ବିବାହ ବୟସକୁ ନେଇ ଆସିଲା ଚିନ୍ତାଜନକ ତଥ୍ୟ : କେଉଁ ରାଜ୍ୟରେ କେତେ ବୟସରେ ବିବାହ କରୁଛନ୍ତି ଝିଅ ?

189

କନକ ବ୍ୟୁରୋ : ଭାରତରେ ୩୦ ପ୍ରତିଶତ ଝିଅ ୨୧ ବର୍ଷ ପୂର୍ବରୁ କରୁଛନ୍ତି ବିବାହ । ଅର୍ଥାତ୍ ଦେଶରେ ଏକ-ତୃତୀୟାଂଶ ଝିଅ, ୨୧ ବର୍ଷ ହୋଇନଥିବା ବେଳେ ବିବାହ କରୁଛନ୍ତି । ବାଲ୍ୟ ବିବାହକୁ ବେଆଇନ ଘୋଷଣା କରାଯାଇଥିଲେ ବି ଦେଶରେ ଏବେ ବି ହେଉଛି ବାଲ୍ୟ ବିବାହ । ପାଖାପାଖି ୨ ପ୍ରତିଶତ ଝିଅ ୧୮ ବର୍ଷ ହେବା ପୂର୍ବରୁ ବିବାହ ବନ୍ଧନରେ ବାନ୍ଧି ହୋଇ ଯାଉଛନ୍ତି । ୨୦୨୦ରେ କେରଳରେ ୧୮ ବର୍ଷରୁ କମ ବୟସର ଝିଅ ବିବାହ କରିନଥିବା ଜଣାପଡ଼ିଛି । ବିବାହ ବୟସକୁ ନେଇ ଯେଉଁ ତଥ୍ୟ ପ୍ରକାଶ ପାଇଛି, ତାହା ଚିନ୍ତାଜନକ ।

ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ପାଖାପାଖି ୫୫ ପ୍ରତିଶତ ଝିଅ ୨୧ ବର୍ଷ ହେବା ପୂର୍ବରୁ ବିବାହ କରୁଛନ୍ତି । ଓଡ଼ିଶାର ସ୍ଥିତି ମଧ୍ୟ ଭଲ ନାହିଁ । ଓଡ଼ିଶାରେ ୨୧ ବର୍ଷ ହେବା ପୂର୍ବରୁ ୪୨ ପ୍ରତିଶତ ଝିଅଙ୍କର ବାହାଘର ହୋଇଯାଉଛି । ଜମ୍ମୁ କାଶ୍ମୀରରେ ମହିଳାଙ୍କ ହାରାହାରି ବିବାହ ବୟସ ହେଉଛି ୨୬ ବର୍ଷ । ଯାହା ସାରା ଦେଶରେ ସର୍ବାଧିକ । ଏହା ପଛରେ ରହିଛି ପଂଜାବ ଓ ଦିଲ୍ଲୀ । ଏହି ଦୁଇ ରାଜ୍ୟର ହାରାହାରି ବିବାହ ବୟସ ହେଉଛି ୨୪.୪ ବର୍ଷ । ହାରାହାରି ବିବାହ ବୟସ ସବୁଠୁ କମ ରହିଛି ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ । ଏହି ଦୁଇ ରାଜ୍ୟର ହାରାହାରି ବିବାହ ବୟସ ୨୧ । ଆଉ ଓଡ଼ିଶାରେ ଝିଅଙ୍କ ହାରାହାରି ବିବାହ ବୟସ ୨୨ ବର୍ଷ । ଯାହା ଜାତୀୟ ହାରାହାରି ବୟସ ଠାରୁ କମ୍ ।

କେଉଁ ରାଜ୍ୟରେ କେତେ ବୟସରେ ବିବାହ କରୁଛନ୍ତି ଝିଅ ?

ପଶ୍ଚିମବଙ୍ଗ
୧୮ ବର୍ଷରୁ କମ୍ – ୪.୭ %
୧୮-୨୦ ବର୍ଷ – ୫୦.୨%
୨୧ ବର୍ଷରୁ ଅଧିକ – ୪୫.୧%

ଝାଡ଼ଖଣ୍ଡ
୧୮ ବର୍ଷରୁ କମ୍ – ୫.୮ %
୧୮-୨୦ ବର୍ଷ – ୪୮.୮%
୨୧ ବର୍ଷରୁ ଅଧିକ – ୪୫.୪%

ମଧ୍ୟପ୍ରଦେଶ
୧୮ ବର୍ଷରୁ କମ୍ – ୨.୧ %
୧୮-୨୦ ବର୍ଷ – ୪୧.୭%
୨୧ ବର୍ଷରୁ ଅଧିକ – ୫୬.୨%

ଓଡ଼ିଶା
୧୮ ବର୍ଷରୁ କମ୍ – ୩.୭%
୧୮-୨୦ ବର୍ଷ – ୩୮.୩%
୨୧ ବର୍ଷରୁ ଅଧିକ – ୫୮%

ଦିଲ୍ଲୀ
୧୮ ବର୍ଷରୁ କମ୍ – ୧.୯%
୧୮-୨୦ ବର୍ଷ – ୧୫.୫%
୨୧ ବର୍ଷରୁ ଅଧିକ – ୮୨.୬%

ପଞ୍ଜାବ
୧୮ ବର୍ଷରୁ କମ୍ – ୦.୬%
୧୮-୨୦ ବର୍ଷ – ୧୬.୪%
୨୧ ବର୍ଷରୁ ଅଧିକ – ୮୩%

ଜାମ୍ମୁ କାଶ୍ମୀର
୧୮ ବର୍ଷରୁ କମ୍ – ୧.୧%
୧୮-୨୦ ବର୍ଷ – ୮.୨%
୨୧ ବର୍ଷରୁ ଅଧିକ – ୯୦.୭%