ଝାଡଖଣ୍ଡ ରାଜନୀତିରେ ହଲଚଲ। କଂଗ୍ରେସ ବିଧାୟକଙ୍କ ଗାଡିରୁ ଜବତ ହେଲା ଲକ୍ଷାଧିକ ଟଙ୍କା।

123

କନକ ବ୍ୟୁରୋ: ପଶ୍ଚିମବଙ୍ଗରୁ ଲକ୍ଷାଧିକ ଟଙ୍କା ସହ ଧରାପଡ଼ିଛନ୍ତି ଝାଡଖଣ୍ଡ କଂଗ୍ରେସର ତିନି ବିଧାୟକ । ଏହାପରେ ରାଜ୍ୟ ରାଜନୀତି ସରଗରମ ହୋଇଛି । ଏହା ପରେ କଂଗ୍ରେସ ଆକ୍ସନକୁ ଆସିଛି । ୩ ବିଧାୟକଙ୍କୁ ସସପେଣ୍ଡ କରାଯାଇଛି । କଂଗ୍ରେସର ୩ ବିଧାୟକ ଇର୍ଫାନ ଆନସାରୀ, ରାଜେଶ କଚଚାପ, ନମନ ଭିକ୍ସେଲ କୋଙ୍ଗାରୀ ଝାରଖଣ୍ଡର ଜମତାରା ଅଞ୍ଚଳରୁ ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଅଞ୍ଚଳକୁ ଯାଉଥିଲେ । ପଶ୍ଚିମବଙ୍ଗ ପୁଲିସ ସେମାନଙ୍କ ଗାଡି ଅଟକାଇ ଯାଞ୍ଚ କରିଥିଲା । ପରେ ଡିକିରୁ ବିପୁଳ ପରିମାଣର ଟଙ୍କା ଜବତ କରାଯାଇଥିଲା । ଗିରଫ ବିଧାୟକଙ୍କ ଭାଇ ଅଭିଯୋଗ କରିଛନ୍ତି କୋଲାକାତାକୁ ବିଧାୟକମାନେ ମାର୍କେଟିଂ ପାଇଁ ଆସିଥିଲେ । ଆଉ ଜାଣିଶୁଣି ସେମାନଙ୍କୁ ଫସାଇଦିଆଯାଇଛି ।

କୁହାଯାଉଛି, ସମ୍ପୃକ୍ତ ବିଧାୟକଙ୍କ ପାଖରେ ପାଖାପାଖି ୫୦ ଲକ୍ଷ ଟଙ୍କା ଥିଲା । ଯାଞ୍ଚ ସମୟରେ ପୁରା ଘଟଣାର ଭିଡିଓଗ୍ରାଫି କରାଯାଇଛି । ରାତିସାରା ପଚରାଉଚରା ପରେ ସଂପୃକ୍ତ ବିଧାୟକମାନେ କୌଣସି ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ସେମାନଙ୍କୁ ଗିରଫ କରାଯାଇଛି । ସରକାର ଭାଙ୍ଗିବା ପାଇଁ ଷଡଯନ୍ତ୍ର କରିବା ଅଭିଯୋଗରେ ଝାଡଖଣ୍ଡ କଂଗ୍ରେସର ଜଣେ ନେତା ଏହି ବିଧାୟକଙ୍କ ନାଁରେ ମାମଲା ରୁଜୁ କରିଛନ୍ତି । କଂଗ୍ରେସ ନେତା ଜୟରାମ ରମେଶ ଟ୍ୱିଟ କରି ପ୍ରତିକ୍ରିୟା ରଖିଛନ୍ତି, ଝାଡଖଣ୍ଡରେ ଅପରେସନ ଲୋଟସ ବିଫଳ ହୋଇଛି । ମହାରାଷ୍ଟ୍ର ଭଳି ଝାଡଖଣ୍ଡ ପାଇଁ ମଧ୍ୟ ଗେମପ୍ଲାନ ପ୍ରସ୍ତୁତ ହୋଇଥିଲା । କିନ୍ତୁ ଏହା ସଫଳ ହୋଇପାରିଲାନି । ଆଉ ଏହାର କଡା ଜବାବ ଦେଇଛି ବିଜେପି ।

ଝାଡଖଣ୍ଡରେ ୟୁପିଏର ସରକାର ଚାଲିଛି । ଏଠାରେ କଂଗ୍ରେସ ସହ ମେଣ୍ଟ କରି ଶାସନ କ୍ଷମତାରେ ଅଛି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା । ଏଭଳି ସ୍ଥିତିରେ ପଶ୍ଚିମବଙ୍ଗରେ ଝାଡଖଣ୍ଡ କଂଗ୍ରେସ ବିଧାୟକଙ୍କ ଗାଡିରୁ ନଗଦ ଟଙ୍କା ମିଳିବା ଅନେକ ଚର୍ଚ୍ଚା ସୃଷ୍ଟି କରିଛି ।