ଲଘୁଚାପ ପ୍ରଭାବରେ ଦୁଇ ଦିନ ଯାଏଁ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା । ୧୨ ଜିଲ୍ଳାକୁ ବର୍ଷା ଆଲର୍ଟ । ଗୋପାଳପୁର ଓ ପୁରୀ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ । 

192

କନକ ବ୍ୟୁରୋ : ଲଘୁଚାପ ପ୍ରଭାବରେ ୨ ଦିନ ଯାଏଁ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା । ୧୨ ଜିଲ୍ଳାକୁ ଜାରି ହୋଇଛି ବର୍ଷା ଆଲର୍ଟ । ୬ ଜିଲ୍ଲାକୁ ଅଂରେଜ ଓ ୬ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ । ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକ ହେଉଛି ଗଜପତି, କଟକ, ଖୋର୍ଧା, ଯାଜପୁର, ଢେଙ୍କାନାଳ, ମୟୁରଭଂଜ । ଅରେଂଜ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକ ଗଂଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଏବଂ ବାଲେଶ୍ୱର ।

ଏହାର ପ୍ରଭାବରେ ଓଡିଶାର ଅନେକ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଯାଇଛି । ବର୍ତମାନ ଉତର ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ଅବପାତ ଏବେ ପାରାଦୀପ ଠାରୁ ଦକ୍ଷିଣ, ଦକ୍ଷିଣ-ପୂର୍ବ ଦିଗରେ ୧୮୦ କିମି ଦୂରରେ ସକ୍ରିୟ ରହିଛି । ଏହା ପଶ୍ଚିମବଙ୍ଗ ସାଗର ଦୀପ ପୁଞ୍ଜ ଠାରୁ ଦକ୍ଷିଣ , ଦକ୍ଷିଣ-ପୂର୍ବ ଦିଗରେ ୩୫୦ କିମି ଏବଂ ବାଂଲାଦେଶର ଖେପୁପୁର ଠାରୁ ଦକ୍ଷିଣ, ଦକ୍ଷିଣ-ପୂର୍ବ ଦିଗରେ ୪୯୦ କିମି ଦୂରରେ ରହିଛି । ଏହା ଆଗାମୀ ୨୪ ଘଂଟାରେ ଆହୁରି ସକ୍ରିୟ ହୋଇ ଗଭୀର ଅବପାତର ରୂପ ନେବ ।

ଉତର, ଉତର-ପୂର୍ବ ଦିଗରେ ଗତି କରି ଆସନ୍ତାକାଲି ଅପରାହ୍ନ ସମୟରେ ସାଗର ଦ୍ୱୀପପୁଞ୍ଜ ଏବଂ ବାଂଲାଦେଶର ଖେପୁପୁରା ଠାରେ ଉପକୂଳକୁ ଅତିକ୍ରମ କରିବା ସଂଭାବନା ରହିଛି । ଲଘୁଚାପ ପ୍ରଭାବରୁ ଏବେ ଉପକୂଳ ଓଡିଶାରେ ବର୍ଷା ଲାଗିଛି । ଆସନ୍ତାକାଲି ଦକ୍ଷିଣ ଓଡିଶାରେ ଅଧିକ ବର୍ଷାର ପ୍ରଭାବ ରହିବ । ସଂଭାବ୍ୟ ଅବପାତ ଏବଂ ପବନର ବେଗକୁ ଦେଖି ଓଡିଶାର ଗୋପାଳପୁର ଏବଂ ପୁରୀ ବନ୍ଦରକୁ ୩ନଂ ବିପଦ ସଂକେତ ଜାରି କରାଯାଇଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି ।