ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସକୁ ବଡ ଝଟକା । ଦଳରୁ ବାଦ୍ ପଡିଲେ ଷ୍ଟାର ବୋଲର ।

2,446

କନକ ବ୍ୟୁରୋ: ଆଇପିଏଲ୍ ଆରମ୍ଭ ହେବାକୁ ଆଉ ମାତ୍ର ଦିନ କେଇଟା ବାକି ଅଛି । ଆଉ ଏହା ପୂର୍ବରୁ ଆଇପିଏଲ୍ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିଛି ବଡ ଝଟକା । ଦଳର ଦ୍ରୁତ ବୋଲର ଜେସନ୍ ବେହରନଡ୍ରଫ୍ ଆହତ ହେବା କାରଣରୁ ଆଇପିଏଲରୁ ବାଦ୍ ପଡିଛନ୍ତି । ବାମହାତୀ ଏହି ଦ୍ରୁତ ବୋଲର ନୂଆ ବୋଲରେ ୱିକେଟ୍ ହାସଲ କରିବାରେ ସିଦ୍ଧହସ୍ତ । ହେଲେ ଆହତ ଜନିତ ସମସ୍ୟା ହେତୁ ସେ ଏଥର ଆଇପିଏଲ୍ ଖେଳିପାରିବେନି ବୋଲି ସ୍ପଷ୍ଟ ହେଇଛି ।

ଗତ ବର୍ଷ ୧୨ଟି ମ୍ୟାଚ୍ ଖେଳି ୧୪ଟି ୱିକେଟ୍ ହାସଲ କରିଥିବା ଏହି ବୋଲର ଆହତ ହେଇ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିବା ପରେ ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିଛି ଦ୍ୱିତୀୟ ଝଟକା । କାହିଁକି ନା, ଏହାର ଗୋଟିଏ ଦିନ ପୂର୍ବରୁ ଶ୍ରୀଲଙ୍କା ଖେଳାଳି ଦିଲଶାନ ମଧୁଶଙ୍କା ମଧ୍ୟ ଆହତ ହେଇ ଆଇପିଏଲରୁ ବାଦ୍ ପଡିଥିଲେ । ଦିଲଶାନ ମଧୁଶଙ୍କାଙ୍କ ଫିଟନେସ୍ ରିପୋର୍ଟରେ କୁହାଯାଇଥିଲା କି, ସେ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ମ୍ୟାଚ୍ ଖେଳିପାରିବେ ନାହିଁ । ଅର୍ଥାତ ସେ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଏଥର ମ୍ୟାଚ୍ ଖେଳିପାରିବେ ନାହିଁ ବୋଲି ସ୍ପଷ୍ଟ ହେଇଥିଲା ।

ତେବେ ଆଶ୍ୱସ୍ତିର କଥା ହେଉଛି, ମୁମ୍ବାଇ ଇଣ୍ଡିଆନ୍ସ ଜେସନ୍ ବେହରନଡ୍ରଫଙ୍କ ପ୍ରତି ବଦଳରେ ଇଂଲଣ୍ଡର ଲୁକ୍ ବୁଡଙ୍କୁ ଦଳରେ ସାମିଲ କରିଛି । ଲୁକ୍ ବୁଡଙ୍କୁ ତାଙ୍କ ବେସ୍ ପ୍ରାଇସ୍ ୫୦ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍ । ପ୍ରଥମ ପର୍ଯ୍ୟାୟରେ କେବଳ ୨୧ଟି ମ୍ୟାଚର ସିଡ୍ୟୁଲ ପ୍ରକାଶ ପାଇଛି । ୧୭ ଦିନ ଭିତରେ ଏହି ୨୧ଟି ମ୍ୟାଚ୍ ଖେଳାଯିବ । ଯାହାର ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମୁହାଁମୁହିଁ ହେବେ ।