ମୁନ୍ନାଙ୍କ ହାତର ଯାଦୁଗରୀ … ତୁଳସୀ ଜଟାରେ ଆଙ୍କିଦେଇଛନ୍ତି ମହାପ୍ରଭୁଙ୍କ ଦଶାବତାର

143

କନକ ବ୍ୟୁରୋ: ଯୁବକଙ୍କ ହାତର ସ୍ପର୍ଶରେ ସାକାର ରୂପ ପାଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ଘରର ଯେକୌଣସି ଘରକରଣା ସାମଗ୍ରୀ ହେଉ, କି ସାଇକେଲ ପାର୍ଟ୍ସ, କିମ୍ବା ଖାଦ୍ୟ ଶସ୍ୟ, ସବୁଠି ତାଙ୍କ ହାତରେ ଈଶ୍ୱର ପାଉଛନ୍ତି ଜୀବନ୍ନ୍ୟାସ । ଆମେ କହୁଛୁ ମହାପ୍ରଭୁଙ୍କ ଅନନ୍ୟ ଲୀଳାକ୍ଷେତ୍ର ସୁବର୍ଣ୍ଣପୁର ମାଟିର ପୁଅ ମୁନ୍ନା ମହାଣା ।

ମାଇକ୍ରୋ ଆର୍ଟ ପରି ସୂକ୍ଷ୍ମ କଳାର ନିଖୁଣ ବିନ୍ଧାଣୀ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଗାଁର ଯୁବକ ମୁନ୍ନା ମାହାଣା । ପିଲାଟି ବେଳୁ ମାଟିରେ ମହାପ୍ରଭୁଙ୍କ ମୂର୍ତ୍ତି କରି ସମସ୍ତଙ୍କ ମନ ଖୁସି କରିଦେଉଥିଲେ । ହେଲେ ବୟସ ବଢିବା ସହ ତାଙ୍କର ଏହି କାମ ନିଶାରେ ବଦଳିଗଲା । ଯାହା ପାଇଲେ ସେଥିରେ ଶ୍ରୀଜଗନ୍ନାଥ ଓ ବିଭିନ୍ନ ଦେବାଦେବୀଙ୍କ ଚିତ୍ର ଆଙ୍କିପକାଇଲେ । ଅନେକ କିଛି ସୂକ୍ଷ୍ମ କଳାରପରିଚୟ ଦେବା ପରେ ଏବେ ତାଙ୍କର ଏକ ନିଆରା କୃତି ପାଇଁ ତାଙ୍କୁ ମିଳିଛି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡର ସ୍ୱୀକୃତି । ତୁଳସୀ ଜଟାରେ ସେ ଆଙ୍କି ଦେଇଛନ୍ତି ମହାପ୍ରଭୁଙ୍କ ଦଶାବତାର । ଶୁଖଯାଇ ଝଡିପଡୁଥିବା ତୁଳସୀର ଜଟାରେ ତାଙ୍କର ଏପରି ସୂକ୍ଷ୍ମ କଳା ସମସ୍ତଙ୍କୁ ମୁଗ୍ଧ କରିଛି ।

ଖାଲି ଏତିକି ନୁଡେଁ ମୁନ୍ନାଙ୍କ ବାପା ସାଇକେଲ ରିପେୟାରିଙ୍ଗ କରି ଚଳନ୍ତି । ସେଥିରେ ସହଯୋଗ କରନ୍ତି ମୁନ୍ନା । ସେଥିରେ ବି ସେ ଦେଖନ୍ତି ପ୍ରାଣପ୍ରିୟ ଶ୍ରୀଜଗନ୍ନାଥଙ୍କୁ । ସାଇକେଲରୁ କଢା ହେଉଥିବା ସ୍ପେୟାର ପାର୍ଟକୁ ଯୋଡି କରିଛନ୍ତି ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି । ବିରି ହେଉ କି ହରଡ ମସୁର ଡାଲି ହେଉ ସବୁଥିରେ ଆଙ୍କି ଦେଉଛନ୍ତି ଦେବାଦେବୀଙ୍କ ଚିତ୍ର । ଏତିକିରେ ତାଙ୍କ କଳାକୃତି ଶେଷ ହେଉନି । ଚକ୍ ଖଡିରେ ଖୋଦେଇ କରି ପ୍ରସ୍ତୁତ କରୁଛନ୍ତି ଜନନାୟକଙ୍କ ପ୍ରତିମୂର୍ତ୍ତି ।

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ଆଗେଇଥିବା ମୁନ୍ନାଙ୍କ ଏହି କଳାକୁ ଲେନ୍ସ ମାଧ୍ୟମରେ ଦେଖିଲେ ଆଖି ଲାଖିଯିବ ନିଶ୍ଚୟ । ତେବେ ତୁଳସୀ ଜଟାରେ ବଡଠାକୁରଙ୍କ ଅବତାର ସବୁକୁ ଆଙ୍କି ସେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଥିବାବେଳେ ଆଗାମୀ ଦିନରେ ସେଏଭଳି କଳାକୃତି ଦ୍ୱାରା ବିଶ୍ୱ ରେକର୍ଡ କରିବାକୁ ଲକ୍ଷ୍ୟ ରଖିଛନ୍ତି ମୁନ୍ନା ।