ବଳ ଗୋଟାଇବା ପାଇଁ ଚାଷୀଙ୍କ ମହାପଂଚାୟତ । ରାକେଶ ଟିକାୟତଙ୍କ ଡାକରାରେ ଉତ୍ତରପ୍ରଦେଶ ମୁଜାଫରନଗରରେ ବସିଛି ଚାଷୀଙ୍କ ମହା ପଂଚାୟତ

88

କନକ ବ୍ୟୁରୋ: କଣ ରହିବ କୃଷକଙ୍କ ଆଗାମୀ ରଣନୀତି? ସେ ନେଇ ଉତରପ୍ରଦେଶ ମୁଜାଫରନଗରରେ ବସିଛି ଚାଷୀଙ୍କ ମହା ପଂଚାୟତ । ବିଶେଷ କରି ୨୬ ଜାନୁଆରୀରେ ଚାଷୀଙ୍କ ଟ୍ରାକ୍ଟର ରାଲି ପରେ ବ୍ୟାକଫୁଟରେ ଅଛନ୍ତି କୃଷକ ସଂଗଠନ । ତଥାପି କୃଷି ଆଇନ ପ୍ରତ୍ୟାହାର ଦାବିରେ ଜାରି ରଖିଛନ୍ତି ଆନ୍ଦୋଳନ । ପଶ୍ଚିମ ଉତ୍ତରପ୍ରଦେଶ ଏବେ ଚାଷୀ ଆନ୍ଦୋଳନ ନୂଆ ଠିକଣା ହେବାକୁ ଯାଉଛି । ବ୍ୟାପକ ପୁଲିସ ଛାଉଣୀ ଭିତରେ ମୁଜାଫରନଗରରେ ମହା ପଂଚାୟତରେ ପଡୋଶୀ ରାଜ୍ୟରୁ ହଜାର ହଜାର ଚାଷୀ ଏକତ୍ରିତ ହୋଇଛନ୍ତି । ଗାଜିପୁର ସୀମାରେ ଧାରଣା ଦେଇଥିବା ରାକେଶ ଟିକାୟତଙ୍କ ସମର୍ଥନରେ ମୁଜାଫରନଗରରେ ପ୍ରାୟ ଶହେରୁ ଅଧିକ ଚାଷୀ ନେତା ଏକତ୍ରିତ ହୋଇଛନ୍ତି ।

ଗଣତନ୍ତ୍ର ଦିବସରେ ଦିଲ୍ଲୀର ଛାତିରେ ଘଟିଥିବା ଘଟଣା ପରେ ଏକପ୍ରକାର ବ୍ୟାକଫୁଟରେ ଥିବା ଚାଷୀ ଆନ୍ଦୋଳନ ପୁଣି ବଳ ଗୋଟାଇବାରେ ଲାଗିଛି । ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ଏକାଧିକ ବିରୋଧୀ ଦଳ ନେତା । କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ ଚାଷୀ ଆନ୍ଦୋଳନକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଚାଷୀଙ୍କ ଉପରେ ଆକ୍ରମଣ କରି ପ୍ରଧାନମନ୍ତ୍ରୀ ଦେଶକୁ ଦୁର୍ବଳ କରିପକାଉଥିବା ସେ ଅଭିଯୋଗ ଆଣିଛନ୍ତି । ସେହିପରି ସମାଜବାଦି ପାର୍ଟି ଅଧ୍ୟକ୍ଷ ଅଖିଳେଶ  ଯାଦବ ମଧ୍ୟ ବିଜେପିକୁ ଘେରିଛନ୍ତି ।

ଚାଷୀଙ୍କୁ ସମର୍ଥନ ଜଣାଇ ଗାଜିପୁର ସୀମାରେ ପହଚିଂଛନ୍ତି ନେତା । ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ଆପ୍ ନେତା ରାଘବ ଚଢା ଚାଷୀ ନେତାଙ୍କୁ ଭେଟିଛନ୍ତି ।  ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଧ୍ୟ ଟ୍ୱିଟ କରି ଭାରତୀୟ କିଷାନ ୟୁନିୟନର ନେତା ରାକେଶ ଟିକାୟତକୁ ସମର୍ଥନ ଜଣାଇଛନ୍ତି । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ଫୋନ କରି ସମର୍ଥନ ଜଣାଇଛନ୍ତି । ଗଣତନ୍ତ୍ର ଦିବସ ପରେ ଝଟକା ଲାଗିଥିବା ଚାଷୀ ଆନ୍ଦୋଳନ ପୁଣି ଥରେ ବଳ ଗୋଟାଇବାରେ ଲାଗି ପଡିଛି ।