ଆଜି ମହାମାୟାଙ୍କ ମହାନବମୀ : ମା’ଙ୍କ ଆରାଧନା ପାଇଁ ଉତ୍ସବମୁଖର ସାରା ରାଜ୍ୟ

126

କନକ ବ୍ୟୁରୋ : ଆଜି ମହାମାୟାଙ୍କ ମହାନବମୀ ପୂଜା । ମା’ଙ୍କ ଆରାଧନା ପାଇଁ ଉତ୍ସବମୁଖର ହୋଇପଡ଼ିଛି ସାରା ରାଜ୍ୟ । ସୁନା, ରୁପା ମେଢ଼ରେ ଝଟକୁଛନ୍ତି ମା’ ଜଗଦଜନନୀ । ଆଜି ମହାନବମୀ ଉପଲକ୍ଷେ ସକାଳୁ ମା’ଙ୍କ ବିଭିନ୍ନ ନୀତିକାନ୍ତି କରାଯିବ । ମା’ଙ୍କ ଆରାଧନା ପାଇଁ ପୂଜା ମଣ୍ଡପ ଗୁଡ଼ିକରେ ଭକ୍ତଙ୍କ ଲମ୍ବା ଧାଡି ଦେଖିବାକୁ ମିଳୁଛି । ଶ୍ରଦ୍ଧାଳୁମାନେ ମା’ଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରୁଛନ୍ତି ।

ଆଳତି, ପୁଷ୍ପାଞ୍ଜଳି ପରେ ସଂଧ୍ୟାରେ କୁମାରୀ ପୂଜା କରାଯିବ । ମେଢ ଓ ସୁଦୃଶ ତୋରଣ ଦେଖିବା ସହ ମା’ଙ୍କ ଆଶୀର୍ବାଦ ନେବାକୁ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଚାରିଆଡେ ଶ୍ରଦ୍ଧାଳୁଙ୍କ ନାହିଁନଥିବା ଗହଳି । ରାସ୍ତାରେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା ହୋଇଥିଲେ ମଧ୍ୟ ପୂଜା ମଣ୍ଡପ ରାସ୍ତାରେ ପ୍ରବଳ ଭକ୍ତଙ୍କ ସମାଗମ ଦେଖିବାକୁ ମିଳୁଛି । ବିଶେଷ କରି ପୂଜା କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦର୍ଶକ ବେଶ୍ ଉପଭୋଗ କରୁଛନ୍ତି ।

ଚଳିତ ବର୍ଷ ରାଜଧାନୀର ଛୋଟ ବଡ଼ ମିଶାଇ ମୋଟ ୧୭୮ ପୂଜା ମଣ୍ଡପରେ ମା’ ଦୁର୍ଗତିନାଶିନୀ ପୂଜା ପାଉଛନ୍ତି । ଏଥିପାଇଁ ପୂରା ସହର ଉତ୍ସବମୁଖର ହୋଇଉଠିଛି । ଭଳିକି ଭଳି ତୋରଣ ସାଙ୍ଗକୁ ଆଖିଝଲସା ଆଲୋକମାଳା ଭକ୍ତଙ୍କୁ ଆକୃଷ୍ଟ କରୁଛି । ପୂର୍ବାହ୍ନ ୧୦ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମା’ଙ୍କ ପାଖରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି । ମହାଷ୍ଟମୀ ଉପଲକ୍ଷେ ସୋମବାର ଦିନ ମଣ୍ଡପଗୁଡ଼ିକରେ ସକାଳୁ ସକାଳୁ ବ୍ରତଧାରୀ ମହିଳାମାନଙ୍କ ଭିଡ଼ ଜମି ଯାଇଥିଲା ।

ମହିଳାମାନେ ପରିବାରର ମଙ୍ଗଳ କାମନା କରି ମା’ଙ୍କ ନିକଟରେ ଭୋଗରାଗ କରିବା ସହ ପୂଜାର୍ଚ୍ଚନା କରିଥିଲେ । ସେହିପରି ମହାନବମୀ ଓ ବିଜୟା ଦଶମୀରେ ପ୍ରବଳ ଭିଡ଼ ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବିଶେଷକରି ଟ୍ରାଫିକ୍‌ ବ୍ୟବସ୍ଥାକୁ ଅଧିକ ବ୍ୟବସ୍ଥିତ କରିବା ପାଇଁ କମିସନରେଟ୍‌ ପୁଲିସ୍ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।