ସ୍ୱାମୀର ଦ୍ୱିତୀୟ ବାହାଘରରେ ପ୍ରଥମ ସ୍ତ୍ରୀର ହଙ୍ଗାମା । ପୁଲିସକୁ ସାଥିରେ ଧରି ବିବାହ ମଣ୍ଡପରେ ପହଞ୍ଚିଲେ ପତ୍ନୀ

903

କନକ ବ୍ୟୁରୋ: ସ୍ୱାମୀର ଦ୍ୱିତୀୟ ବାହାଘରରେ ପ୍ରଥମ ସ୍ତ୍ରୀର ହଙ୍ଗାମା । ଏପରି କି ସ୍ୱାମୀର ଦ୍ୱିତୀୟ ବିବାହକୁ ରୋକିବାକୁ ପୁଲିସକୁ ସାଙ୍ଗରେ ନେଇ ବିବାହ ମଣ୍ଡପରେ ପହଂଚିଥିଲେ ପ୍ରଥମ ସ୍ତ୍ରୀ । ହେଲେ ପୁଲିସକୁ ନେଇ ବିବାହ ବେଦୀକୁ ପହଂଚିଲା ବେଳେକୁ ସରିଯାଇଥିଲା ବାହାଘର । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ପାଗା ଛକ ନିକଟ ଗୋଲଡେନ ମେମୋରିଜ ପ୍ୟାଲେସରେ । ଏହା ଦେଖି ବିବାହ ଉତ୍ସବରେ ସାମିଲ ହେବାକୁ ଆସିଥିବା ଲୋକେ ତାଜୁବ ହୋଇଯାଇଥିଲେ ।

ନବ ବିବାହିତ ସ୍ୱାମୀଙ୍କ ସହ ତାଙ୍କ ପ୍ରଥମ ପତ୍ନୀ ସମସ୍ତଙ୍କ ସାମ୍ନାରେ ପାଟିତୁଣ୍ଡ କରି ବିବାହକୁ ବେଆଇନ ବୋଲି ଅଭିଯୋଗ କରିଛନ୍ତି । ପ୍ରଥମ ପତ୍ନୀ କହିଛନ୍ତି ତାଙ୍କ ବିବାହକୁ ୧୦ ବର୍ଷ ହୋଇଥିବା ବେଳେ ତାଙ୍କର ଏକ ୫ ବର୍ଷର ପୁଅ ମଧ୍ୟ ରହିଛି । ତେବେ ବିନା ଛାଡପତ୍ରରେ ସ୍ୱାମୀ ଦ୍ୱିତୀୟ ବିବାହ କରୁଥିବା ଜାଣି ପୁଲିସକୁ ଜଣାଇ ଘଟଣାସ୍ଥଳକୁ ଆସିଥିବା କହିଛନ୍ତି ପ୍ରଥମ ପତ୍ନୀ ସୁପ୍ରିୟା ପଣ୍ଡା । ଅନ୍ୟପଟେ ନବ ବିବାହିତ ବିକ୍ରମ କେଶରୀ କହିଛନ୍ତି, ପ୍ରଥମ ସ୍ତ୍ରୀଙ୍କୁ ସେ କୋର୍ଟରେ ଛାଡପତ୍ର ଦେଇସାରିଛନ୍ତି । ଉଦ୍ଦେଶ୍ୟମୂଳକ ଭାବେ ପ୍ରଥମ ପତ୍ନୀ ତାଙ୍କ ବିବାହକୁ ଭଣ୍ଡୁର କରିବାକୁ ଏପରି କରୁଥିବା ସେ ଅଭିଯୋଗ କରିଛନ୍ତି ।