ଏଥର ସମ୍ବଲପୁରରେ ହେଭିୱେଟ୍ ଲଢେଇ । ବିଜେଡିରୁ ପ୍ରଣବ, ବିଜେପିରୁ ଧର୍ମେନ୍ଦ୍ର । କାହାକୁ ସଂସଦ ପଠେଇବେ ସମ୍ବଲପୁର ଭୋଟର?

415

କନକ ବ୍ୟୁରୋ: ସମ୍ବଲପୁରରେ ଏଥର ହେଭିୱେଟଙ୍କ ଲଢେଇ । ମୁହାଁମୁହିଁ ହେବେ କେନ୍ଦ୍ରମନ୍ତ୍ରୀ ଆଉ ବିଜେଡି ସାଙ୍ଗଠନିକ ସମ୍ପାଦକ । ସମ୍ବଲପୁର ଲୋକସଭା ଆସନ ପାଇଁ ବିଜେପି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟିକେଟ୍ ଦେଇସାରିଥିବାବେଳେ, ଆଜି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ସମ୍ବଲପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଛି । ତେଣୁ ଏଥର ସମ୍ବଲପୁରରେ ବବି ବନାମ ଧର୍ମେନ୍ଦ୍ର ମୁହାଁମୁହିଁ ହେବା ପକ୍କା ହେଇଛି ।

ଗତ କିଛି ମାସ ହେଲା ଧର୍ମେନ୍ଦ୍ର ପ୍ରଧାନ ବାରମ୍ବାର ସମ୍ବଲପୁର ଗସ୍ତ କରୁଥିଲେ । ସେଠାରେ ସଙ୍ଗଠନକୁ ମଝବୁତ୍ କରିବାକୁ ଚେଷ୍ଟା ଚଳାଇଥିଲେ । ତେଣୁ ଏଠାରୁ ସେ ପ୍ରାର୍ଥୀ ହେବା ପକ୍କା ବୋଲି କୁହାଯାଉଥିଲା । ଆଉ ଅନୁମାନକୁ ସତ କରି ବିଜେପି କେନ୍ଦ୍ରୀୟ ନେତୃତ୍ୱ ମଧ୍ୟ ଧର୍ମେନ୍ଦ୍ରଙ୍କୁ ସମ୍ବଲପୁରରୁ ପ୍ରାର୍ଥୀ କରିଥିଲେ । ଅନ୍ୟପଟେ ପ୍ରଣବ ପ୍ରକାଶ ଦାସ ମଧ୍ୟ ସମ୍ବଲପୁର ଜିଲ୍ଲାର ପର୍ଯ୍ୟବେକ୍ଷକ ରହିଥିଲେ । ତେଣୁ ଧର୍ମେନ୍ଦ୍ରଙ୍କୁ ଚେକ୍ ଦେବାକୁ ବିଜେଡି ଏଠାରେ ନିଜର ସାଙ୍ଗଠନିକ ସମ୍ପାଦକଙ୍କୁ ଆଗକୁ ଆଣିଛି ବୋଲି କୁହାଯାଉଛି ।

ସମ୍ବଲପୁର ଲୋକସଭା ଆସନ ଗତଥର ବିଜେପି ହାତରେ ରହିଥିଲା । ବିଜେପି ପ୍ରାର୍ଥୀ ନୀତେଶ ଗଙ୍ଗଦେବ ଏହି ଆସନରୁ ନିର୍ବାଚିତ ହେଇଥିଲେ । ବିଜେଡି ପ୍ରାର୍ଥୀ ନୀଳିନୀକାନ୍ତ ପ୍ରଧାନଙ୍କୁ ହରାଇ ସେ ବିଜୟ ହାସଲ କରିଥିଲେ । ହେଲେ ୨୦୧୯ରୁ ୨୦୨୪ ଭିତରେ ସମ୍ବଲପୁର ରାଜନୀତିରେ ଢେର ପରିବର୍ତ୍ତନ ଆସିଛି । ବିଜେପି ଏଠାରେ କେନ୍ଦ୍ରମନ୍ତ୍ରୀଙ୍କୁ ନିଜର ଯୋଦ୍ଧା ଘୋଷଣା କରିଥିବାବେଳେ, ବିଜେଡି ନିଜର ସାଙ୍ଗଠନିକ ସମ୍ପାଦକଙ୍କୁ ସେନାପତି ବାଛିଛି । ତେଣୁ ଦେଖିବା ବାକି ରହିଲା ସମ୍ବଲପୁର ଭୋଟର କାହାକୁ ସଂସଦ ପଠାଉଛନ୍ତି?