ଭୁଲ ଇଞ୍ଜେକସନରୁ ରୋଗୀ ମୃତ୍ୟୁ ଘଟଣା। କାର୍ଯ୍ୟାନୁଷ୍ଠାନ ନେଲା କ୍ୟାପିଟାଲ ହସ୍ପିଟାଲ।

149

କନକ ବ୍ୟୁରୋ: ରାଜଧାନୀର କ୍ୟାପିଟାଲ ହସ୍ପିଟାଲର କାଜୁଆଲଟିରେ ଭୁଲ ଇଞ୍ଜେକସନ ଦେବା ଯୋଗୁଁ ରୋଗୀର ମୃତ୍ୟୁ ଅଭିଯୋଗ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଅଭିଯୋଗକୁ ଗୁରୁତର ସହ ନେଇ କ୍ୟାପିଟାଲ ହସ୍ପିଟାଲ ସଂପୃକ୍ତ ରୋଗୀଙ୍କୁ ଚିକିତ୍ସା କରିଥିବା ଡାକ୍ତରଙ୍କୁ କାଜୁଆଲଟିରୁ ହଟାଇ ଦେଇଛି । ଏଥିସହ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଦୁଇ ଜଣିଆ କମିଟି ଅଭିଯୋଗର ଯାଞ୍ଚ କରି ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ରିପୋର୍ଟ ଦେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏଥିସହ ହସ୍ପିଟାଲର ଅନ୍ୟ ଡାକ୍ତରଙ୍କୁ ରୋଗୀଙ୍କୁ ଚିକିତ୍ସାରେ ଅବହେଳା ନକରିବାକୁ ତାଗିଦ କରାଯାଇଥିବା ସୂଚନା ମିଳିଛି ।

ଗତ ଶୁକ୍ରବାର ଧଉଳି ଥାନା ଅନ୍ତର୍ଗତ କୁମାରଡିହ ଗାଁର ୫୧ ବର୍ଷ ବୟସ୍କ ଦୁଃଶାସନ ସାହୁଙ୍କ ଛାତିରେ ଯନ୍ତ୍ରଣା ହେବାରୁ କ୍ୟାପିଟାଲ ହସ୍ପିଟାଲ ଆଣିଥିଲେ ପରିବାର । ମେଡିକାଲରେ ଆଡମିଟ କରାଇବାକୁ ଡାକ୍ତରଙ୍କୁ ଅନୁରୋଧ କରିଥିଲେ । ହେଲେ କାଜୁଆଲଟି ବିଭାଗରେ ଥିବା ଡାକ୍ତର ଦୁଃଶାସନକୁ ଗ୍ୟାସ ହୋଇଛି କହି ଏକ ଇଞ୍ଜେକସନ ଦେଇଥିଲେ । ଯନ୍ତ୍ରଣା ନକମିବାରୁ ମେଡିସିନ ଓପିଡିକୁ ପଠାଇଥିଲେ । ସେଠାରୁ ପୁଣି ଅନ୍ୟ ବିଭାଗକୁ ତାଙ୍କୁ ପଠାଯାଇଥିବା ଅଭିଯୋଗ କରିଛନ୍ତି ପରିବାର । ରୋଗୀଙ୍କୁ ଧରି ବିଭାଗ ପରେ ବିଭାଗ ବୁଲି ନିରାଶ ହୋଇ ଘରକୁ ଫେରିବା ବାଟରେ ଦୁଃଶାସନ ଅଚେତ ହୋଇଯାଇଥିଲେ । ପୁଣି କ୍ୟାପିଟାଲ ହସ୍ପିଟାଲ ଆସିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ସନ୍ଦେହର କଥା ହେଉଛି, ପରିବାର ଠାରୁ ଲେଖିଥିବା ପ୍ରେସକ୍ରିପସନକୁ ଡାକ୍ତର ନେଇଯାଇ ଆଉ ଫେରାଇନଥିଲେ । ଏହାପରେ ହସ୍ପିଟାଲ ଫାଣ୍ଡିରେ ଭୁଲ ଇଞ୍ଜେକସନ ଯୋଗୁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ।

କ୍ୟାପିଟାଲ ହସ୍ପିଟାଲରେ ଦୁଃଶାସନକୁ ଚିକିତ୍ସା କରିବାରେ ଅବହେଳା ହୋଇଥିବା ମାନିଛନ୍ତି ସୁପରଟେଣ୍ଡେଣ୍ଟ । ପ୍ରଶ୍ନ ଉଠୁଛି ଦୁଃଶାସନଙ୍କ ମୃତ୍ୟୁ ପାଇଁ କିଏ ଦାୟୀ? ରୋଗୀଙ୍କ ଜୀବନ ସହ ଖେଳ ଖେଳିଥିବା ଡାକ୍ତରଙ୍କୁ କାର୍ଯ୍ୟରୁ ହଟାଇ ଦେବା ଏକ ଦଣ୍ଡ କି? ସଂପୃକ୍ତ ଡାକ୍ତରଙ୍କ ଲାଇସେନ୍ସ ରଦ୍ଦ ହେବ ନାହିଁ କାହିଁକି?