ହାଇଦ୍ରାବାଦରେ ଭାରତର ରୋମାଞ୍ଚକର ବିଜୟ । ଲଢେଇ କରି ହାରିଲା ନ୍ୟୁଜିଲାଣ୍ଡ । ଶୁଭମନ୍ ଗିଲଙ୍କ ଦ୍ୱି-ଶତକ ।

695

କନକ ବ୍ୟୁରୋ: ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ବୁଧବାର ଦିନ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୧୨ ରନରେ ପରାସ୍ତ କରିଛି ଭାରତ ।

ଭାରତ ପକ୍ଷରୁ ୩୫୦ ରନର ବିଶାଳ ବିଜୟ ଲକ୍ଷ୍ୟ ରଖାଯାଇଥିଲେ ବି ନ୍ୟୁଜିଲାଣ୍ଡ ଶେଷ ପର୍ଯ୍ୟନ୍ତ ଲଢେଇ କରିଥିଲା । ଏକ ସମୟରେ ନ୍ୟୁଜିଲାଣ୍ଡ ୧୩୧ ରନରେ ୬ଟି ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । କିନ୍ତୁ ୭ମ ସ୍ଥାନରେ ଆସିଥିବା ମାଇକେଲ ବ୍ରେସଓ୍ବେଲଙ୍କ ଲଢୁଆ ଇନିଂସ ମ୍ୟାଚକୁ ରୋମାଞ୍ଚକର ସ୍ଥିତିକୁ ନେଇ ଆସିଥିଲା । ତାଙ୍କ ଏ କ୍ଷେତ୍ରରେ ସାଥ୍ ଦେଇଥିଲେ ମିଚେଲ ସାଣ୍ଟନର । ସାଣ୍ଟନର ୫୭ ରନ କରି ଆଉଟ ହେବା ପରେ ବି ବ୍ରେସଓ୍ବେଲଙ୍କ ଆକ୍ରମଣ ଜାରି ରହିଥିଲା । ଶେଷ ଓଭରରେ ନ୍ୟୁଜିଲାଣ୍ଡ ଜିତିବାକୁ ୨୦ ରନ ଆବଶ୍ୟକ ହେଉଥିବାବେଳେ ସାର୍ଦ୍ଦୁଲ ଠାକୁର ବୋଲିଂ ପାଇଁ ଆସିଥିଲେ । ପ୍ରଥମ ବଲରେ ଛକା ମାରି ବ୍ରସେଓ୍ବେଲ ରୋମାଞ୍ଚକୁ ବଢାଇ ଦେଇଥିଲେ । କିନ୍ତୁ ୨ୟ ବଲରେ ଶାର୍ଦ୍ଦୁଲଙ୍କ ୟର୍କର ଆଗରେ ବିଫଳ ହୋଇଥିଲେ ବ୍ରେସଓ୍ବେଲ । ସେ ୧୪୦ ରନ କରି ଆଉଟ ହୋଇଥିଲେ ।

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ରୋହିତ ଶର୍ମା ଓ ଶୁଭମନ ଗିଲ ଭାରତ ପାଇଁ ଭଲ ଆରମ୍ଭ କରିଥିଲେ । ରୋହିତ ଶର୍ମା ୩୪ ରନ କରି ଆଉଟ ହୋଇଥିଲେ ବି ଅନ୍ୟପଟେ ଗିଲଙ୍କ ବିସ୍ଫୋରକ ବ୍ୟାଟିଂ ଜାରି ରହିଥିଲା । ମାତ୍ର ବିରାଟ କୋହଲି, ଇଶାନ କିଷନ ଶସ୍ତାରେ ଆଉଟ ହୋଇଯାଇଥିଲେ । ସୂର୍ଯ୍ୟକୁମାର ମଧ୍ୟ ୩୧ରନ କରି ଆଉଟ ହୋଇଥିଲେ । ଗୋଟିଏ ପଟେ ଓ୍ବିକେଟ ପଡ଼ିଚାଲିଥିବା ସତ୍ତ୍ବେ ଗିଲ୍ ନିଜର ବିସ୍ଫୋରକ ବ୍ୟାଟିଂ ଜାରି ରଖି ଶତକ ପୂରଣ କରିଥିଲେ । ଶତକ ପୂରଣ କରିବା ପରେ ବି ତାଙ୍କ ରନ ଭୋକ ମେଣ୍ଟିପାରିନଥିଲା । ସେ ଆହୁରି ବିସ୍ଫୋରକ ବ୍ୟାଟିଂ ଆରମ୍ଭ କରିଦେଇଥିଲେ । ସେ ୯ଟି ଛକା ଓ ୧୯ଟି ଚୌକା ସହ ୨୦୮ ରନ କରି ସିପଲେଙ୍କ ବଲରେ ଆଉଟ ହୋଇଥିଲେ । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ଓ୍ବିକେଟ ହରାଇ ୩୪୯ ରନ କରିଥିଲା ।