ବାଦଲ ଫଟା ବର୍ଷାରେ ବେହାଲ ହିମାଚଳପ୍ରଦେଶ । ପାହାଡ ଧସିବାପରେ ଭାଙ୍ଗିଲା ଘର ଦ୍ୱାର, ବନ୍ୟାପାଣିରେ ଭାସିଗଲା ଘର ଓ ଗାଡି ମଟର । 

307

କନକ ବ୍ୟୁରୋ : ବାଦଲ ଫଟା ବର୍ଷା ପରେ ବନ୍ୟାରେ ବେହାଲ ହିମାଚଳ ପ୍ରଦେଶ ବାସିନ୍ଦା । ଅନେକ ସ୍ଥାନରେ ପାହାଡରୁ ମାଟି ଅତଡା ଖସି ରାସ୍ତା ଜାମ୍ ହୋଇଛି । ପୁଣି କେଉଁଠି ନଦୀ ଉପରେ ପୋଲ ଭାସିଯିବାରୁ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଛି । ଏନଡିଆରଏଫ ଟିମର ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

ପାହାଡ ଉପରେ ପାଣିର ତାଣ୍ଡବ । ବହିଗଲା ଗାଡି, ଦୋକାନ ଘର । ହିମାଚଳ ପ୍ରଦେଶରେ ବର୍ଷାର ତାଣ୍ଡବ ପରେ ପରିସ୍ଥିତି ଅଣାୟତ ହୋଇପଡିଛି । ସବୁଠାରୁ ଅଧିକ ପ୍ରଭାବିତ ହୋଇଛି କାଙ୍ଗରା ଜିଲ୍ଲା । ଭାଗସୁନାଗ ଠାରେ ବାଦଲ ଫଟା ବର୍ଷା ପରେ ନଦୀରେ ବନ୍ୟା ଆସିଥିଲା । ଫଳରେ ଅନେକ ସ୍ଥାନରେ ରାସ୍ତା ଧୋଇ ହୋଇଯାଇଥିବା ଦେଖିବାକୁ ମିଳିଛି । ଲୋକ ଏକ ଦଉଡିକୁ ସାହାରା କରି ନଈ ପାର ହେଉଥିବା ଦେଖିବାକୁ ମିଳିଛି । ସେପଟେ ପାହାଡରୁ ଅତଡା ଖସି ଅନେକ ଘର ନଷ୍ଟ ହୋଇଯାଇଛି । ଏନଡିଆରଏଫ ଦଳ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛି । ୫ ଜଣଙ୍କୁ ଏନଡିଆରଏଫ କର୍ମୀ ଉଦ୍ଧାର କରିଛନ୍ତି ।

ବାଦଲ ଫଟା ବର୍ଷା ପାଇଁ ପ୍ରଭାବିତ ହୋଇଛି ଧର୍ମଶାଳା । ଏଠାରେ ମାଞ୍ଝି ନଦୀରେ ବନ୍ୟା ଆସିବା ଫଳରେ ଅନେକ ଘର, ଦୋକାନ ବନ୍ୟା ପାଣିରେ ଭାସିଯାଇଛି । ରାଜ୍ୟର ଅନେକ ସ୍ଥାନରେ ଲଗାଣ ବର୍ଷାରେ ଧନ, ଜୀବନ ପ୍ରଭାବିତ ହୋଇଛି । ମୂଶଳ ଧାରାର ବର୍ଷାରେ ଅନେକ ଗାଡି, ମଟର ମାଟିରେ ପୋତି ହୋଇଯାଇଛି । ଯାହାକୁ ଏନଡିଆରଏଫ ଟିମ୍ ଖୋଳିକି ବାହାର କରୁଛି ।

ଗୋଟିଏ ପଟେ କରୋନା ମହାମାରୀକୁ ନେଇ ଦେଶରେ ଲଢେଇ ଚାଲିଥିବାବେଳେ, ଏବେ ପ୍ରାକୃତିକ ବିପର୍ଯ୍ୟୟ ସାଧାରଣ ଧନ, ଜୀବନ ପ୍ରଭାବିତ କରିଛି ।