ଜନ୍ମବେଦୀ ଅଭିମୁଖେ ମହାପ୍ରଭୁ । ଗୋଟି ପହଣ୍ଡିରେ ଆଡପମଣ୍ଡପକୁ ବିଜେ କରୁଛନ୍ତି ଚତୁର୍ଦ୍ଧା ମୂରତି ।

55

କନକ ବ୍ୟୁରୋ: ଜନ୍ମବେଦୀକୁ ଗୋଟି ପହଁଣ୍ଡିରେ ବିଜେ କରୁଛନ୍ତି ଚତୁର୍ଦ୍ଧା ମୂରତୀ । ଗୋଟି ପହଣ୍ଡିରେ ଜନ୍ମବେଦୀକୁ ଯାଉଛନ୍ତି ତିନି ଠାକୁର । ଭାଇ-ଭଉଣୀଙ୍କୁ ସାଥିରେ ଧରି ରତ୍ନବେଦୀରୁ ବାହାରି ଆସିଥିବା ଜଗତର ନାଥ ବିଜେ କରୁଛନ୍ତି ଯଜ୍ଞବେଦୀକୁ । ତିନି ଠାକୁର ଆସିବା ପରେ ଚଳଚଂଚଳ ହୋଇଉଠିଛି ଗୁଣ୍ଡିଚା ମନ୍ଦିର । ରଥ ଉପରେ ଅନ୍ୟାନ୍ୟ ନୀତି ପରେ ସଂଧ୍ୟା ଧୂପ କରାଯାଇ ତିନି ରଥରୁ ଘୋଡା ଫିଟାଯାଇଥିଲା । ପରେ ଚାରମାଳ ବନ୍ଧା ଯାଇଛି ।

ଚତୁର୍ଦ୍ଧା ମୂର୍ତିଙ୍କୁ ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ନିଆଯାଉଛି । ପ୍ରଥମେ ରାମକୃଷ୍ଣ ଓ ମଦନମୋହନଙ୍କୁ ନିଆଯାଇଥିଲା । ତାପରେ ସୁଦର୍ଶନଙ୍କ ପହଣ୍ଡି କରାଯାଇଥିଲା । ରାମକୃଷ୍ଣ, ମଦନମୋହନ ଓ ଚକ୍ରରାଜ ସୁଦର୍ଶନ ଆଡପ ମଣ୍ଡପକୁ ବିଜେ କରିବା ପରେ ରଥାରୁଢ ବଡ ଠାକୁର ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ସେବାୟତମାନେ ବଡ ଠାକୁରଙ୍କୁ ଗୋଟି ପହଣ୍ଡିରେ ଜନ୍ମବେଦୀକୁ ବିଜେ କରାଇଛନ୍ତି । ଦେବୀ ସୁଭଦ୍ରାଙ୍କୁ ଏବେ ଆଡପମଣ୍ଡକୁ ପହଁଣ୍ଡିରେ ନିଆଯାଉଛି ।

ଭାଇ-ଭଉଣୀଙ୍କୁ ସାଥିରେ ଧରି ୯ ଦିନିଆ ରଥଯାତ୍ରାରେ ଶ୍ରୀମନ୍ଦିରରୁ ବାହାରି ଆସିଛନ୍ତି ଜଗତ ଠାକୁର ଜଗନ୍ନାଥ । ଗତକାଲି ଭଳି ଆଜି ବି କରୋନା କଟକଣା ମଧ୍ୟରେ ଆଡପ ମଣ୍ଡପ ବିଜେ ବିଧି ଚାଲିଛି । ଶ୍ରୀଜୀଉ ଆଡପ ମଣ୍ଡପକୁ ବିଜେ କରିବା ପରେ ଭକ୍ତ ଆଡପ ଦର୍ଶନ କରିଥାନ୍ତି । ହେଲେ ମହାମାରି କରୋନା କଟକଣା କାରଣରୁ ଚଳିତ ବର୍ଷ ଭକ୍ତଙ୍କୁ ପୁରୀ ମନା ହୋଇଥିବା ବେଳେ ଆଡପ ଦର୍ଶନକୁ ମଧ୍ୟ ବନ୍ଦ ରଖାଯାଇଛି ।