କରୋନା ସଂକଟ ଭିତରେ ଆରମ୍ଭ ହେଲା ସଂସଦର ବଜେଟ୍ ଅଧିବେଶନ । ରାଷ୍ଟ୍ରପତି କହିଲେ ଚାଷୀଙ୍କ ସ୍ୱାର୍ଥ ରକ୍ଷା କରିବ ୩ଟି କୃଷି ଆଇନ

57

କନକ ବ୍ୟୁରୋ: କରୋନା ସଂକଟ ଓ କୃଷକମାନଙ୍କ ଆନ୍ଦୋଳନ ଭିତରେ ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ବୋଧନ ସହିତ ଅଧିବେଶନ ଆରମ୍ଭ ହୋଇଛି । ରାଷ୍ଟ୍ରପତି ତାଙ୍କ ସମ୍ବୋଧନରେ ପ୍ରଥମେ କରୋନା ସମୟରେ ହରାଇଥିବା ଲୋକଙ୍କୁ ମନପକାଇ ଦୁଃଖ ପ୍ରକାଶ କରିଥିଲେ । ଏହା ସହ ରାଷ୍ଟ୍ରପତି କୋବିନ୍ଦ କହିଛନ୍ତି ଯେ, କୃଷକଙ୍କ ସ୍ୱାର୍ଥ ପାଇଁ ସରକାର ସବୁବେଳେ ଚିନ୍ତା କରୁଛନ୍ତି । ସ୍ୱାମୀନାଥନ କମିସନଙ୍କ ସୁପାରିସକୁ ଅନୁସରଣ କରି ସରକାର ଏମଏସପି ମୂଲ୍ୟ ଦ୍ୱିଗୁଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅନେକ ବିଚାର ବିମର୍ଷ ପରେ ସଂସଦରେ କୃଷି ବିଲ ପାସ୍ ହୋଇଥିଲା ଏବଂ ଏହାଦ୍ୱାରା ୧୦କୋଟି ଛୋଟ ଚାଷୀ ଲାଭ ପାଇବେ ବୋଲି କହିଛନ୍ତି ରାଷ୍ଟ୍ରପତି ।

ଚଳିତ ବର୍ଷ କିପରି ରହିବ ସଂସଦା ବଜେଟ ଅଧିବେସନ ସେ ନେଇ ସଙ୍କେତ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୨୦୨୦ରେ ଅର୍ଥମନ୍ତ୍ରୀ ଯେଉଁଭଳି ଭାବେ ୩ରୁ ୪ଟି ମିନି ବଜେଟ ଉପସ୍ଥାପନ କରିଥିଲେ, ଆସନ୍ତା ବଜେଟ ତାର ଏକ ଅଂଶ ବିଶେଷ ହେବ । ଆମେ ଚଳିତ ବଜେଟକୁ ଉକ୍ତ ମିନି ବଜେଟର ଅଂଶ ଭାବେ ଦେଖିବା ବୋଲି କହିଛନ୍ତି ମୋଦୀ ।

କେମିତି ହେବ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ? ବିଶେଷଜ୍ଞଙ୍କ କହିବା ଅନୁସାରେ, ବର୍ତମାନ ସ୍ୱାସ୍ଥ୍ୟ କ୍ଷେତ୍ର ଉପରେ ଗୁରୁତ୍ୱ ଦେବାର ସମୟ ଆସିଯାଇଛି । ଏହା ବ୍ୟତିତ ଏମଏସଏମଇ, ପର୍ଯ୍ୟଟନ ପରି କ୍ଷେତ୍ରକୁ ନଜର ଦେଇ ବଜେଟ କରାଯିବା ଉଚିତ । ମଧ୍ୟବିତଙ୍କୁ ଇନକମ ଟାକ୍ସ କ୍ଷେତ୍ରରେ ଆହୁରି କୋହଳ ଦେଲେ ଅର୍ଥନିତୀ ଗତିଶୀଳ ହେବା ପାଇଁ ଏହା ସାହାଯ୍ୟ କରିବ ।