ଦେଶରେ ତେଲ ଦର ବଢୁଥିବାବେଳେ ପେଟ୍ରୋଲ-ଡିଜେଲ ଦାମ ୧ ଟଙ୍କା କମ କଲେ ପଶ୍ଚିମବଙ୍ଗ ସରକାର । ଆଜି ମଧ୍ୟରାତ୍ରିରୁ ଲାଗୁ ହେବ ନୂଆ ଦର ।

198

କନକ ବ୍ୟୁରୋ: ସାରା ଦେଶରେ ପେଟ୍ରୋଲ ଆଉ ଡିଜେଲ ଦାମ ହୁ ହୁ ହୋଇ ବଢୁଥିବାବେଳେ ପଶ୍ଚିମବଙ୍ଗରେ ତେଲଦର ୧ ଟଙ୍କା କମ କରିଛି ମମତା ସରକାର । ଯାହାକୁ ମମତା ସରକାରର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ବୋଲି କୁହାଯାଉଛି । ତେଲଦର ୧ ଟଙ୍କା କମ ହେବା ପରେ ଏହି ନୂଆ ଦର ଆଜି ମଧ୍ୟରାତ୍ରିରୁ ପଶ୍ଚିମବଙ୍ଗରେ ଲାଗୁ ହେବ । ତେବେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ମମତାଙ୍କ ଏହି ଘୋଷଣା ପଶ୍ଚିମବଙ୍ଗ ରାଜନୀତିକୁ ମଧ୍ୟ ସରଗରମ କରିଛି ।

ଗତ କିଛି ଦିନ ହେଲା ଦେଶରେ ତେଲଦର ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି । କିଛି ସ୍ଥାନରେ ତେଲ ଦାମ ଶହେ ମଧ୍ୟ ପାର୍ କରିଗଲାଣି । ଯାହାକୁ ନେଇ ଏବେ ବିରୋଧୀମାନେ କେନ୍ଦ୍ର ସରକାରଙ୍କୁ ଆଙ୍ଗୁଠି ଉଠେଇଛନ୍ତି । ଆଉ ଏଭଳି ପରିସ୍ଥିତିରେ ମମତା ସରକାରର ଏହି ଘୋଷଣା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।

ଆଗକୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ବିଜେପି ଏଠାରେ ବିଜୟୀ ହେବାକୁ ଜୋରଦାର କସରତ କରୁଛି । ତେଣୁ ଇଲେକ୍ସନ ପାଖେଇଲେ କେନ୍ଦ୍ର ସରକାର ପଶ୍ଚିମବଙ୍ଗରେ ତେଲଦର କମ କରିବେ ବୋଲି ମମତା ଅଭିଯୋଗ କରିଆସୁଛନ୍ତି । ଅନ୍ୟପଟେ ପଶ୍ଚିମବଙ୍ଗରେ ଏବେ ବି ଅଧିକାଂଶ ସ୍ଥାନରେ ତେଲଦର ୯୦ ପାର୍ କରିଥିବାବେଳେ କୋଲକାତାରେ ଏହାର ଦାମ ୯୧.୭୮ ଟଙ୍କା ରହିଛି ।