃଦ୍ଧି ପାଇଁ ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ଦେଶରେ ଖେଳନା ଉଦ୍ୟୋଗକୁ ନୂଆ ବିକାଶ ନୀତି ଦେବା ପାଇଁ ସରକାରଙ୍କ ତରଫରୁ ଉଦ୍ୟମ ଜାରି ରହିଛି । ତେଣୁ ଦେଶର ଯୁବବର୍ଗ ସ୍ୱଦେଶୀ ଖେଳନା ନିର୍ମାଣ କ୍ଷେତ୍ରରେ ନିଜର କ୍ୟାରିୟର ଆରମ୍ଭ କଲେ ନିଶ୍ଚିନ୍ତ ଲାଭବାନ ହେବେ ବୋଲି ପ୍ରଧାନମନ୍ତ୍ରୀ କହିବା ସହ ଖେଳନା ନିର୍ମାଣ ବେଳେ ଯଥାସମ୍ଭବ କମ୍ ପ୍ଲାଷ୍ଟିକ୍ ବ୍ୟବହାର କରିବାକୁ ସେ ଉପଦେଶ ଦେଇଛନ୍ତି ।

ଅନ୍ୟପଟେ ବାହାର ଦେଶରୁ ଖେଳନା ଆମଦାନୀ ଦେଶର ଖେଳନା ଉଦ୍ୟୋଗ ଉପରେ ନକରାତ୍ମକ ପ୍ରଭାବ ପକାଇବା ସହ ସ୍ୱଦେଶୀ ଖେଳନାର ଚାହିଦା ଉପରେ ଏହା ପ୍ରଭାବ ପକାଉଛି । ସୂଚନାଯୋଗ୍ୟ, ଫେବୃଆରୀ ୨୭ ତାରିଖରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ ଏହି ସ୍ୱଦେଶୀ ଖେଳନା ମେଳା ଅନୁଷ୍ଠିତ ହେବ । ଏହି ମେଳାରେ  ହଜାରରୁ ଅଧିକ ଖେଳନା ନିର୍ମାତା କମ୍ପାନୀ ମାନେ ଯୋଗ ଦେଇଛନ୍ତି । ଏହି ମେଳାକୁ ଆସୁଥିବା ଗ୍ରାହକ ମାନଙ୍କ ସହିତ କମ୍ପାନୀର ଅଧିକାରୀ ମାନେ ସିଧାସଳଖ ଆଲୋଚନା କରି ସେମାନଙ୍କର ଆବଶ୍ୟକତା ବୂୁଝିବେ ।

କହିରଖୁ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତ୍ମନିର୍ଭର ଭାରତ ଯୋଜନାକୁ ଗୁରୁତ୍ୱ ଦେଇଛନ୍ତି । ଏହି କ୍ରମରେ ବାହାର ଦେଶରୁ ଆସୁଥିବା ବିଭିନ୍ନ ସାମଗ୍ରୀ କିଭଳି ଦେଶ ଭିତରେ ନିର୍ମାଣ କରାଯାଇ ପାରିବ ଓ ଏହାକୁ ନେଇ ଦେଶର ଯୁବକ କଭଳି ରୋଜଗାର ପାଇ ପାରିବ ତାହା ଉପରେ ଫୋକସ କରିବାକୁ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।