୧୯ ଯୁଦ୍ଧର ଷଷ୍ଠ ପର୍ଯ୍ୟାୟରେ ଭୋଟ୍ ଦେଲା ଗାନ୍ଧି ପରିବାର । ମତଦାନ ସାବ୍ୟସ୍ତ କଲେ ସୋନିଆ, ରାହୁଲ, ପ୍ରିୟଙ୍କା ।

122

କନକ ବ୍ୟୁରୋ : ୨୦୧୯ ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଆଜି ଭୋଟ୍ ଦେଉଛି ଭାରତ । ମୋଟ୍ ୫୯ଟି ଲୋକସଭା ଆସନରେ ଆଜି ମତଦାନ ପ୍ରକ୍ରିୟା ଜାରି ରହିଛି । ଆଉ ଏହି କ୍ରମରେ ଆଜି ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି ଗାନ୍ଧି ପରିବାର । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଔରଙ୍ଗଜେବ ଲେନରେ ଥିବା ଏନପି ସିନିୟର ସେକେଣ୍ଡାରୀ ସ୍କୁଲରେ ଥିବା ପୋଲିଂ ବୁଥରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ଭୋଟ ଦେବା ପରେ ରାହୁଲ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବାକୁ ଭୁଲିନାହାନ୍ତି । ବିମୁଦ୍ରାକରଣ, ଚାଷୀ ସମସ୍ୟା, ଗବର ସିଂ ଟ୍ୟାକ୍ସ ଓ ରାଫେଲ ଡିଲରେ ହୋଇଥିବା ଦୁର୍ନୀତି ବିରୋଧରେ ଏହି ନିର୍ବାଚନ ଲଢେଇ ବୋଲି ସ୍ପଷ୍ଟ କରିଛନ୍ତି ରାହୁଲ । ଘୃଣାଭାବ ନେଇ ମୋଦି ନିର୍ବାଚନ ଲଢୁଥିବା ବେଳେ ଆମେ ଭଲପାଇବାକୁ ସାଥୀ କରି ନିର୍ବାଚନ ମୈଦାନକୁ ଓହ୍ଲାଇଛୁ । ଆମର ବିଶ୍ୱାସ ଘୃଣାଭାବ ଆଗରେ ଭଲପାଇବାର ବିଜୟ ସୁନିଶ୍ଚିତ ହେବ ବୋଲି କହିଛନ୍ତି ରାହୁଲ ।

ସେପଟେ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି । ଆଜି ସକାଳ ୧୧ଟାରେ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ ସୋନିଆ । ଦିଲ୍ଲୀ ନିର୍ମାଣ ଭବନ ସ୍ଥିତ ପୋଲିଂ ବୁଥରେ ଭୋଟ୍ ଦେଇଛନ୍ତି ସୋନିଆ ଗାନ୍ଧି ।

ସେହିପରି ସ୍ୱାମୀ ରବର୍ଟ ଭଦ୍ରାଙ୍କ ସହ ମତଦାନ କେନ୍ଦ୍ରରେ ପହଞ୍ଚି ମତାଧିକାର ସାବ୍ୟସ୍ତ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା । ପାଖାପାଖି ଦିନ ୧୨ଟାରେ ଲୋଧି ଇଷ୍ଟେଟର ସର୍ଦ୍ଦାର ପଟେଲ ବିଦ୍ୟାଳୟରେ ପହଞ୍ଚି ଭୋଟ୍ ଦେଇଛନ୍ତି ପ୍ରିୟଙ୍କା ଏବଂ ରବର୍ଟ ଭଦ୍ରା । ଭୋଟ ଦେବା ପରେ ଭାଇ ରାହୁଲଙ୍କ ପରି ବିଜେପିକୁ ଟାର୍ଗେଟ୍ କରିବାକୁ ଭୁଲିନାହାନ୍ତି ପ୍ରିୟଙ୍କା । ସେ କହିଛନ୍ତି ଆଶା ଠାରୁ ଅଧିକ ସିଟରେ ଜିତିବ କଂଗ୍ରେସ । ବିଜେପିର ପରାଜୟ ସୁନିଶ୍ଚିତ ।