ଲେଡ଼ିଜ ହଷ୍ଟେଲରେ କିଏ ଦେଲା ଭଡ଼ା? ଛାତ୍ରୀ ନିବାସରେ କେବେଠୁ ରହିଲେଣି ପୁରୁଷ, ସାମ୍ନାକୁ ଆସିଲା ସଙ୍ଗୀନ ଅଭିଯୋଗ?

2,379

କନକ ବ୍ୟୁରୋ : ଲେଡ଼ିଜ ହଷ୍ଟେଲରେ ବର୍ଷ ବର୍ଷ ଧରି ରହୁଛନ୍ତି ଯୁବକ । ତାହା ବି ପୁଣି ଭଡ଼ାରେ । କୌଣସି ଅପହଞ୍ଚ ଇଲାକାରେ ନୁହେଁ ବରଂ ଖୋଦ୍ ରାଜଧାନୀର ଛାତି ଉପରେ ଥିବା କୁନ୍ତଳା କୁମାରୀ ସାବତ ଛାତ୍ରୀ ନିବାସର ସତ ଏବେ ସାମ୍ନାକୁ ଆସିଛି । ଯେଉଁଠି ଗୋଟିଏ କ୍ୟାମ୍ପସରେ ଶହ ଶହ ନାବାଳିକା ଛାତ୍ରୀଙ୍କ ସହ ରହୁଛନ୍ତି ଯୁବକ ଓ ତାଙ୍କ ପରିବାର । ଲେଡ଼ିଜ ହଷ୍ଟେଲ କ୍ୟାମ୍ପସକୁ ନିଜର ଜାଗିର ବନାଇ ସାରିଛନ୍ତି ଯୁବକଙ୍କ ପରିବାର । ଏଭଳି ସଙ୍ଗୀନ ଅଭିଯୋଗ ଏବେ ସାମ୍ନାକୁ ଆସିଛି ।

ଭୁବନେଶ୍ୱରର ଅନୁସୁଚିତ ଜାତି ଓ ଜନଜାତି ହଷ୍ଟେଲରେ ୪ ଜଣ ନାବାଳିକା ଗର୍ଭବତୀ ହୋଇଥିବା ଘଟଣା ଜଣାପଡିବା ପରେ ଭୁବନେଶ୍ୱରରେ ଥିବା ଅନ୍ୟ ଆବାସିକ ଛାତ୍ରୀ ନିବାସରେ ସୁରକ୍ଷା ବ୍ୟବସ୍ଥା କିଭଳି ରହିଛି ତାହାର ସ୍ଥିତି ଗତକାଲି ପରଖିଥିଲା କନକ ନ୍ୟୁଜ୍ । କିନ୍ତୁ ରାଜଧାନୀର କୁନ୍ତଳା କୁମାରୀ ସାବତ ଛାତ୍ରୀ ନିବାସରେ ଯେଉଁ ଚିତ୍ର ସାମ୍ନାକୁ ଆସିଥିଲା ତାହା ନାବାଳିକା ଛାତ୍ରୀଙ୍କ ସୁରକ୍ଷା ଉପରେ ବଡ ପ୍ରଶ୍ନବାଚୀ ଛିଡା କରିଛି ।

ରାତି କଥା ଛାଡ଼ନ୍ତୁ ଦିନ ଦ୍ୱିପ୍ରହରରେ ଛାତ୍ରୀ ନିବାସରେ ଅବାଧ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ ଜଣେ ୨୫ରୁ ୩୦ ବର୍ଷୀୟ ଯୁବକ । ଆଉ ଏଭଳି ଜୋର ଜବରଦସ୍ତି ହଷ୍ଟେଲ କ୍ୟାମ୍ପସ ଭିତରକୁ କାହିଁକି ପଶୁଛ ବୋଲି ପଚାରିବାରୁ ନାଲିଆଖି ଦେଖାଇବାକୁ ପଛାଇନଥିଲେ ଯୁବକ । ସେତେବେଳେ ଛାତ୍ରୀ ନିବାସରେ କାମ କରୁଥିବା ମହିଳା କ୍ୟାମେରାକୁ ଦେଖି ହଷ୍ଟେଲର ଗେଟ୍ ଖୋଲିନଥିଲେ । ତେବେ ଛାତ୍ରୀ ନିବାସକୁ ଯୁବକଙ୍କ ଏଭଳି ଜୋର ଜବରଦସ୍ତ ପ୍ରବେଶ ଉଦ୍ୟମ ଅନେକ ପ୍ରଶ୍ନ ଛିଡା କରିଥିଲା । କିନ୍ତୁ ଏହା ଉପରୁ ଏବେ ପରଦା ହଟିଛି ।

ଗଣମାଧ୍ୟମକୁ ନାଲିଆଖି ଦେଖାଇ ଛାତ୍ରୀ ନିବାସକୁ ଜୋର ଜବରଦସ୍ତି ପଶିବାକୁ ଉଦ୍ୟମ କରୁଥିବା ଯୁବକ ଜଣକ ଲେଡ଼ିଜ ହଷ୍ଟେଲ କ୍ୟାମ୍ପସରେ ରହୁଥିବା ସୂଚନା ମିଳିଛି । ଏକା ନୁହେଁ ବରଂ ପୂରା ପରିବାର ଲେଡିଜ ହଷ୍ଟେଲରେ ରହୁଥିବା ଅଭିଯୋଗ ହୋଇଛି । ନାଲିଆଖି ଦେଖାଇଥିବା ଯୁବକଙ୍କ ମା’ ଛାତ୍ରୀ ନିବାସରେ କାମ କରୁଥିବା ବେଳେ ଯୁବକ ଓ ତାଙ୍କ ବାପା ମଧ୍ୟ ଉକ୍ତ ଛାତ୍ରୀ ନିବାସରେ ରହୁଥିବାର ସୂଚନା ମିଳିଛି । କିନ୍ତୁ ପ୍ରଶ୍ନ ଉଠୁଛି, ଛାତ୍ରୀ ନିବାସରେ ପୁରୁଷଙ୍କୁ ରହିବାକୁ ଅନୁମତି ଦେଲା କିଏ? ଯେଉଁଠି ଶହ ଶହ ନାବାଳିକା ରହୁଛନ୍ତି ସେଠାରେ ଯୁବକ ଓ ତାଙ୍କ ପରିବାର ରହିବା କେତେ ଗ୍ରହଣୀୟ । ଯୁବକ ଓ ତାଙ୍କ ପରିବାରକୁ ଛାତ୍ରୀ ନିବାସରେ ଭଡା ଦେଲା କିଏ? ବର୍ଷ ବର୍ଷ ଧରି ଛାତ୍ରୀ ନିବାସରେ ରହୁଥିଲେ ମଧ୍ୟ ଏହା କିଭଳି ବିଭାଗୀୟ ଅଧିକାରୀଙ୍କ ନଜରକୁ ଆସିନାହିଁ ।

ମିଳିଥିବା ସୂଚନା ମୁତାବକ ଯୁବକଙ୍କ ପରିବାର ଏଠାରେ ବର୍ଷ ବର୍ଷ ଧରି ରହୁଥିଲେ ମଧ୍ୟ ହଷ୍ଟେଲ କର୍ତ୍ତୃପକ୍ଷ ସବୁ ଜାଣିଶୁଣି ଚୁପ୍ ରହିଥିବା ଅଭିଯୋଗ ହୋଇଛି । ଆଉ ଏଭଳି କରି ଶହ ଶହ ନାବାଳିକା ଛାତ୍ରୀଙ୍କ ସୁରକ୍ଷା ସହ ସାଲିସ କରାଯାଉଛି । ରାଜ୍ୟରେ ଏହା ନୂଆ ଘଟଣା ନୁହେଁ ପୂର୍ବରୁ ଛାତ୍ରୀ ନିବାସରେ ଏଭଳି ଘଟଣା ବାରମ୍ବାର ଘଟିବାରୁ ଅନୁସୂଚିତ ଜାତି ଓ ଜନଜାତି ହଷ୍ଟେଲରେ ସିସିଟିଭି ଲଗାଇବାକୁ ବିଭାଗୀୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏହାର କୌଣସି ସୁଫଳ ଦେଖିବାକୁ ମିଳିନାହିଁ । ଏବେ ମଧ୍ୟ ଅନାୟସରେ ଛାତ୍ରୀ ନିବାସକୁ ଯୁବକଙ୍କ ଅବାଧ ପ୍ରବେଶ କରୁଥିବାର ଖବର ସାମ୍ନାକୁ ଆସୁଛି । ଯାହାର ଝଲକ ଗତକାଲି କୁନ୍ତଳା କୁମାରୀ ସାବତ ଛାତ୍ରୀ ନିବାସରେ ଦେଖିବାକୁ ମିଳିଥିଲା । କେବଳ ଏହି ଯୁବକଙ୍କୁ ଇଂଗିତ କରିବା ଆମର ଉଦ୍ଦେଶ୍ୟ ନୁହେଁ, ତେବେ ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି, ଦୂରଦୁରାନ୍ତରୁ ଆସି ଅନୁସୂତିତ ଜାତି ଓ ଜନଜାତିର ଛାତ୍ରୀମାନେ ରହୁଥିବା ବେଳେ, ଏଠାକୁ କେମିତି ଅନାୟାସରେ ଯୁବକମାନେ ପ୍ରବେଶ କରି ପାରୁଛନ୍ତି ତାହା ସବୁଠୁ ବଡ ପ୍ରଶ୍ନ ।