କେବଳ ମଣିଷ ନୁହେଁ ପଶୁମାନଙ୍କ ସୁରକ୍ଷାକୁ ରାଜ୍ୟ ସରକାରଙ୍କ ଗୁରୁତ୍ୱ । ବାତ୍ୟା ଆଶ୍ରୟସ୍ଥଳୀରେ ସୁରକ୍ଷିତ ଅଛନ୍ତି ୬ଟି ଜିଲ୍ଲାର ୪୧ ହଜାର ୪୬୧ ଗୃହପାଳିତ ପଶୁ ।

84

କନକ ବ୍ୟୁରୋ: ଗତ ୩ ତାରିଖରେ ଓଡ଼ିଶା ଦେଖିଥିବା ବାତ୍ୟା ‘ଫୋନି’ର କରାଳ କାୟାରେ ବିଭିନ୍ନ ଜିଲ୍ଲାର ବ୍ୟାପକ କ୍ଷୟକ୍ଷତି ହୋଇଛି । ଆଉ ବିଶେଷ ଭାବେ ଉପକୂଳ ଓଡ଼ିଶାର ଧନଜୀବନ ଠାରୁ ଆରମ୍ଭ କରି ପଶୁ-ପକ୍ଷୀଙ୍କ ପର୍ଯ୍ୟନ୍ତ ସଭିଏଁ ପ୍ରଭାବିତ ହୋଇଛନ୍ତି । ହେଲେ ଉଭୟ ମଣିଷ ଓ ପଶୁମାନଙ୍କ ସୁରକ୍ଷା ପ୍ରତି ରାଜ୍ୟ ସରକାର କେତେ ସଚେତନ ଅଛନ୍ତି ତାହାର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଛି । ଆଉ ବାତ୍ୟା ପୂର୍ବରୁ ଉପକୂଳ ଓଡ଼ିଶାର ୬ଟି ଜିଲ୍ଲାରେ ଗୃହପାଳିତ ପଶୁଙ୍କ ସୁରକ୍ଷା ନେଇ ରାଜ୍ୟ ସରକାରଙ୍କୁ ମିଳିଛି ବଡ଼ ସଫଳତା ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଅଫିସିଆଲ ଟ୍ୱିଟର ପେଜରେ ସୂଚନା ଦେଇ କହିଛନ୍ତି କି, ‘ଫୋନି’ ପ୍ରଭାବିତ ଉପକୂଳ ଓଡ଼ିଶାର ୬ଟି ଜିଲ୍ଲାରେ ମୋଟ୍ ୪୧ ହଜାର ୪୬୧ଟି ଗୃହପାଳିତ ପଶୁଙ୍କୁ ୬୩୫ ଟି ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ କରି ସୁରକ୍ଷିତ ରଖିବାରେ ସଫଳ ହୋଇଛନ୍ତି ରାଜ୍ୟ ସରକାର । ଆଉ ବାତ୍ୟା ଆଶ୍ରୟସ୍ଥଳୀରେ ଏହି ଗୃହପାଳିତ ପଶୁଙ୍କୁ ସୁରକ୍ଷିତ ରଖି ତାଙ୍କର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଉଛନ୍ତି ସ୍ଥାନୀୟ ପ୍ରଶାସନ ।

ଅନ୍ୟପଟେ ‘ଫୋନି’କୁ ୯ ଦିନ ବିତିଯାଇଛି ଆଉ ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସରକାର ଉଦ୍ୟମ କରି ଭାଙ୍ଗିପଡ଼ିଥିବା ଓଡ଼ିଶାକୁ ପୁଣି ଏକ ସୁନ୍ଦର ଓଡ଼ିଶାରେ ପରିଣତ କରିବାକୁ ଦିନରାତି ଏକ କରି ଦେଇଛନ୍ତି । ଆଉ ବିଭିନ୍ନ କ୍ଷେତ୍ରରୁ ଓଡ଼ିଶାକୁ ସଜାଡ଼ିବା ପାଇଁ ରାଜ୍ୟ ସରକାରଙ୍କ ସହ ଛିଡ଼ା ହୋଇଛନ୍ତି ସଭିଏଁ । ଆଉ ବଢ଼ାଇବାରେ ଲାଗିଛନ୍ତି ସହାୟତାର ହାତ ।