ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ଡ୍ରୋନ ଉଡାଇବା ମାମଲା : ଅଭିଯୁକ୍ତ ଅନିମେଶ ଚକ୍ରବର୍ତ୍ତୀ ଗିରଫ

111

କନକ ବ୍ୟୁରୋ : ଶ୍ରୀମନ୍ଦିର ନୋଫ୍ଲାଇଂ ଜୋନରେ ଡ୍ରୋନ ଉଡାଇ ବଡ ଦେଉଳର ଟିକିନିଖ ଫଟୋ ଉଠାଇ ସୋସିଆଲ ମିଡିଆରେ ଭାଇରାଲ କରିବା ଘଟଣା । ପଶ୍ଚିମବଙ୍ଗରୁ ଅଭିଯୁକ୍ତକୁ ଗିରଫ କରିଛି ପୁରୀ ପୁଲିସ । ଅଭିଯୁକ୍ତ ଅନିମେଶ ଚକ୍ରବର୍ତ୍ତୀଙ୍କୁ ପଶ୍ଚିମବଙ୍ଗରୁ ଗିରଫ କରାଯାଇଛି । ବାରାକପୁର କମିସନରେଟର ନିମତା ଥାନା ଅଞ୍ଚଳରେ ଅନିମେଶ ବୁଲାବୁଲି କରୁଥିବା ବେଳେ ସିଟି ଡିଏସପି କେ କୋଣ୍ଡାଦର ହରିପ୍ରସାଦଙ୍କ ନେତୃତ୍ୱରେ ଏକ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

ଆଜି ଅଭିଯୁକ୍ତକୁ ପୁରୀ ପୁଲିସ ବାରାକପୁର କୋର୍ଟରେ ହାଡର କରିବ । କୋର୍ଟଙ୍କ ଅନୁମତି ମିଳିବା ପରେ ଟ୍ରାନଜିଟ ରିମାଣ୍ଡରେ ଶ୍ରୀକ୍ଷେତ୍ରକୁ ଅଣାଯିବ ବୋଲି ସିଟି ଡିଏସପି କେ କୋଣ୍ଡାଦର ହରିପ୍ରସାଦ ସୂଚନା ଦେଇଛନ୍ତି । ଗତ ନଭେମ୍ବର ୧୯ ତାରିଖରେ ୟୁନିଫାଏଡ ଅନିମେଶ ଓ ୟୁନିଫାଏଡ ମୁଭିର ୱାଟର ମାର୍କ ଥାଇ ୟୁଟ୍ୟୁବରେ ଶ୍ରୀମନ୍ଦିରର ଭିଡିଓ ଅପଲୋଡ କରାଯାଇଥିଲା । ଏହି ଭିଡିଓରେ ଶ୍ରୀମନ୍ଦିର ଉପର ଓ ଭିତର ବେଢାର ସ୍ପଷ୍ଟ ଦୃଶ୍ୟ ରହିଥିଲା । ରାଜ୍ୟ ସରକାର ମଧ୍ୟ ଘଟଣାକୁ ଗୁରୁତ୍ୱ ଦେଇ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ସୋସିଆଲ ମିଡିଆରେ ଏହି ଭିଡିଓ ବହୁଳ ପ୍ରସାରିତ ହେବା ପରେ ଏନେଇ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଥିଲା । ମାମଲା ରୁଜୁ କରି ପୁଲିସ ଅଭିଯୁକ୍ତ ଅନିମେଶ ଚକ୍ରବର୍ତିଙ୍କୁ ହାଜର ପାଇଁ ନୋଟିସ ପଠାଇଥିଲା । ହେଲେ ଅନିମେଶ ନୋଟିସ ପାଇ ମଧ୍ୟ ପୁରୀ ସିଂହଦ୍ୱାରା ଥାନାରେ ହାଜର ହୋଇନଥିଲେ । ତେଣୁ ତାଙ୍କ ବିରୋଧରେ ଏନବିଡବ୍ଲୁ ଜାରି କରାଯିବା ସହ ତାଙ୍କ ମୋବାଇଲକୁ ଟ୍ରାକିଂ କରି ପଶ୍ଚିମବଙ୍ଗରୁ ପରୀ ପୁଲିସ ଗିରଫ କରିଛି ।