ମୁମ୍ବାଇର ଏଲଫିନଷ୍ଟେନ୍ ଷ୍ଟେସନରେ ଅଘଟଣ! ଯାତ୍ରୀଙ୍କୁ ଭ୍ରମିତ କରିଦେଲା ଗୁଜବ

21

କନକ ବ୍ୟୁରୋ : ଟ୍ରେନ୍ ସେବାକୁ ମୁମ୍ବାଇର ଜୀବନରେଖା ବୋଲି କୁହାଯାଏ । ପ୍ରାୟ ୩ ହଜାର ଲୋକାଲ୍ ଟ୍ରେନରେ ଯାତ୍ରା କରନ୍ତି ପାଖାପାଖି ୭୫ ଲକ୍ଷ ଯାତ୍ରୀ । ଆଜି ଯେତେବେଳେ ଏଲଫିନଷ୍ଟେନ୍ ଷ୍ଟେସନରେ ଘଟିଥିବା ଅଘଟଣ, ନିଶ୍ଚିତ ଭାବରେ ଯାତ୍ରୀଙ୍କ ସୁରକ୍ଷା ନେଇ ସୃଷ୍ଟି କରିଛି ଏକ ବଡ ପ୍ରଶ୍ନବାଚୀ । ତେବେ କେମତି ଘଟିଥିଲା ଏହି ଦଳଚକଟା ? କେଉଁ ପରିସ୍ଥିତିରେ ପ୍ରାଣ ହରାଇଲେ ୨୨ ଜଣ ବ୍ୟକ୍ତି ?

ସବୁ ଦିନ ଭଳି ଆଜି ବି ସ୍ୱାଭାବିକ ଚାଲିଥିଲା ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ବ୍ୟସ୍ତ ବହୁଳ ଜୀବନ ଯାତ୍ରା । କିଏ ଅଫିସ୍ ଯାଉଥିଲା, ତ କିଏ ଘରକୁ ଫେରୁଥିଲା । ଏଲଫିନଷ୍ଟେନ୍ ଏବଂ ପରେଲ ଷ୍ଟେସନକୁ ସଂଯୋଗ କରୁଥିବା ପାଦଚଲା ଓଭରବ୍ରିଜରେ ସେମିତି ଯା-ଆସ କରୁଥିଲେ ଲୋକ । ବ୍ୟସ୍ତବହୁଳ ସୂଚୀ, ଜନଗହଳିର ସ୍ୱର ଆଉ ତା’ସହ ମୁମ୍ବାଇର ବର୍ଷା। ଝିପି ଝିପି ବର୍ଷା ଦାଉରୁ ଯାତ୍ରୀଙ୍କ ଆଶ୍ରୟର ଠିକଣା ଥିଲା, ୧୦୬ ବର୍ଷର ପୁରୁଣା ଏହି ପାଦଚଲା  ଓଭର ବ୍ରିଜ୍ । ଅଣ ଓସାରିଆ ପୋଲ ଉପରେ ଶତାଧିକ ଲୋକଙ୍କ ଗହଳି । ଠିକ୍ ଏହି ସମୟରେ ଖସି ଯାଇଥିଲା ଜଣେ ଯାତ୍ରୀଙ୍କ ପାଦ । ଦୋହଲିଗଲା ପୁରା ସନ୍ତୁଳନ । ଆଉ ଏହାରି ଭିତରେ ପୁରା ମାହୋଲକୁ ଭ୍ରମିତ କରିଦେଲା ଗୁଜବ୍ ।

ଓଭରବ୍ରିଜରୁ ତଳକୁ ଓହ୍ଲାଇବା ପାଇଁ ଏତେ ଜୋରରେ ପ୍ରତିଯୋଗିତା ହେଲା ଯେ, ଆପଣାଛାଁଏ ଜନଗହଳି ନେଇଗଲା ଦଳାଚକଟାର ରୂପ । ଚାହିୁଁଚାହୁଁ ଚାଲିଗଲା ସଂଖ୍ୟାଧିକ ଜୀବନ । ମୁଖ୍ୟତଃ ଦୁଇଟି ଗୁଜବ, ଏବେ ଏତେ ବଡ ଏକ ଅଘଟଣ ପାଇଁ ଦାୟୀ ବୋଲି କୁହାଯାଉଛି । ଓଭରବ୍ରିଜ୍ ଭୁଷୁଡିବାର ଗୁଜବ୍ ଏବଂ ସଟ୍ ସର୍କିଟ୍ ହେବାର ଗୁଜବ୍ ଯେମିତି ବିଗାଡ଼ି ଦେଲା ପୁରା ଏଲଫିନଷ୍ଟେନର ମାହୋଲ । ଯେଉଁ ଟ୍ରେନ୍ ସେବାକୁ ମୁମ୍ବାଇର ଜୀବନ ରେଖା ବୋଲି କୁହାଯାଏ, ସେହି ଜୀବନ- ରେଖା ସାମ୍ନାରେ ଘଟିଗଲା ବଡଧରଣର ଅଘଟଣ । ଆଉ ଏହି ଘଟଣା, ପ୍ରାୟ ୩ହଜାର ଲୋକାଲ୍ ଟ୍ରେନରେ ଯାତ୍ରା କରୁଥିବା ପାଖାପାଖି ୭୫ ଲକ୍ଷ ଯାତ୍ରୀଙ୍କ ସୁରକ୍ଷା ଉପରେ ଏକ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି ।