ବାୟୁସେନାର ଦୁଇ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ। ଆକାଶରେ ଧକ୍କା ପରେ ଜଳିଗଲା ଦୁଇ ବିମାନ।

289

କନକ ବ୍ୟୁରୋ: ମଧ୍ୟପ୍ରଦେଶ ଗ୍ୱାଲିଅର ଏୟାରବେସରୁ ଉଡାଣ ଭରିବାର କିଛି ସମୟ ପରେ ମିରାଜ ୨୦୦୦ ଓ ସୁଖୋଇ -୩୦ ବିମାନ ଦୁର୍ଘଟଣାର ଶିକାର ହୋଇଛନ୍ତି । କୁହାଯାଉଛି ମଝି ଆକାଶରେ ଦୁଇ ବିମାନ ମୁହାଁମୁହିଁ ଧକ୍କା ହେବା ପରେ ଜଳିଯାଇ ତଳିପଡିଛି । ଏହାର ଦୃଶ୍ୟ ବୟାନ କରୁଛି କେତେ ସାଂଘାତିକ ଥିଲା ଦୁର୍ଘଟଣା । ଚାରିଆଡେ ଧୁଆଁ ଧୁଆଁ, ପୋଡା ଗନ୍ଧରେ ଫାଟି ପଡୁଛି ପରିବେଶ । ହୁତ ହୁତ ହୋଇ ଜଳୁଛି ବିମାନର ଖଣ୍ଡବିଖଣ୍ଡିତ ଅଂଶ । ସେହିଭଳି ରାଜସ୍ଥାନ ଭରତପୁର ଆକାଶରୁ ବିମାନ ଖସିପଡି ଜଳୁଥିବା ଦେଖି ଘଟଣାସ୍ଥଳକୁ ଛୁଟି ଆସିଥିଲେ ଆଖପାଖର ଲୋକ । ଭାରତୀୟ ବାୟୁସେନାର ଦୁଇ ଲଢୁଆ ବିମାନ ସୁଖୋଇ -୩୦ ଓ ମିରାଜ ୨୦୦୦ ଉଡାଣ ଅଭ୍ୟାସ ବେଳେ ପରସ୍ପର ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି । ଦୁର୍ଘଟଣା ପରେ ସୁଖୋଇ ବିମାନ ରାଜସ୍ଥାନ ଭରତପୁର ଜିଲ୍ଲାର ପିଙ୍ଗୋରା ଗାଁରେ ପଡିଥିବା ବେଳେ ମଧ୍ୟପ୍ରଦେଶରେ ମୁରୈନା ଅଞ୍ଚଳରେ ଖସିପଡିଛି ମିରାଜ-୨୦୦ ବିମାନର ଅଂଶ ।

ବିମାନ ଦୁର୍ଘଟଣାରେ ଜଣ ପାଇଲଟ ସହିଦ ହୋଇଥିବା ବେଳେ ୨ ଜଣ ପାଇଲଟ ଗୁରୁତର ଆହତ ହୋଇଛନ୍ତି । ଆହତ ପାଇଲଟଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତି କରାଯାଇଛି । ମିରାଜ-୨୦୦ ବିମାନରେ ଥିବା ପାଇଲଟଙ୍କ ଦେହାନ୍ତ ହୋଇଥିବା ବେଳେ ସୁଖୋଇ-୩୦ରେ ଥିବା ୨ ପାଇଲଟ ସୌଭାଗ୍ୟକୁ ବଞ୍ଚିଯାଇଛନ୍ତି । କେଉଁ ପରିସ୍ଥିତିରେ ବାୟୁସେନାର ଦୁଇ ଲଢୁଆ ବିମାନ ଦୁର୍ଘଟଣାଗସ୍ତ ହେଲା? ତାହର ତଦନ୍ତ ପାଇଁ କୋର୍ଟ ଅଫ ଇନକ୍ୱାରି ନିର୍ଦ୍ଦେଶ ଦେଇଛି ଭାରତୀୟ ବାୟୁସେନା । ସେପଟେ ବାୟୁସେନା ଅଧିକାରୀଙ୍କ ସହ ଦୁର୍ଘଟଣାକୁ ନେଇ ଆଲୋଚନା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏଥିସହ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସହ ଫୋନରେ ବିମାନ ଦୁର୍ଘଟଣା ବାବଦରେ ରାଜନାଥ ଆଲୋଚନା କରିଛନ୍ତି ।

ବାୟୁସେନାର ଦୁଇ ଲଢୁଆ ବିମାନ କେମିତି ଦୁର୍ଘଟଣା ହେଲା ସେ ବାବଦରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି । ଶନିବାର ସକାଳ ୯ଟା ୧୦ ମିନିଟିରେ ଗ୍ୱାଲିୟର ଏୟାରବେସରୁ ଉଡାଣ ଭରିଥିଲେ ଦୁଇ ବିମାନ । କିଛି ସମୟ ପରେ ଦୁଇ ବିମାନ ମଝି ଆକାଶରେ ପରସ୍ପର ସହ ଧକ୍କା ହୋଇ ଦୁର୍ଘଟଣାର ଶିକାର ହୋଇଥିବା ଅନୁମାନ କରାଯାଉଛି । ଏହାଛଡା ବୈଷୟିକ ତ୍ରୁଟି କିମ୍ବା ପାଇଲଟଙ୍କ କମ ଅନୁଭବ ଦୁର୍ଘଟଣାର କାରଣ ହୋଇଥାଇପାରେ ବୋଲି କୁହାଯାଉଛି ।