ମହାରାଷ୍ଟ୍ରରେ ହୁ ହୁ ହୋଇ ବଢ଼ୁଛି ସଂକ୍ରମଣ : କାଲିଠାରୁ ପୂରା ମହାରାଷ୍ଟ୍ରରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ, ରାତି ୮ଟାରେ ବନ୍ଦ ହେବ ମଲ୍

ରାଜ୍ୟବାସୀଙ୍କୁ ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ; କହିଲେ ସ୍ଥିତିକୁ ଦେଖି ଲକଡାଉନ କରିପାରିବେ ଜିଲ୍ଲାପାଳ

259

କନକ ବ୍ୟୁରୋ : କରୋନାର ଦ୍ରୁତ ସଂକ୍ରମଣକୁ ଆଖିରେ ରଖି ମହାରାଷ୍ଟ୍ରରେ ନାଇଟ କର୍ଫ୍ୟୁ ଜାରି କରିବାକୁ ନିଷ୍ପତି ନେଇଛନ୍ତି ଉଦ୍ଧବ ସରକାର । ଆସନ୍ତାକାଲି ଠାରୁ ମହାରାଷ୍ଟ୍ରରେ ନାଇଟ କର୍ଫ୍ୟୁ ଜାରି ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଧ୍ୟକ୍ଷତାରେ କରୋନା ସ୍ଥିତି ସମୀକ୍ଷା ବୈଠକ ପରି ଏହି ଘୋଷଣା କରାଯାଇଛି ।

ଏନେଇ ଖୁବ ଶୀଘ୍ର ବିପର୍ଯ୍ୟୟ ପରିଚାଳନା ବିଭାଗ ଗାଇଡଲାଇନ ଜାରି କରିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି, ବିପଦ ଟଳିନାହିଁ, ବରଂ ବଢିଛି, ଏହା ଲୋକଙ୍କୁ ବୁଝିବାକୁ ହେବ । ତେଣୁ କଠୋର ପଦକ୍ଷେପ ନେବା ଜରୁରୀ ହୋଇପଡିଛି । ଏଣିକ କରୋନା ସ୍ଥିତିକୁ ଆଧାର କରି ଜିଲ୍ଲାପାଳ ଲକଡାଉନ ଲଗାଇପାରିବେ ବୋଲି କହିଛନ୍ତି ଉଦ୍ଧବ ଠାକରେ ।

ଏଥିସହ କରୋନା କଟକଣାକୁ କଡାକଡି ଭାବେ ପାଳନ କରି କରୋନା ଲଢେଇରେ ପ୍ରଶାସନକୁ ସହଯୋଗ କରିବା ପାଇଁ ମହାରାଷ୍ଟ୍ରବାସୀଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତା ରବିବାର ଠାରୁ ମହାରାଷ୍ଟ୍ରରେ ରାତି ୮ଟାରୁ ସକାଳ ୭ଟା ଯାଏଁ ସମସ୍ତ ମଲ ବନ୍ଦ ରହିବ । ଏଥିସହ ଆଗକୁ ଆସୁଥିବା ହୋଲି, ରଙ୍ଗ ପଂଚମୀ, ଗୁଡ ଫ୍ରାଇଡେ, ଇଷ୍ଟର ସନଡେକୁ ନିରାଡମ୍ବର ଭାବେ ପାଳନ କରିବାକୁ ରାଜ୍ୟବାସୀଙ୍କୁ ଅପିଲ କରିଛନ୍ତି ଉଦ୍ଧବ ଠାକରେ ।