ବିଶ୍ୱ ଧନୀ ତାଲିକାରେ ୭ ନମ୍ବରକୁ ଖସିଲେ ଗୌତମ ଆଦାନୀ । ଦୁଇ ଦିନରେ ହରାଇଲେ ୪ ଲକ୍ଷ କୋଟିରୁ ଅଧିକ ଟଙ୍କା ।

ହିଣ୍ଡେନବର୍ଗ ରିପୋର୍ଟ ପରେ ଭାରତୀୟ ସେୟାର ମାର୍କେଟରେ ବଡ଼ ଧରଣର ହଲଚଲ୍

231

କନକ ବ୍ୟୁରୋ: ଧନୀ ତାଲିକାରୁ ଖସିଲେ ଦେଶର ଅନ୍ୟତମ ଶିଳ୍ପପତି ଆଦାନୀ । ହିଣ୍ଡେନବର୍ଗ ରିସର୍ଚ୍ଚର ରିପୋର୍ଟ ପରେ ଆଦାନୀ ଗ୍ରୁପ୍ ସେୟାରରେ ବଡ଼ ହ୍ରାସ ହୋଇଛି । ଫଳରେ ବିଶ୍ୱ ଧନୀ ତାଲିକାରେ ୭ ତମ ସ୍ଥାନକୁ ଖସିଛନ୍ତି । ଦୁଇ ଦିନରେ ୪ ଲକ୍ଷ ୧୭ ହଜାର କୋଟି ଟଙ୍କା ହରାଇଛନ୍ତି ଗୌତମ ଆଦାନୀ । ହିଣ୍ଡେନବର୍ଗ ରିସର୍ଚ୍ଚର ରିପୋର୍ଟରେ ଆଦାନୀ ଗ୍ରୁପର ସେୟାର ପ୍ରାଇସରେ ହେରଫେର, ସେଲ୍ କମ୍ପାନୀରେ କାରବାର, ଆକାଉଣ୍ଟରେ ଅନିୟମିତତା ଭଳି ସାଂଘାତିକ ଅଭିଯୋଗ ରହିଛି ।

  • ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ ପରେ ସେୟାର ବଜାରରେ ହଲଚଲ୍
  • ଆଦାନୀ ଗ୍ରୁପ୍ ସେୟାରରେ ବଡ଼ ହ୍ରାସ
  • ବିଶ୍ୱ ଧନୀ ତାଲିକାରେ ୭ମ ସ୍ଥାନକୁ ଖସିଲେ ଗୌତମ ଆଦାନୀ

ଆଦାନୀ ଏଣ୍ଟରପ୍ରାଇଜେସର ସେୟାର ଚାର୍ଟ । ୨ ବର୍ଷ ମଧ୍ୟରେ ୮ଗୁଣରୁ ଅଧିକ ବଢ଼ିଥିବା ସେୟାରର ମୂଲ୍ୟ ମାତ୍ର ଦୁଇଟି ଟ୍ରେଡିଂ ସେସନରେ ବଡ଼ ଧରଣର ହ୍ରାସ ଘଟିଛି । ଶୁକ୍ରବାର ଦିନ ପାଖାପାଖି ୨୦ ପ୍ରତିଶତ କମିଯାଇଛି ସେୟାରର ମୂଲ୍ୟ । କେବଳ ଆଦାନୀ ଏଣ୍ଟରପ୍ରାଇଜେସର ସେୟାର ନୁହେଁ, ଆଦାନୀ ଗ୍ରୁପର ସବୁ କମ୍ପାନୀର ସେୟାର ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ଆଦାନୀ ଗ୍ରୁପର ୧୦ଟି କମ୍ପାନୀ ମଧ୍ୟରୁ ୭ଟି ସଂସ୍ଥାରେ ସେୟାର ମୂଲ୍ୟ ପାଖାପାଖି ୨୦ ପ୍ରତିଶ୍ରତ ହ୍ରାସ ପାଇଛି । ଦୁଇ ଦିନରେ ୪ ଲକ୍ଷ ୧୭ ହଜାର କୋଟି ଟଙ୍କା ହରାଇଛନ୍ତି ଗୌତମ ଆଦାନୀ । ବିଶ୍ୱ ଧନୀ ତାଲିକାରେ ତୃତୀୟ ସ୍ଥାନରୁ ସପ୍ତମ ସ୍ଥାନକୁ ଖସି ଆସିଛନ୍ତି ।

ଏହାର କାରଣ ହେଉଛି, ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ । ଜାନୁଆରୀ ୨୪ ତାରିଖରେ ଏହି ଆମେରିକୀୟ ସଂସ୍ଥା ରିପୋର୍ଟ ପ୍ରକାଶ କରିଥିଲା । ଏହି ରିପୋର୍ଟରେ ଆଦାନୀ ଗ୍ରୁପ୍ ଉପରେ ସାଂଘାତିକ ଅଭିଯୋଗ କରାଯାଇଛି । ସେୟାର ପ୍ରାଇସରେ ହେରଫେର, ସେଲ୍ କମ୍ପାନୀରେ କାରବାର, ଆକାଉଣ୍ଟରେ ଅନିୟମିତତା ଭଳି ଅଭିଯୋଗ ରହିଛି ।

ନଜର ପକାନ୍ତୁ ‘ହିଣ୍ଡେନବର୍ଗ’ର ଅଭିଯୋଗ ଉପରେ

  • ଅସାଧୁ ଉପାୟରେ ଷ୍ଟକ ମୂଲ୍ୟରେ ବୃଦ୍ଧି ଘଟାଇ ୩ବର୍ଷ ଭିତରେ ୧୨୦କୋଟି ବିଲିୟନ ଡଲାର ଠୁଳ କରିଛି ଆଦାନୀ ଗ୍ରୁପ୍
  • ପୁଞ୍ଜିବଜାରରେ ଆଦାନୀ ଗ୍ରୁପର ୭ଟି କମ୍ପାନୀର ସେୟାର ୩ ବର୍ଷରେ ହାରାହାରି ୮ଶହ ପ୍ରତିଶତ ବୃଦ୍ଧି ପାଇଛି
  • ଷ୍ଟକ ଓ ଆକାଉଣ୍ଟରେ ବ୍ୟାପକ କାରସାଦି କରାଯାଇଥିବା ଅଭିଯୋଗ
  • ୨ ବର୍ଷ ଧରି ଆଦାନୀ ଗ୍ରୁପର କାରବାର ଉପରେ ନଜର ରଖିବା ପରେ ରିପୋର୍ଟ ଦେଇଛି ହିଣ୍ଡେନବର୍ଗ
  • ଆଦାନୀଙ୍କ ପରିବାର ସଦସ୍ୟମାନେ ଟିକସ ଫାଙ୍କିବା ପାଇଁ ବିଦେଶରେ ଜାଲ କମ୍ପାନୀ ଖୋଲିଥିବା ଅଭିଯୋଗ
  • ଜାଲ କାଗଜପତ୍ରରେ ମରିସସ୍, ୟୁଏଇ ଏବଂ କାରବିଆନ୍ ଆଇଲାଣ୍ଡରେ ବ୍ୟବସାୟ କରିଥିବା ଅଭିଯୋଗ
  • ଆଦାନୀ ଗ୍ରୁପକୁ ମୋଟ ୮୯ଟି ପ୍ରଶ୍ନ ପଚାରିଛି ହିଣ୍ଡେନବର୍ଗ
  • ସେୟାରର ମୂଲ୍ୟ ୮୫% ହ୍ରାସ ପାଇବ ବୋଲି ସତର୍କ କରାଇଛି ହିଣ୍ଡେନବର୍ଗ

ହିଣ୍ଡେନବର୍ଗର ରିପୋର୍ଟକୁ ଖଣ୍ଡନ କରିଛି ଆଦାନୀ ଗ୍ରୁପ୍ । ସବୁ ଅଭିଯୋଗ ଭିତ୍ତିହୀନ, ଏହା ବିରୋଧରେ ଆଇନର ଆଶ୍ରୟ ନେବେ ବୋଲି ଧମକ ଦେଇଛି । ଜବାବରେ ହିଣ୍ଡେନବର୍ଗ ପକ୍ଷରୁ କୁହାଯାଇଛି, ସେମାନଙ୍କ ରିପୋର୍ଟ ଗବେଷଣାମୂଳକ ତଥ୍ୟ ଉପରେ ଆଧାରିତ । ତେଣୁ ପଛଘୁଞ୍ଚା ଦେବାର ପ୍ରଶ୍ନ ଉଠୁନି । ସେପଟେ ଅଦାନୀଙ୍କ କମ୍ପାନୀକୁ ନେଇ ତନାଘନା ଆରମ୍ଭ କରିଛି ସେବି ।

ହିଣ୍ଡେନବର୍ଗ ରିପୋର୍ଟ ପରେ ଏହାର ବଡ଼ ପ୍ରଭାବ ପଡ଼ିଛି ଭାରତୀୟ ସେୟାର ମାର୍କେଟ ଉପରେ । ଶୁକ୍ରବାର ସେନସେକ୍ସ ୮୭୪ ପଏଣ୍ଟ ହ୍ରାସ ପାଇ ୫୯ ହଜାର ୩୩୦ ପଏଣ୍ଟରେ ବନ୍ଦ ହୋଇଛି । ନିବେଶକମାନେ ୧୦ ଲକ୍ଷ ୭୩ ହଜାର କୋଟି ଟଙ୍କା ହରାଇଛନ୍ତି । ଆଦାନି ଗ୍ରୁପର ଫଲୋ-ଅନ ପବ୍ଲିକ ଅଫର ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି । ପ୍ରଥମ ଦିନରେ ମାତ୍ର ୧ ପ୍ରତିଶତ ଆବେଦନ ହୋଇଛି ।

ଏସବିଆଇ ଓ ଅନ୍ୟ କିଛି ଜାତୀୟ ବ୍ୟାଙ୍କ ଆଦାନୀ ଗ୍ରୁପକୁ କୋଟି କୋଟି ଟଙ୍କାର ଋଣ ଦେଇଛନ୍ତି । ଏଲଆଇସି ଭଳି ସଂସ୍ଥା ବିପୁଳ ପୁଞ୍ଜି ନିବେଶ କରିଛନ୍ତି । ଆଗକୁ ସେୟାର ବଜାର ଉପରେ ଏହାର ପ୍ରଭାବ କ’ଣ ପଡିବ, ନିବେଶକମାନେ ଆଶଙ୍କା ଭିତରେ ରହିଛନ୍ତି । ଆଦାନୀ ଗ୍ରୁପ୍ କିପରି ଏହି ସ୍ଥିତିର ମୁକାବିଲା କରିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି ।