ବିଶ୍ୱକପ ସେମିଫାଇନାଲରେ ବିରାଟ ବାହିନୀ । ଟାଇଟଲ ରେସରୁ ବିଦା ହେଲା ବାଂଲାଦେଶ ।

301

କନକ ବ୍ୟୁରୋ : ବାଂଲାଦେଶକୁ ମାତ୍ ଦେଇ ବିଶ୍ୱକପ ସେମିଫାଇନାଲ ଟିକେଟ ହାତେଇଛି ବିରାଟ ବାହିନୀ । ବାଂଲାଦେଶକୁ ୨୮ ରନରେ ମାତ୍ ଦେଇ ଅଷ୍ଟ୍ରେଲିଆ ପରେ ଦ୍ୱିତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ । ଆଉ ଏହାସହ ବିଶ୍ୱକପ ଟ୍ରଫି ଠାରୁ ୨ ପାଦ ଦୂରରେ ରହିଛି କୋହଲି ଆଣ୍ଡ କୋ । ବାଂଲାଦେଶ ବିପକ୍ଷରେ ବିଜୟ ହାସଲ ସହ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନ ବଜାୟ ରଖିଛି ଭାରତ । ଆଉ ଏହାସହ ବାଂଲାଦେଶର ସେମିଫାଇନାଲ ଖେଳିବା ଆଶା ମଧ୍ୟ ମଉଳିଛି ।

ଏହାପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବିରାଟ ବାହିନୀ ଦମଦାର ବ୍ୟାଟିଂ ବଳରେ ୩୧୪ ରନ୍ କରିବାକୁ ସକ୍ଷମ ହୋଇଥିଲା । ଦୁଇ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ କେଏଲ ରାହୁଲ ଓ ରୋହିତ ଶର୍ମାଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଭାରତ ଜବରଦସ୍ତ ଆରମ୍ଭ କରିଥିଲା । ଆଉ ଏହା ଭିତରେ ରୋହିତ ବିଶ୍ୱକପରେ ଚତୁର୍ଥ ଶତକ ହାସଲ କରିଥିବା ବେଳେ ରାହୁଲ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ । ତେବେ ମଧ୍ୟକ୍ରମ ବ୍ୟାଟସମ୍ୟାନଙ୍କ ବିଫଳତା ଯୋଗୁଁ ବଡ ସ୍କୋର କରିବାରେ ବିଫଳ ହୋଇଥିଲା ଟିମ୍ ଇଣ୍ଡିଆ । ବାଂଲାଦେଶ ପକ୍ଷରୁ ମୁସ୍ତାଫିଜୁର ରେହମାନ୍ ୫ଟି ୱିକେଟ ନେଇ ଭାରତର ବଡ ସ୍କୋରରେ ବ୍ରେକ ଲଗାଇଥିଲେ ।

୩୧୫ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ବାଂଲାଦେଶ ଟିମ୍ ମାତ୍ର ୨୮୬ ରନରେ ଅଲଆଉଟ ହୋଇଥିଲା ପୂରା ଟିମ୍ । ୪ଟି ୱିକେଟ୍ ନେବା ସହ ବାଂଲାଦେଶ ଶିବିରରେ ଛନକା ସୃଷ୍ଟି କରିଥିଲେ ଯଶପ୍ରୀତ ବୁମରାହ । ଶେଷ ଆଡକୁ ବାଂଲାଦେଶର ମହମ୍ମଦ ସେଫଉଦ୍ଦିନ ବିଜୟ ପାଇଁ ଜୋରଦାର ପ୍ରୟାସ କରିଥିଲେ ମଧ୍ୟ ଏଥିରେ ବିଫଳ ହୋଇଥିଲେ । ଆଉ ଶେଷରେ ୨୮ ରନର ରୋମାଞ୍ଚକର ବିଜୟ ହାସଲ କରି ସେମିଫାଇନାଲ ଟିକେଟ ହାତେଇଛି ମେନ୍ ଇନ୍ ବ୍ଲୁ ।