ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ : ବିଭିନ୍ନ ସ୍ଥାନରେ ରାସ୍ତାକୁ ଓହ୍ଳାଇଲେ ଡ୍ରାଇଭର

231

କନକ ବ୍ୟୁରୋ : ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ । ୧୦ ଦଫା ଦାବିକୁ ରାଜ୍ୟ ସରକାର ପୂରଣ କରିନଥିବାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟିୟରିଂ ଛାଡ ଆନ୍ଦୋଳନ କରୁଛନ୍ତି ଡ୍ରାଇଭର । ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଡ୍ରାଇଭରଙ୍କ ପ୍ରତିବାଦ ଦେଖିବାକୁ ମିଳିଛି । ଭୁବନେଶ୍ୱର ତମାଣ୍ଡୋରେ ଏକାଠି ହୋଇଛନ୍ତି ଶହ ଶହ ଡ୍ରାଇଭର ।

ଭୁବନେଶ୍ୱର ସହର ଭିତରେ କୌଣସି ବିରୋଧ କରାଯିବ ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଭୁବନେଶ୍ୱରରେ ଯଦି କୌଣସି ବ୍ୟକ୍ତି ଆଇନକୁ ହାତକୁ ନେବେ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୁଲିସ କମିଶନର । କୌଣସି ଅପ୍ରତିକର ପରିସ୍ଥିତିର ମୁକାବିଲା ପାଇଁ ଅତିରିକ୍ତ ୧୫ ପ୍ଲାଟୁନ୍ ଫୋର୍ସ ଏବଂ ୪୦ ଜଣ ଅଫିସର ମୁତୟନ ରହିବେ ବୋଲି ସୂଚନା ଦେଇଛନ୍ତି ।

ସେହିପରି ସମ୍ବଲପୁର ଅଇଁଠାପାଲି ଛକରେ ମଧ୍ୟ ପ୍ରତିବାଦ କରୁଛନ୍ତି ଡ୍ରାଇଭର । ଏହି ସମୟ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁ ଡ୍ରାଇଭରମାନେ ଆନ୍ଦୋଳନରେ ସାମିଲ ନହୋଇ ଗାଡି ଚଳାଉଛନ୍ତି, ସେମାନଙ୍କୁ ଆନ୍ଦୋଳନରତ ଡ୍ରାଇଭରଙ୍କ ପକ୍ଷରୁ ଫୁଲମାଳ ପିନ୍ଧାଯାଉଛି । ଡ୍ରାଇଭରମାନେ ଆନ୍ଦୋଳନ କରୁଥିବା ବେଳେ କିଛି ଘରୋଇ ବସ୍ ଡ୍ରାଇଭର ବସ୍ ଚଳାଉଥିଲେ । ଏହି ସମୟରେ ଆନ୍ଦୋଳନ କରୁଥିବା ଡ୍ରାଇଭର ବସ୍ ଅଟକାଇ ଡ୍ରାଇଭରଙ୍କୁ ଫୁଲମାଳ ପିନ୍ଧାଇଥିଲେ ।

ସେହି କ୍ରମରେ ଆଜି କୁତ୍ରା ବ୍ଲକର ରଞ୍ଚିରୋଡ ଠାରେ କୁତ୍ରା ବ୍ଲକ ଡ୍ରାଇଭର ସଂଘ ତରଫରୁ ମଧ୍ୟ ବନ୍ଦ ପାଳନ କରାଯାଉଛି । ଏହା ସକାଳ ୭ ରୁ ଆରମ୍ଭ ହୋଇଥିବା ବେଳେ ବିଜୁ ଏକ୍ସପ୍ରେସ ୱେ ରାସ୍ତା କଡରେ ଶହ ଶହ ଗାଡି ଛିଡା ହୋଇଥିବାର ଦେଖିବାକୁ ମିଳିଥିଲା । ତାଙ୍କ ମୁଖ୍ୟ ଦାବିଗୁଡିକ ହେଲା ଡ୍ରାଇଭରମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦିଆଯାଉ । ଜନସାଧାରଣଙ୍କ ଆକ୍ରୋସର ଶିକାର ହେଉଥିବା ଡ୍ରାଇଭର ସମାଜର ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଆଇନ ତିଆରି କରାଯାଉ । ୫୫ ବର୍ଷ ପରେ ପେନସନ ମାସକୁ ୫ ହଜାର ଦିଆଯାଉ ।

ଡ୍ରାଇଭରମାନଙ୍କୁ ଆବାସ ଯୋଜନା ରେ ଗୃହ ନିର୍ମାଣ ପାଇଁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଉ । ଗାଡ଼ି ଗୁଡ଼ିକ ପାକିଂ ଏବଂ ଡ୍ରାଇଭରମାନଙ୍କୁ ବିଶ୍ରାମ ନେବାପାଇଁ ପାକିଂ ସହିତ ବିଶ୍ରାମାଗାର ଏବଂ ଶୌଚାଳୟର ବ୍ୟବସ୍ଥା ପ୍ରତ୍ୟେକ ୧୦୦ କି.ମି. ଅନ୍ତରରେ କରାଯାଉ । ଦୁର୍ଘଟଣାରେ ପ୍ରାଣ ହରାଉଥିବା ଡ୍ରାଇଭର ମାନଙ୍କ ପାଇଁ ୨୦ ଲକ୍ଷ ଟଙ୍କାର ବିମା ରାଶି ଏବଂ ଦୁର୍ଘଟଣାରେ ଅକର୍ମଣ୍ୟ ହେଲେ ୧୦ ଲକ୍ଷ ଟଙ୍କା ର ବିମାରାଶି ସହିତ ଦୁର୍ଘଟଣା ଜନିତ ଚିକିତ୍ସା ପାଇଁ ଡ୍ରାଇଭରମାନଙ୍କୁ ୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଚିକିତ୍ସା ବିମା ଯୋଗାଇ ଦିଆଯାଉ ।