ଲୁଣା ଜଙ୍ଗଲ ଅଭିବୃଦ୍ଧିରେ ଭିତରକନିକା ଶ୍ରେଷ୍ଠ। ୨ ବର୍ଷରେ ସୃଷ୍ଟି ହୋଇଛି ୭.୭୬ ବର୍ଗ କିଲୋମିଟର ଜଙ୍ଗଲ।

150

କନକ ବ୍ୟୁରୋ: ସାରା ବିଶ୍ୱରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦେଖିବାକୁ ମିଳୁଛି । ନିକଟରେ ୟୁରୋପ ମହାଦେଶରେ ଦେଖାଯାଇଛି କେଉଁଭଳି ତାପମାତ୍ରା ବୃଦ୍ଧିପାଇଛି । ଖାଲି ୟୁରୋପରେ କାହିଁକି ଆମ ରାଜ୍ୟରେ ମଧ୍ୟ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦେଖିବାକୁ ମିଳିଛି । ଅସ୍ତରଙ୍ଗ ଅଞ୍ଚଳରେ ସମୁଦ୍ରର ଉଚ୍ଚ ଜୁଆରରେ ଉପକୂଳ ନଷ୍ଟ ହୋଇଛି । ସେହିପରି ଅନେକ ସ୍ଥାନରେ ଥିବା ଲୁଣା ଜଙ୍ଗଲ ବି ଅବକ୍ଷୟ ଦ୍ୱାର ଦେଶରେ ପହଞ୍ଚି ସାରିଛି ।

ତେବେ ବର୍ତ୍ତମାନ ଖୁସି ଖବର ଆସିଛି, ଲୁଣା ଜଙ୍ଗଲ ଅଭିବୃଦ୍ଧି କ୍ଷେତ୍ରରେ ଭିତରକନିକା ଶ୍ରେଷ୍ଠସ୍ଥାନ ଅଧିକାର କରିଛି । ଭାରତ ସରକାରଙ୍କ ଜଙ୍ଗଲ ଓ ପରିବେଶ ତଥା ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟର ଫରେଷ୍ଟ ସର୍ଭେ ଅଫ ଇଣ୍ଡିଆ-୨୦୨୧ ରିପୋର୍ଟ ଅନୁସାରେ ରାଜ୍ୟରେ ଲୁଣା ଜଙ୍ଗଲ ସବୁଠାରୁ ଅଧିକ ବୃଦ୍ଧି ପାଇଛି । ସାରାଦେଶରେ ୨ ବର୍ଷରେ ୧୭ ବର୍ଗ କିଲୋମିଟର ଲୁଣା ଜଙ୍ଗଲ ବୃଦ୍ଧି ପାଇଥିବା ବେଳେ ସେଥିରୁ ଓଡିଶାରେ ୮.୩୪ ବର୍ଗ କିଲୋମିଟର ଜଙ୍ଗଲ ରହିଛି । ଏଥିରୁ କେବଳ ଭିତରକନିକାରେ ହିଁ ୭.୭୬ ବର୍ଗ କିଲୋମିଟର ଲୁଣାଜଙ୍ଗଲ ସୃଷ୍ଟି ହୋଇଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମ ପରେ ଏହି ସଫଳତା ମିଳିଛି ।

ଓଡିଶା ଉପକୂଳରେ ମୁଖ୍ୟତଃ ୪ଟି ଅବବାହିକାରେ ଲୁଣା ଜଙ୍ଗଲ ଦେଖିବାକୁ ମିଳେ । ସେଗୁଡିକ ହେଉଛି ମହାନଦୀ ଅବବାହିକା, ବ୍ରାହ୍ମଣୀ ଓ ବୈତରଣୀ ଅବବାହିକା । ଦେବୀ ନଦୀ ମୁହାଁଣ । ରାଜ୍ୟରେ ୨୫୮.୫୯ ବର୍ଗ କିଲୋମିଟର ଲୁଣା ଜଙ୍ଗଲ ଥିବା ବେଳେ କେବଳ ଭିତରକନିକାରେ ୮୧ ପ୍ରତିଶତର ଲୁଣା ଜଙ୍ଗଲ ରହିଛି । ସୁନ୍ଦରବନ ପରେ ଭିତରକନିକାରେ ଥିବା ଲୁଣା ଜଙ୍ଗଲ ଭାରତର ଦ୍ୱିତୀୟ ବୃହତ ବିସ୍ତାରିତ ଲୁଣା ଜଙ୍ଗଲ ।

ସମୁଦ୍ର ମୁହାଁଣରେ ଥିବା ହେନ୍ତାଳ ବଣ କାରଣରୁ ବାତ୍ୟାର ପ୍ରଭାବ ଉପକୂଳରେ ପଡିନଥାଏ । କେବଳ ଏତିକି ନୁହେଁ ଉଭୟ ସ୍ଥଳ ଓ ଜଳଭାଗ ସୁରକ୍ଷାରେ ପ୍ରମୁଖ ଭୂମିକା ନିଏ । ଏହା ଏକ ପ୍ରାକୃତିକ ପ୍ରାଚୀର ଭାବେ ଉଭା ହୋଇଛି । ଗତ ୧୯୯୯ ମହାବାତ୍ୟା ସମୟରେ ଜଗତସିଂହପୁର ଜିଲ୍ଲାରେ ଲୁଣାଜଙ୍ଗଲର ଅବକ୍ଷୟ ଯୋଗୁ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା । ତେବେ ସେ ସମୟରେ ରାଜନଗର ଅଞ୍ଚଳରେ ଥିବା ଏହି ହେନ୍ତାଳ ବଣ ଯୋଗୁ ବଡ ବିପଦରୁ ଏହି ଅଞ୍ଚଳ ରକ୍ଷା ପାଇଥିଲା । ଗତ ବର୍ଷ ମଧ୍ୟ ବାତ୍ୟା ସମୟରେ ଏହି ଅଞ୍ଚଳରେ ପ୍ରଭାବ କମ ରହିଥିଲା । ଏହାକୁ ଅଧିକ ସୁଦୃଢ କରିବା ପାଇଁ ରାଜନଗର ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ଅଧିକରୁ ଅଧିକ ଲୁଣା ଜଙ୍ଗଲ ସୃଷ୍ଟି କରାଯାଇଥିଲା । ଯାହାର ଫଳ ସ୍ୱରୂପ ଅନ୍ୟ ସ୍ଥାନ ଅପେକ୍ଷା ଏଠାରେ ଲୁଣାଜଙ୍ଗଲ ଅଧିକସୃଷ୍ଟି ହୋଇପାରିଛି ।

କେବଳ ଏତିକି ନୁହେଁ ସ୍ଥାନୀୟ ଲୋକଙ୍କ ସହଭାଗିତାରେ ଲୁଣା ଜଙ୍ଗଲ ପରିସର ବୃଦ୍ଧି କରାଯାଇପାରିଛି । ଏଥିପାଇଁ ମ୍ୟାନଗ୍ରୋଭ ମିତ୍ର କାର୍ଯ୍ୟକ୍ରମକୁ ହାତକୁ ନିଆଯାଇଛି । ଏଥିରେ ସେମାନେ ସାମିଲ ହେବା ସହ ନିଜ ମୂଲ୍ୟବାନ ସମ୍ପତ୍ତିକୁ ମଧ୍ୟ ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି । ଏହା ଭିତରକନିକା ଲୁଣା ଜଙ୍ଗଲ ବୃଦ୍ଧିରେ ସବୁଠାରୁ ବଡ ପଦକ୍ଷେପ ଆଉ ଯାହାର ସଫଳତା ସମଗ୍ର ମାନବ ସମାଜ ପାଇଁ ଉଦାହରଣ ସାଜିବ ।

ତେଣୁ ଆପଣମାନେ ବି ଆସନ୍ତୁ ଆମ ପୃଥିବୀକୁ ତାର ପୂର୍ବରୂପକୁ ଫେରାଇ ନେବା । ସବୁଜ ସୁନ୍ଦର କରି ଗଢିତୋଳିବାରେ ସହଯୋଗ କରିବା । ଆସନ୍ତୁ ଆମ ପୁରୁଣା ପୃଥିବୀକୁ ଫେରାଇ ଆଣିବାକୁ ଚେଷ୍ଟା କରିବା । ପୁନଶ୍ଚ ପୃଥିବୀ ଗଢିବାରେ ସଙ୍କଳ୍ପ ନେବା ।