ଗାଡି ଚଳାଇବାକୁ ଲାଗୁଛି ଡର । ଧସିଲା ମାଟି, ରାସ୍ତାରେ ଯାଉ ଯାଉ ଗାତରେ ପଡିଗଲେ ଚାଳକ । ଦୁର୍ଘଟଣା ପରେ ଉଠିଲା ପ୍ରଶ୍ନ, ଲୋକଙ୍କୁ ମରଣ ମୁହଁକୁ ଠେଲି ଦେବାକୁ କିଏ କରିଥିଲା ଏମିତି କାମ ?

388

କନକ ବ୍ୟୁରୋ: ରାସ୍ତା ମଝିରେ ବିରାଟ ଗର୍ତ୍ତ । ଧସିଲା ମାଟି, ଗଳି ପଡିଲା ବାଇକ୍ । ରାଜରାସ୍ତାରେ ଛକି ବସିଛି ଯମ । ଜାଲ ବିଛାଇ ମଝି ରାସ୍ତାରୁ ଟାଣି ନେଉଛି ମୃତ୍ୟୁ । ସେ ଜାଲର କିଏ, କେତେବେଳେ ଛନ୍ଦି ହେବ ତାହା କହିବା ମୁସ୍କିଲ । କାରଣ ଏଠି ମଣିଷଟିଏ ମଣିଷ ପାଇଁ ବିଛାଇଛି ମୃତ୍ୟୁର ଫାସ । ଆପଣଙ୍କ ସାମ୍ନାରେ ଏ ବିରାଟ ଗର୍ତ୍ତ କେଉଁ ଅପହଞ୍ଚ ଇଲାକା କିମ୍ବା କେଉଁ ପାହାଡିଆ ରାସ୍ତାର ନୁହେଁ ବରଂ ଏ ଗାତ ରାଜରାସ୍ତାର । ଢେଙ୍କାନାଳ କାମାକ୍ଷାନଗରର । ବିଶାଳ ଗାତକୁ ଦେଖିଲେ ଯିଏ ବି ହେଲେ ଭୟଭୀତ ହୋଇଯିବେ କାରଣ ଜାତୀୟ ରାଜପଥରେ ଏଭଳି ଗାତ ମୃତ୍ୟୁକୁ ହୁଇସିଲ ମାରି ଡାକିବା ପରି କଥା…

ଏ ବିରାଟ ଗର୍ତ୍ତକୁ ଦେଖି ଆପଣ ଥରେ ଅନୁମାନ ଲଗାନ୍ତୁ । କେଉଁ ଗୁରୁତ୍ୱପୂର୍ଣ୍ଣ କାମରେ ଆପଣ ବାହାରିଥିବେ କିମ୍ବା କାହାକୁ ଆପଣ ଭେଟିବାକୁ ଯାଉଥିବା ଅବା ହସ ଖୁସିରେ ଘରକୁ ଫେରୁଥିବେ । ଆଉ ହଠାତ ରାସ୍ତା ମଝିରେ ମାଟି ଧସିଯିବ । ଆପଣଙ୍କ ବାଇକ ତଳକୁ ଖସିଯିବ । ବିରାଟକାୟ ଗାତ ଭିତରେ ଜୀବନ ନେଇ ଫସି ରହିଥିବେ ଆପଣ । ଏମିତି କିଛି ଘଟଣାର ଦୃଶ୍ୟ ଆଖି ସାମ୍ନାକୁ ଆଣିଲେ ଦେହ ଥରି ଉଠୁଛି । ହେଲେ ଏହି ଭୟଙ୍କର ଘଟଣାର ମୁକସାକ୍ଷୀ ସାଜିଛନ୍ତି କାମାକ୍ଷାନଗରର ଜଣେ ଯୁବକ ।

ତେବେ ବାଇକରେ ଯିବାବେଳେ କାମାକ୍ଷନଗର ଆଳତୁମା ରାମିଆଳ ନଦୀ ବ୍ରିଜ ଠାରେ ଜଣେ ଯୁବକ ବାଇକ ସହ ଗର୍ତ୍ତରେ ପଡିଥିଲେ । ଲିପୁନ ନାୟକ ନାମକ ଜଣେ ବାଇକ ଚାଳକ ଯାଉଥିବା ବେଳେ ହଠାତ ରାସ୍ତା ଧସିଗଲା ଆଉ ସେ ପାଖାପାଖି ୭ ଫୁଟର ଗାତ ଭିତରକୁ ଖସି ପଡିଥିଲେ । ବାଇକ ସହ ପଡିଯିବା ପରେ ତାଙ୍କୁ ଉଦ୍ଧାର କରିଥିଲେ ପଛରୁ ଆସୁଥିବା ଲୋକ । ତେବେ ସବୁଠାରୁ ବଡ କଥା ହେଉଛି ତାଙ୍କ ସାମ୍ନାରେ ଦୁଇଟି ବଡ ବଡ ଟ୍ରକ ଯାଉଥିଲା । ଯଦି ମାଟି ଧସି ଟ୍ରକ ଓଲଟି ପଡିଥାନ୍ତା ତେବେ କଣ ହୋଇଥାନ୍ତା ଅବସ୍ଥା ? ପଛରୁ ଆସୁଥିବା ଚାଳକମାନଙ୍କର ଜୀବନ ଅକାଳରେ ଚାଲିଯାଇଥାନ୍ତା? ଆଉ ରାସ୍ତା ମଝିରେ ଘଟିଥାନ୍ତା ଭୟଙ୍କର ଘଟଣା ।

ତେବେ ଦୁର୍ଘଟଣା ପରେ ଉକ୍ତ ସ୍ଥାନରେ ସମ୍ପୃକ୍ତ ଠିକା କମ୍ପାନୀ ତରଫରୁ ମାଟି ପକାଇ କାମ କରାଯାଇଛି । ଆଉ ଉକ୍ତ ସ୍ଥାନକୁ ବାଡା ଦେଇ ଘେରା କରାଯାଇଛି ।

ଭୟଙ୍କର ଦୁର୍ଘଟଣାରୁ ସିନା ବର୍ତ୍ତିଗଲେ ଲିପୁନ । ହେଲେ ଏ ଘଟଣା ବ୍ୟବସ୍ଥାକୁ ସଜାଗ କରିଦେଲା । ଏନଏଚଆଇ ଉପରେ ଆଙ୍ଗୁଳି ଉଠାଇଲା । ଆଉ ରାସ୍ତା କାମରେ କେତେ ଗଫଲତି ରହିଛି ତାର ଗୁମର ଫିଟାଇ ଦେଲା । ମହାକାଳ ଫଳ ଭଳି ଉପର ସୁନ୍ଦର ଦିଶୁଥିଲେ ହେଁ ଚିକଣ ରାସ୍ତାର ଭିତର ଭାରି ଭୟଙ୍କର । ତେବେ କାହିଁକି ହେଲା ଏତେ ବଡ ଗାତ ? ଏନଏଚ-୫୩ରେ ହୋଇଥିବା ବିରାଟ ଗର୍ତ୍ତ ପଛରେ ବଡ ଭୁଲ କଣ ? ସେତୁକୁ ସଂଯୋଗ କରୁଥିବା ରାସ୍ତାରେ କେଉଁ କାରଣରୁ ଏମିତି ହେଲା? କାମ ଠିକ ହୋଇ ନଥିଲା ନା କାମରେ ମିଶିଥିଲା ବାଟମାରଣାର ବାଲିଗୁଡି? କାହା ପେଟକୁ ଯାଇଛି ଦୁର୍ନୀତିର ବିଡା ବିଡା ନୋଟ ? ଯଦି ଆଗକୁ ଏ ରାସ୍ତାରେ ଏମିତି ମାଟି ଧସି ଲୋକଙ୍କ ମୃତ୍ୟୁ ହୁଏ ତେବେ କିଏ ହେବ ଦାୟୀ ? ଉତ୍ତର ଦେବକି ଏନଏଚଆଇ ?