ଆସନ୍ତା ୨ ଦିନ ଯାଏଁ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆଶଙ୍କା : ୩ ଜିଲ୍ଲା ଖୋର୍ଦ୍ଧା, କଟକ, ନୟାଗଡରେ ଗ୍ରୀଷ୍ମ ଲହରୀ ଚେତାବନୀ

୨୮,୨୯ ତାରିଖ ଆଡକୁ କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ହୋଇପାରେ କାଳବୈଶାଖୀ ବର୍ଷା

117

କନକ ବ୍ୟୁରୋ : ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପ୍ରବାହିତ ହେବ । ବିଶେଷକରି ଖୋର୍ଧା, କଟକ ଓ ନୟାଗଡ଼ରେ ଜିଲ୍ଲାରେ ଗ୍ରୀଷ୍ମ ଲହରି ପରିସ୍ଥିତି ଯୋଗୁଁ ଅଂଶୁଘାତଜନିତ ସମସ୍ୟା ସୃଷ୍ଟି ହୋଇପାରେ । ଆସନ୍ତା ଦୁଇ ଦିନ ପାଇଁ ଏହି ତିନି ଜିଲ୍ଲାରେ ଗ୍ରୀଷ୍ମ ଲହରି ପରିସ୍ଥିତି ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯିବା ସହ ଖରାରେ ବାହାରକୁ ବାହାରିବାକୁ ବାରଣ କରାଯାଇଛି । ଏଥିସହ ଆସନ୍ତା ୨୮ ଓ ୨୯ ତାରିଖ ଆଡ଼କୁ ରାଜ୍ୟର କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ କାଳବୈଶାଖୀଜନିତ ବର୍ଷା ସହ ପବନର ବେଗ ୩୦ରୁ ୪୦ କିମ ରହିବାର ସମ୍ଭାବନା ଥିବାରୁ ଏହି ଦୁଇ ଦିନ ପା‌ଇଁ ମଧ୍ୟ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଏପ୍ରିଲ ୪ ତାରିଖ ପୂର୍ବରୁ ତାତିରୁ ଆଶ୍ବସ୍ତିର ସମ୍ଭ‌ାବନା କମ୍‌ । ୩୦ ତାରିଖରେ ପଶ୍ଚିମ ଓଡ଼ିଶା, ୩୧ ତାରିଖରେ ସମଗ୍ର ଓଡ଼ିଶା ଓ ଏପ୍ରିଲ ପହିଲାରେ ଦକ୍ଷିଣ ଉପକୂଳ, କେନ୍ଦ୍ରୀୟ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ସବୁଠାରୁ ଅଧିକ ଗରମ ହେବ । ଏହି ୩ ଦିନରେ ସର୍ବାଧିକ ତାପମାତ୍ରା ଅନେକ ସ୍ଥାନରେ ୪୧ ରୁ ୪୨ ଡିଗ୍ରି ରହିବ । ସମ୍ଭବତଃ ମାର୍ଚ୍ଚ ୩୧ ତାରିଖ ଦିନ ଭୁବନେଶ୍ବର ଦେଶର ପ୍ରମୁଖ ଉତ୍ତପ୍ତ ସହର ହେବ । ଏପ୍ରିଲ ୧ ତାରିଖରେ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ପ୍ରଭାବରେ ଭୁବନେଶ୍ବରରେ ୨୯ ତାରିଖ ଓ ଏପ୍ରିଲ ୨ ରୁ ୪ ତାରିଖ ଭିତରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି ।