ଦୂର ହେବ ଖାଦ୍ୟ ସଙ୍କଟ। ସହମତି ଦେଲେ ରୁଷ ଓ ୟୁକ୍ରେନ୍ ।

207

କନକ ବ୍ୟୁରୋ:  ଖୁବଶୀଘ୍ର ଦୂର ହେବ ଖାଦ୍ୟ ସଙ୍କଟ । ଖାଦ୍ୟ ଶସ୍ୟ ରପ୍ତାନୀ ପାଇଁ ଶେଷରେ ସହମତି ଦେଲେ ରୁଷ ଓ ୟୁକ୍ରେନ୍ । ଗତ ଫେବ୍ରୁଆରୀ ୨୪ତାରିଖରୁ ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଜାରି ରହିଥିବା ଭିତରେ ଦୁଇ ଦେଶ ମଧ୍ୟରେ ଏହି ବୁଝାମଣା ସ୍ୱାକ୍ଷର ହୋଇଛି । କୃଷ୍ଣସାଗର ପଥ ଦେଇ ଜାହାଜରେ ଖାଦ୍ୟଶସ୍ୟ, ସାର ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ବ୍ୟବସ୍ଥାକୁ ସ୍ୱାଭାବିକ କରିବା ପାଇଁ ରୁଷିଆ ଓ ୟୁକ୍ରେନ ମଧ୍ୟରେ ଶୁକ୍ରବାର ଏହି ଚୁକ୍ତି ସ୍ୱାକ୍ଷର ହୋଇଛି । ମସ୍କୋ ଓ କିଭ୍ ମଧ୍ୟରେ ତୁର୍କୀ ଓ ଜାତିସଂଘ ମଧ୍ୟସ୍ଥତା କରି ଏହି ରାଜିନାମାକୁ ସଫଳ କରିଛନ୍ତି । ମିଳିତ ଜାତିସଂଘ ଏହାକୁ ଐତିହାସିକ ଚୁକ୍ତି ବୋଲି କହିଛି । ଏହି ଚୁକ୍ତି ୪ ମାସ ପାଇଁ ହେବ । ଯାହା ଅନୁଯାୟୀ ୟୁକ୍ରେନରୁ ଗହମ ଓ ମକା ରପ୍ତାନି ଖୁବ୍ ଶୀଘ୍ର ଆରମ୍ଭ ହେବ । ସେପଟେ ସମୁଦ୍ର ଦେଇ ଶସ୍ୟ ପରିବହନ କରୁଥିବା ମାଲ ପରିବହନ ଜାହାଜ ଉପରେ ରୁଷ ଆକ୍ରମଣ କରିବ ନାହିଁ ବୋଲି କହିଛି ।

ଏହି ଚୁକ୍ତି ସ୍ୱାକ୍ଷର ହେବା ଫଳରେ ୟୁକ୍ରେନ ୨୨ନିୟୁତ ଟନ୍ ଖାଦ୍ୟଶସ୍ୟ ଓ ଅନ୍ୟ କୃଷି ସାମଗ୍ରୀ କୃଷ୍ଣସାଗର ଦେଇ ବିଶ୍ୱ ବଜାରକୁ ପରିବହନ କରିପାରିବ, ଯାହାକି ଫେବ୍ରୁୟାରୀ ୨୪ରେ ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ପରଠାରୁ ବନ୍ଦ ଥିଲା । ରୁଷ- ୟୁକ୍ରେନ ଯୁଦ୍ଧ ହେତୁ ବିଶ୍ୱ ଖାଦ୍ୟ ସଙ୍କଟ ଦେଇ ଗତିକରୁଥିଲା । ଏପରି ପରିସ୍ଥିତିରେ ଦୁଇ ଦେଶ ମଧ୍ୟରେ ଏହି ଚୁକ୍ତି ସ୍ୱାକ୍ଷର ସମସ୍ୟାକୁ କିଛି ମାତ୍ରାରେ ହ୍ରାସ କରିପାରେ ।