ଏପ୍ରିଲ ପହିଲାରୁ କଡାକଡି ହେବ ଚେକିଂ । ଏଣିକି ଅମାନିଆଙ୍କ ଠାରୁ ଗ୍ରାଜୁଏଟ କନେଷ୍ଟବଳ କାଟିବେ ଚାଲାଣ ।

776

କନକ ବ୍ୟୁରୋ : ଏଣିକି ଗ୍ରାଜୁଏଟ୍‌ କନେଷ୍ଟବଳ ଚାଲାଣ କାଟିବେ। ଟ୍ରାଫିକ୍‌ ନିୟମ ଉଲ୍ଲଘଂନ କରୁଥିବା ଅମାନିଆଙ୍କଠାରୁ ଜରିମାନା ଆଦାୟ କରିବା ଓ ଚାଲାଣ କାଟିବା ପାଇଁ ଗ୍ରାଜୁଏଟ୍‌ କ‌ନେଷ୍ଟବଳଙ୍କୁ କ୍ଷମତା ଦିଆଯାଇଛି। ପୂର୍ବରୁ କମିସନରେଟ୍‌ ପୁଲିସ କରିଥିବା ଏହି ସୁପାରିସ ଉପରେ ରାଜ୍ୟ ସଡ଼କ ପରିବହନ ବିଭାଗ ମୋହର ମାରିଛି। ଏହି ବ୍ୟବସ୍ଥା ଗୋଟିଏ ବର୍ଷ ପାଇଁ କେବଳ କଟକ ଓ ଭୁବନେଶ୍ବରରେ ପାଇଲଟ୍‌ ପ୍ରୋଜେକ୍ଟ ଭାବରେ କାର୍ଯ୍ୟକ୍ଷମ ହେବ । ଏଥିରୁ ସୁଫଳ ମିଳିଲେ ପରେ ଏହା ସମଗ୍ର ରାଜ୍ୟରେ କାର୍ଯ୍ୟକାରୀ ହେବ ବୋଲି ରାଜ୍ୟ ସରକାର ସ୍ଥିର କରିଛନ୍ତି।

ପୁଲିସ ଅଧିକାରୀଙ୍କ ଅଭାବ କାରଣରୁ ଟ୍ରାଫିକ୍‌ ନିୟମ କଡ଼ାକଡ଼ି ହୋଇପାରୁନଥିଲା। ବିଶେଷକରି ଏଏସଆଇ ପଦବୀ କମ୍ ଥିବାରୁ ଆବଶ୍ୟକ ଚାଲାଣ କାଟିବା ସମ୍ଭବ ହେଉନଥିଲା। ତେଣୁ ଗ୍ରାଜୁଏଟ୍‌ କନେଷ୍ଟବଳଙ୍କୁ ଏହି କ୍ଷମତା ଦେବାକୁ କମିସନରେଟ୍‌ ପୁଲିସ ସଡ଼କ ପରିବହନ ବିଭାଗକୁ ସୁପାରିସ୍‌ କରିଥିଲା। ଏବେ ସରକାର ଏହି ସୁପାରିସରେ ମୋହର ମାରିବା ପରେ କଟକ ଭୁବନେଶ୍ବର କମିସନରେଟ୍‌ ପୁଲିସରେ କାର୍ଯ୍ୟରତ ଗ୍ରାଜୁଏଟ୍‌ କନେଷ୍ଟବଳ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଭିନ୍ନ ଥାନା ଓ ଟ୍ରାଫିକ୍‌ ଥାନାଗୁଡ଼ିକରେ କାର୍ଯ୍ୟରତ ଗ୍ରାଜୁଏଟ୍‌ କନେଷ୍ଟବଳ ଚିହ୍ନଟ କରି ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। କନେଷ୍ଟବଳମାନେ ଚାଲାଣ କାଟିବାକୁ କ୍ଷମତାସୀନ ହେବା ପରେ ଅଧିକ ଇ-ଚାଲାଣ ମେସିନର ଆବଶ୍ୟକତା ପଡ଼ିବ। ଏଣୁ ପରିବହନ ବିଭାଗକୁ ଏ ନେଇ କମିସନରେଟ୍‌ ପୁଲିସ ଚିଠି ଲେଖିଛି। ଅଧିକ ପାରିମାଣର ଇ-ଚାଲାଣ ମେସିନ୍‌ ଆସିବା ପରେ ମୁଖ୍ୟ ରାସ୍ତାଘାଟ ସମେତ ଅପହଞ୍ଚ ଅଞ୍ଚଳରେ ମଧ୍ୟ ଏହି ପ୍ରକ୍ରିୟା କଡ଼ାକଡ଼ି ହେବ। ଏହି ପ୍ରକ୍ରିୟା ଆସନ୍ତା ଏପ୍ରିଲ ଏକ ତାରିଖରୁ କଡ଼ାକଡ଼ି କରିବା ପାଇଁ ଯୋଜନା ହୋଇଛି।