ଅଟା ହେଉଛି ମହଙ୍ଗା, ବର୍ଷକରେ ବଢ଼ିଲାଣି ୪୦ପ୍ରତିଶତ। ୪୦ରୁ ୪୫ଟଙ୍କାରେ ପହଞ୍ଚିଲା କିଲୋ ପିଛା ପ୍ୟାକେଟ ଅଟା ଦାମ।

115

କନକ ବ୍ୟୁରୋ: ଦେଶରେ ଅଟାଦର ବଢୁଛି । ଯାହା ଖାଉଟିଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି । ସବୁଠାରୁ ବଡ କଥା ହେଲା, ଯଦି ସରକାର ଆଗକୁ ଖୋଲା ବଜାରରେ ଗହମ ନ ଛାଡନ୍ତି ହୁଏତ ଅଟାର ଦାମ ଆହୁରି ବଢିପାରେ ।

ବର୍ତ୍ତମାନ ବଜାରରେ ଖୋଲା ଅଟା କିଲୋପ୍ରତି ୩୮ରୁ ୪୦ଟଙ୍କାରେ ବିକ୍ରି ହେଉଥିବା ବେଳେ ପ୍ୟାକେଟ ଅଟା ୪୦ରୁ ୪୫ଟଙ୍କାରେ ବିକ୍ରି ହେଉଛି । ଗତବର୍ଷ ଜାନୁୟାରୀରେ ଅଟା ଦର ଯାହା ରହିଥିଲା ତାହା ଏବେ ୪୦% ମହଙ୍ଗା ହୋଇଛି । କୁହାଯାଉଛି, ସରକାର ଯଦି ଗଚ୍ଛିତ ରଖିଥିବା ଗହମ ବଜାରକୁ ନଛାଡ଼ନ୍ତି, ତାହେଲେ ଅଟାଦର ଆହୁରି ବଢ଼ିବାର ସମ୍ଭାବନା ରହିଛି । ରପ୍ତାନୀ ଉପରେ କଟକଣା ଲଗାଯାଇଥିଲେ ବି ଜାନୁଆରୀରେ ଗହମ ଦର ୭ରୁ ୧୦ ପ୍ରତିଶତ ବଢ଼ିଛି । ଗହମର ମୂଲ୍ୟବୃଦ୍ଧିର ପ୍ରଭାବ ଅଟା ଦର ଉପରେ ମଧ୍ୟ ପଡ଼ୁଛି । ଭୁବନେଶ୍ୱରରେ ଅଟା କିଲୋପ୍ରତି ଗତବର୍ଷ ତୁଳନାରେ ୪ରୁ ୮ ଟଙ୍କା ବଢିଛି ।ଓଡ଼ିଶାକୁ ମୁଖ୍ୟତଃ ପଞ୍ଜାବ ଓ ହରିୟାଣାରୁ ଗହମ ଆସିଥାଏ । ଗହମର ଦର ବଢିଥିବାରୁ ଏହାର ପ୍ରଭାବ ଗହମରୁ ତିଆରି ହେଉଥିବା ଅନ୍ୟ ଉତ୍ପାଦ ଉପରେ ବି ପଡିଛି । ଅର୍ଥାତ ସୁଜି, ମଇଦା ଓବ୍ରାଉନ ବ୍ରେଡର ମଧ୍ୟ ଦର ବୃଦ୍ଧି ଘଟିଛି । ଭୁବନେଶ୍ୱର ବଜାରରେ ତୁଳନାତ୍ମକ ଭାବେ ଦେଖିଲେ

ଉତ୍ପାଦ                       ଜାନୁଆରୀ ୨୨         ଜାନୁଆରୀ ୨୩
ଗହମ(୧ କ୍ୱିଂଟାଲ)           ୧୯୦୦                 ୩,୨୦୦
ଅଟା (କିଲୋପ୍ରତି)              ୨୮-୩୦              ୪୦-୪୨

(ଖୋଲାବଜାର)
ଅଟା (କିଲୋପ୍ରତି)ବ୍ରାଣ୍ଡେଡ    ୩୦–୩୨           ୪୦-୪୫
ସୁଜି(କିଲୋପ୍ରତି)                  ୩୨-୩୫           ୪୫-୫୦

ଗହମ ଉତ୍ପାଦନରେ ହ୍ରାସ ଓ ଭାରତର ଗହମକୁ ବାହାରକୁ ରପ୍ତାନୀ ପାଇଁ କମ୍ପାନୀଗୁଡିକ ଆଗ୍ରହ ପ୍ରକାଶ କରୁଥିବାରୁ ଅଟା ଦର ବଢୁଥିବା କୁହାଯାଉଛି ।
ଅଟାଦର କମାଇବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତତ୍ପର ହୋଇପଡ଼ିଛନ୍ତି । ଖୋଲା ବଜାରରେ ୩୦ ଲକ୍ଷ ଟନ୍ ଗହମ ବିକ୍ରିି କରିବାକୁ କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି । କେନ୍ଦ୍ର ସରକାର ବଫର ଷ୍ଟକରୁ ଏହି ଗହମ ବିକିବେ । ଏହାକୁ ଖୋଲା ବଜାରରେ ବିକ୍ରି କରାଯିବ । ଗହମ ଷ୍ଟକକୁ ଅଟାକଳ ଓ ବ୍ୟବସାୟୀଙ୍କୁ ଯୋଗାଇ ଦିଆଯିବ । ଏଥିପାଇଁ ଏଫସିଆଇକୁ କେନ୍ଦ୍ର ସରକାର ଅନୁମତି ଦେଇସାରିଛନ୍ତି । ଅନ୍ୟପକ୍ଷରେ ରାଜ୍ୟ ସରକାର ମଧ୍ୟ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ଭାରତୀୟ ଖାଦ୍ୟ ନିଗମ, ଏଫସିଆଇ ଓଡ଼ିଶା ପକ୍ଷରୁ ୪୬ ହଜାର ମେଟ୍ରିକ ଟନ୍ ଗହମ ଟେଣ୍ଡର କରାଯାଇଛି ।