ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପରେ ପଶ୍ଚିମବଙ୍ଗରେ ହିଂସାକାଣ୍ଡ : ଉତ୍ତର ୨୪ ପ୍ରଗଣାରେ ବିଜେପି କାର୍ଯ୍ୟାଳୟରେ ପଶି ଟିଏମସି କର୍ମୀଙ୍କ ଭଙ୍ଗାରୁଜା ଅଭିଯୋଗ

ସମୀକ୍ଷକ କହିଲେ, ଆଗକୁ ଆହୁର ଉତ୍କଟ ହେବ ରାଜନୀତିର ରକ୍ତ ଚରିତ୍ର

279

କନକ ବ୍ୟୁରୋ : ପଶ୍ଚିମବଙ୍ଗ ସମେତ ୫ଟି ରାଜ୍ୟ ପାଇଁ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ପୁଣି ଦେଖିବାକୁ ମିଳିଛି ରାଜନୀତିର ରକ୍ତ ଚରିତ୍ର । ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣାରେ ଥିବା ବିଜେପିର ଏକ କାର୍ଯ୍ୟାଳୟରେ ପଶି ଟିଏମସି କର୍ମୀମାନେ ବ୍ୟାପକ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ପୋଲିସ ପହଂଚି ମାମଲାର ଛାନଭିନ ଚଳାଇଛି । ବିଜେପି କର୍ମୀମାନେ ଯେଭଳି ପ୍ରତିକ୍ରିୟାଶୀଳ ହୋଇ କୌଣସି ଅଘଟଣ ନକରନ୍ତି, ସେଥିପାଇଁ ସତର୍କ ଦୃଷ୍ଟି ରଖାଯାଇଛି । ହେଲେ ପଶ୍ଚିମବଙ୍ଗରେ ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେପି ଓ ଟିଏମସି ମଧ୍ୟରେ ଏହିଭଳି ହିଂସା ଓ ରକ୍ତପାତ ବଢିବାରେ ଲାଗିଛି ।

ରାଜନୀତି ସମୀକ୍ଷକଙ୍କ ମତରେ ପଶ୍ଚିମବଙ୍ଗରେ ରାଜନୀତିର ଏହି ରକ୍ତ ଚରିତ୍ର ଆଗକୁ ଆହୁରି ସାଂଘାତିକ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟରେ ବିଧାନସଭା ନିର୍ବଚନ କରିବାକୁ ଘୋଷଣା କରିଛନ୍ତି ନିର୍ବାଚନ କମିଶନ୍ । ପଶ୍ଚିମବଙ୍ଗ ନିର୍ବାଚନକୁ ହିଂସାମୁକ୍ତ ଓ ନିରପେକ୍ଷ ଭାବେ ସଂପାଦନ କରିବା କମିଶନଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବାକୁ ଯାଉଛି । କୁହାଯାଉଛି ରାଜ୍ୟରେ ୭୦ ଦଶକରେ ବାମଦଳର ଅଭ୍ୟୁଦୟ ସମୟରେ ଏହିଭଳି ହିଂସାକାଣ୍ଡ ଦେଖିବକୁ ମିଳୁଥିଲା ।

ସେହିପରି ୯୦ ଦଶକରେ ଟିଏମସିର ଉତଥାନ ରାଜ୍ୟରେ ହିଂସା ଓ ରକ୍ତପାତକୁ ବଢାଇ ଦେଇଥିଲା । ରାଜ୍ୟରେ ପରିବର୍ତନର ନାରା ଦେଇ ୨୦୧୧ରେ ମମତା ବାନାର୍ଜୀ କ୍ଷମତାକୁ ଆସିଲେ । ହେଲେ ୨୦୧୯ ଲୋକସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିବା ବିଜେପି ଆଗାମୀ ବିଧାନସଭା ନିର୍ବାଚନରେ ଟିଏମସିକୁ କଡା ଟକ୍କର ଦେବ । ତେଣୁ ବିଜେପି ଓ ଟିଏମସି ମଧ୍ୟରେ ଲଢେଇ ଜୋରଦାର ହୋଇଥିବା ବେଳେ ଏହିଭଳି ହିଂସାକାଣ୍ଡ ସବୁ ଦେଖିବାକୁ ମିଳୁଛି ।