ବିଶ୍ୱର ସବୁଠୁ ବଡ ଜଙ୍ଗଲରେ ଲାଗିଛି ନିଆଁ : ଦୀର୍ଘ ୩ ସପ୍ତାହ ଧରି ଜଳୁଛି ବ୍ରାଜିଲର ଆମାଜନ ଜଙ୍ଗଲ

737

କନକ ବ୍ୟୁରୋ : ବିଶ୍ୱର ସବୁଠାରୁ ବଡ ଜଙ୍ଗଲରେ ଲାଗିଛି ନିଆଁ । ଦୀର୍ଘ ୩ ସପ୍ତାହ ଧରି ଜଳୁଛି ବ୍ରାଜିଲର ଆମାଜନ ଜଙ୍ଗଲ । ଏବେ ଏହି ନିଆଁ ଅତି ଭୟଙ୍କର ରୂପ ଧାରଣ କରିଛି । ଯାହାକୁ ଦେଖି ଆଗକୁ ପରିବେଶ ଉପରେ ବଡ ବିପଦ ଆସିପାରେ ବୋଲି ଆକଳନ କରୁଛନ୍ତି ପରିବେଶବିତ୍ । ସାରା ବିଶ୍ୱ ବ୍ୟବହାର କରୁଥିବା ମୋଟ୍ ଅମ୍ଳଜାନର ୨୦ ପ୍ରତିଶତ ଅମ୍ଳଜାନ ଏହି ଆମାଜନ ଜଙ୍ଗଲରୁ ହିଁ ସୃଷ୍ଟି ହୋଇଥାଏ । ସାରା ବିଶ୍ୱରେ ଥିବା ମୋଟ୍ ଜୀବଜନ୍ତୁଙ୍କ ସଂଖ୍ୟାର ପ୍ରାୟ ଅଧା ଜୀବଜନ୍ତୁ ଏହି ଜଙ୍ଗଲରେ ବାସ କରିଥାନ୍ତି ।

ଫୃଥିବୀର ଫୁସଫୁସରେ ନିଆଁ । ବିଶ୍ୱର ୨୦ ପ୍ରତିଶତରୁ ଅଧିକ ଅମ୍ଳଜାନ କେବଳ ଆମାଜନ ଜଙ୍ଗଲରୁ ପ୍ରସ୍ତୁତ ହୋଇଥାଏ । ଏହାବ୍ୟତୀତ ଦୁନିଆର ଅଧାରୁ ଅଧିକ ପ୍ରଜାତିର ଜୀବଜନ୍ତୁ, ଗଛଲତା, କୀଟପତଙ୍ଗ ଆମାଜନ ଜଙ୍ଗଲରେ ଦେଖାଯାଆନ୍ତି । ଗତ ୩ ସପ୍ତାହ ଧରି ଏହି ଜଙ୍ଗଲରେ ନିଆଁ ଲାଗିବା ପରେ ଅନେକ ଦୁର୍ମୁଲ୍ୟ ଗଛ ଲତା ନଷ୍ଟ ହେବା ସହିତ ଜୀବଜନ୍ତୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି । କହିବାକୁ ଗଲେ ପୃଥିବୀର ଫୁସଫୁସରେ ନିଆଁ ଲାଗିଛି ।

ସାଟେଲାଇଟ୍ ରୁ ମିଳିଥିବା ଫଟୋ ଚିତ୍ରରୁ ଜଣାପଡୁଛି ବିରାଟ ବଡ ଅଂଚଳ ଏକ ସାଥରେ ଜଳୁଛି । ଆମାଜନ ଜଙ୍ଗଲର ଏହି ନିଆଁ ନଥମିଲେ , ଆଗକୁ ଗ୍ଲୋବାଲ ୱାର୍ମିଂ ଉପରେ ବି ଏହାର ପ୍ରଭାବ ପଡିପାରେ ବୋଲି କୁହାଯାଉଛି ।