ଢେଙ୍କାନାଳ କାନ୍ଥ ପଡ଼ି ୪ ମୃତ୍ୟୁ ଘଟଣା । ମୃତକଙ୍କ ପରିବାରଙ୍କୁ ୪ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।

339

କନକ ବ୍ୟୁରୋ: ଢେଙ୍କାନାଳ ଅଳସୁଆ ସାପ୍ତାହିକ ହାଟରେ କାନ୍ଥ ପଡି ୪ ଜଣଙ୍କ ମୃତ୍ୟୁ ଘଟଣା । ମୃତକଙ୍କ ପରିବାରଙ୍କୁ ମିଳିବ ୪ଲକ୍ଷ ଟଙ୍କା କ୍ଷତିପୂରଣ ସହାୟତା ରାଶି । ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ ପରିବାର ଲୋକଙ୍କୁ ଅନୁକମ୍ପା ସହାୟତା ରାଶି ଘୋଷଣା କରିଛନ୍ତି । ସେହିପରି ଆହତ ମାନଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେପଟେ ପୂର୍ବରୁ ଏହି ଘଟଣାକୁ ନେଇ ଢେଙ୍କାନାଳ ମୁନସିପାଲଟି ପକ୍ଷରୁ ମୃତକଙ୍କ ପରିବାରକୁ ଅନୁକମ୍ପା ମୂଳକ ସହାୟତା ଭାବେ ୨୫ ହଜାର ଟଙ୍କା ପ୍ରଦାନ କରାଯାଇଛି । ଅଧିକ ସହାୟତା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିବ ମ୍ୟୁନିସିପାଲଟି । ଅଳସୁଆ ସପ୍ତାହିକ ହାଟ ନିକଟରେ ଅଘଟଣର ତଦନ୍ତ ନିର୍ଦେଶ ଦେଇଛନ୍ତି ଢେଙ୍କାନାଳ ଜିଲ୍ଲାପାଳ । ସେପଟେ ଏପରି ଦୁର୍ଘଟଣା ପରେ ବାକି ଥିବା କାନ୍ଥକୁ ଜେସିବି ଲଗାଇ ଭାଂଗିଛି ଜିଲ୍ଲା ପ୍ରଶାସନ ।

ସୂଚନା ମୁତାବକ, ଆଜି ସକାଳ ପ୍ରାୟ ୯ଟା ସମୟରେ ରାଇସ୍ ମିଲ୍ କାନ୍ଥ ଭୁସୁଡିବାରୁ ୪ ଜଣ ପ୍ରାଣ ହରାଇଛନ୍ତି । ୧୨ରୁ ଅଧିକ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି । ୪ ମୃତକଙ୍କ ପରିଚୟ ମିଳିଛି । ମୃତକ ମାନେ ସଂଗ୍ରାମ ସାହୁ, ରାମଚନ୍ଦ୍ର ସାହୁ, ମାୟାଧର ମଲ୍ଲିକ ଏବଂ ଅଭିମନ୍ୟୁ ବିଶ୍ୱାଳ ।